Road Washed Away, Link Cut: ବଢୁଛି ମହାନଦୀର ଜଳସ୍ତର; ବୁଡିଗଲା ବ୍ରିଜ, ଯାତାୟତ ଠପ୍
ବର୍ଷା କମିଛି ହେଲେ ଦୁର୍ଦ୍ଦଶା ବଢିଛି। ତିନିଦିନ ଧରି ଲଗାଣ ବର୍ଷାରେ ବରଗଡରେ କେଉଁଠି ବିଲରେ ପାଣି ଲହଡି ମାରୁଛି ତ ଆଉ କେଉଁଠି ଜମା ହୋଇ ରହିଛି। ଏପରି କି ଅନେକ ସ୍ଥାନରେ ବର୍ଷା ପାଇଁ ଯାତାୟତ ବିଚ୍ଛିନ୍ନ ହୋଇଛି।
ବରଗଡ ସହରରୁ ଥୁଆପାଲିକୁ ସଂଯୋଗ କରୁଥିବା ବ୍ରିଜ ତିଆରି ପାଇଁ ଅଡଙ୍ଗା ଠାରେ ଅସ୍ଥାୟୀ ରାସ୍ତା କରାଯାଇଥିଲା। ହେଲେ ବର୍ଷା ପାଣିରେ ସେଇ ରାସ୍ତା ଧୋଇଯିବାରୁ ଏବେ ଯୋଗାଯୋଗ ପୂରା ବିଛିନ୍ନ ହୋଇଛି। ଫଳରେ ଅନେକ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପାଗ ଶୁଖିଲା ରହିଛି। ଗତକାଲି ଅପରାହ୍ନରୁ ବର୍ଷା କମିଛି କିନ୍ତୁ ଆକାଶ ଏବେ ବି ମେଘାଛନ୍ନ ରହିଛି। ଲାଗୁଛି କେତେବେଳେ ବି ବର୍ଷା ହୋଇପାରେ।
ସେପଟେ ମହାନଦୀର ଜଳସ୍ତର ଗତକାଲିଠୁ ବଢ଼ିବାରେ ଲାଗିଛି। ଅନ୍ୟପଟେ ତଳିଆ ଅଞ୍ଚଳରେ ଜମି ରହିଥିବା ଜଳ ଧିରେ ଧିରେ କମିବାରେ ଲାଗିଛି। ବର୍ଷା କମିଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଚାଲୁଥିବା ବନ୍ୟାପାଣି ମଧ୍ୟ ସ୍ୱଭାବିକ ହୋଇଥିବା ଦେଖିବାକୁ ମିଳିଛି। ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ପଞ୍ଚାୟତ ଖଇରମାଲ ବ୍ରିଜ ଉପରେ ଦେଢ଼ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି। ଯେଉଁଥିପାଇଁ ଲୋକେ ବିପଦଜନକ ଅବସ୍ଥାରେ କାର, ବାଇକ ଓ ସାଇକେଲରେ ଯିବା ଆସିବା କରୁଛନ୍ତି।
ଏପରିକି ଏଇ ବ୍ରିଜ ଦେଇ ବିଭିନ୍ନ ପଞ୍ଚାୟତର ଲୋକେ ନିତିଦିନ ଯାତାୟାତ କରୁଥିବା ବେଳେ ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜକୁ ପାଠପଢିବାକୁ ଯାଇଥାନ୍ତି। ତେବେ ଏହା ଏକ ପୁରୁଣା ବ୍ରିଜ ହୋଇଥିବାରୁ ନୂତନ ବ୍ରିଜ ନିର୍ମାଣ କରିବାକୁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।