Scorpio Rams into Truck: ୧୦୦ କିମି ବେଗରେ ମାଡ଼ିଗଲା ସ୍କର୍ପିଓ, ୨ ଶିଶୁଙ୍କ ସମେତ ୩ ମୃତ
ଭୟଙ୍କର ଦୁର୍ଘଟଣା। ୧୦୦ରୁ ଅଧିକ ସ୍ପିଡରେ ଯାଇ ଟ୍ରକକୁ ପଛରୁ ଧକ୍କା ଦେଲା ସ୍କର୍ପିଓ। ଦୁର୍ଘଟଣାରେ ୨ ଜଣ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁରରେ। ମହାରାଜପୁର ଥାନା ଅଞ୍ଚଳର ରୁମା ନିକଟ କାନପୁର–ପ୍ରୟାଗରାଜ ଜାତୀୟ ରାଜପଥରେ ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ରାସ୍ତା ପାର୍ଶ୍ୱ ସର୍ଭିସ୍ ଲେନରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓର ସାମ୍ନାପଟ ସମ୍ପୂର୍ଣ୍ଣ ଚୂରମାର ହୋଇଯିବା ସହ ଗାଡ଼ିର ଉପର ଅଂଶ ମଧ୍ୟ ଉପୁଡ଼ି ଯାଇଥିଲା। ଦାମୀ ଗାଡିଟି ଭଗ୍ନାବଶେଷରେ ପରିଣତ ହୋଇଥିଲା। ଘଟଣାସ୍ଥଳରେ ହିଁ ୨ ଜଣ ଶିଶୁଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଧକ୍କାର ଶବ୍ଦ ଅନେକ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସ୍କର୍ପିଓରେ ଥିବା ଯାତ୍ରୀମାନେ ଗାଡ଼ି ଭିତରେ ଫସି ରହିଥିବା ଦେଖିଥିଲେ। ଖବର ପାଇ ମହାରାଜପୁର ଥାନା ପୋଲିସ ଓ ପିଆରଭି ଟିମ୍ ପହଞ୍ଚି ଗ୍ୟାସ୍ କଟର ସହାୟତାରେ ଗାଡ଼ି କାଟି ଆହତମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ପ୍ରଥମେ କାଂଶୀରାମ ହସ୍ପିଟାଲକୁ ପଠାଯାଇଥିଲା। ପରେ ଗୁରୁତର ଆହତମାନଙ୍କୁ ହେଲେଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ସ୍କର୍ପିଓରେ ପ୍ରାୟ ୧୨ ଜଣ ଯାତ୍ରୀ ଥିଲେ। ସେମାନେ ହରିୟାଣାର ସିର୍ସାରୁ ବିହାରର ଗୟା ଅଭିମୁଖେ ଯାଉଥିଲେ। ସ୍କର୍ପିଓର ବେଗ ଘଣ୍ଟାପ୍ରତି ପ୍ରାୟ ୧୦୦ କିଲୋମିଟର କିମ୍ବା ତା'ଠାରୁ ଅଧିକ ଥିଲା। ଅତ୍ୟଧିକ ବେଗ ଯୋଗୁଁ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଠିଆ ହୋଇଥିବା ଟ୍ରକର ପଛପଟେ ଧକ୍କା ଦେଇଥିଲେ।
ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ପୋଲିସ ପିଆରଭି-୭୦୫୯ ସହାୟତାରେ ପ୍ରାୟ ୧୩ କିଲୋମିଟର ପିଛା କରି ମହାରାଜପୁର ଥାନା ଅଞ୍ଚଳର ତିୱାରୀପୁର ଓଭରବ୍ରିଜ୍ ନିକଟରୁ ଡ୍ରାଇଭରକୁ ଗିରଫ କରିଥିଲା। ଗିରଫ ଚାଳକଙ୍କ ପରିଚୟ ମିର୍ଜାପୁର ନିବାସୀ ଆଦର୍ଶ ସିଂହ ବୋଲି ଜଣାପଡ଼ିଛି।
ପଚରା ଉଚରା ବେଳେ ସେ କହିଥିଲେ ଯେ, ସର୍ଭିସ୍ ଲେନରେ ଟ୍ରକ୍ ରଖି ବିଶ୍ରାମ କରୁଥିବା ସମୟରେ ପଛପଟରୁ ଦ୍ରୁତଗତିରେ ଆସୁଥିବା ସ୍କର୍ପିଓ ଟ୍ରକରେ ପିଟି ହୋଇଥିଲା। ଭୟଭୀତ ହୋଇ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ପୋଲିସ ଟ୍ରକ୍ ଓ କ୍ଷତିଗ୍ରସ୍ତ ସ୍କର୍ପିଓକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଟ୍ରକଟି କେଉଁ ପରିସ୍ଥିତିରେ ସର୍ଭିସ୍ ଲେନରେ ଠିଆ ଥିଲା ଏବଂ ସୁରକ୍ଷା ନିୟମ ପାଳନ କରାଯାଇଥିଲା କି ନାହିଁ, ଏନେଇ ମଧ୍ୟ ତଦନ୍ତ ଚାଲିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ କ୍ରେନ୍ ସହାୟତାରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
ଏପଟେ କାନପୁରର ଜିଲ୍ଲାପାଳ ଜିତେନ୍ଦ୍ର ପ୍ରତାପ ସିଂହ ହାଲେଟ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ସେ ଡାକ୍ତରମାନଙ୍କୁ ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ପୀଡ଼ିତ ପରିବାରକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।