Rivers Dry Up in Peak Monsoon Month: ଆଷାଢ଼ରେ ଶୁଖିଲା ପଡ଼ିଛି ଓଡ଼ିଶାର ନଦୀ, ବର୍ଷା ଦିନେ ନଦୀର ନିସ୍ତେଜ ଅବସ୍ଥା
ମରୁଭୂମି ଭଳି ଦିଶୁଛି ଓଡ଼ିଶାର ଜବନରେଖା ମହାନଦୀର। ଏବେ ଜୁଲାଇ ମାସ... ଯେଉଁ ସମୟରେ ନଦୀର ଗର୍ଜନ ଶୁଣିବା କଥା... ସେଠି ଶୁଣାଯାଉଛି କେବଳ ପବନର ଶବ୍ଦ। ଯେଉଁଠି ବନ୍ୟାର ଭୟ ଥିଲା... ସେଠି ଆଜି ବାଲିର ସାମ୍ରାଜ୍ୟ। ମୌସୁମୀ ଋତୁରେ ମହାନଦୀର ଏଭଳି ଅବସ୍ଥା ଦେଖିଲେ ବିଶ୍ୱାସ ହେଉନି। ଯେଉଁଆଡେ ଆଖି ବୁଲାଇବେ ଦିଶୁଛି ଖାଲି ବାଲି ଆଉ ବାଲି। ଦୂର ଦୂର ପର୍ଯ୍ୟନ୍ତ ପାଣିର ଚିହ୍ନ ନାହିଁ। ଲାଗୁଛି ଯେମିତି ନଦୀ ନୁହେଁ, ଇଏ ମରୁଭୂମି।
ଯେଉଁ ନଦୀ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେଖା, ଆଜି ସିଏ ଜୀବନ ପାଇଁ ସଂଘର୍ଷ କରୁଛି। କମ୍ ବର୍ଷା, ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ଯୋଗୁଁ ହୀରାକୁଦ ତଳମୁଣ୍ଡରେ ଶୁଖିଲା ପଡ଼ିଛି ନଦୀ। ଏହାର ସିଧା ପ୍ରଭାବ ପଡ଼ିଛି ଚାଷ, ମାଛ, ପାନୀୟ ଜଳ ଓ ଗ୍ରାମୀଣ ଅର୍ଥନୀତି ଉପରେ। ଡଙ୍ଗା ଆଉ ନଦୀରେ ଭାସୁନି, କୂଳରେ ବନ୍ଧା ପଡ଼ିଛି। ଜାଲ ପକାଇଲେ ମାଛ ନୁହେଁ, ମିଳୁଛି ହତାଶା। ...
ଏ କେବଳ ମହାନଦୀର କାହାଣୀ ନୁହେଁ। ଉତ୍ତର ଓଡ଼ିଶାର ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ସ୍ବର୍ଣ୍ଣ ନଦୀ ସବୁଠି ସମାନ ଦୃଶ୍ୟ। ଜୁଲାଇରେ ଯେଉଁ ସୁବର୍ଣ୍ଣରେଖା ବନ୍ୟାର ଚେତାବନୀ ଦେଉଥିଲା, ସେଇ ନଦୀ ଆଜି ଗୋଚର ଜମି ପରି ଦିଶୁଛି। ବାଲେଶ୍ୱରରେ ଏବର୍ଷ ବର୍ଷାର ଚିତ୍ର ଆହୁରି ଚିନ୍ତାଜନକ। ଗତବର୍ଷ ଜୁନ୍ ଶେଷ ସୁଦ୍ଧା ୨୮୩ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା।
ଏ ବର୍ଷ ବର୍ଷା ପରିମାଣ ମାତ୍ର ୫୪ ମିଲିମିଟରକୁ ଖସିଛି। ନଦୀ ଶଯ୍ୟା ଏବେ ଗୋଚର ଜମି ପାଲଟି ଯାଇଛି। ବର୍ଷା ନ ହେବାରୁ ନଦୀର ଜଳସ୍ତର ନାହିଁ କହିଲେ ଚଳେ। ବୁଢ଼ାବଳଙ୍ଗ ଓ ସ୍ୱର୍ଣ୍ଣ ନଦୀର ବି ସମାନ ଚିତ୍ର। ଚାଷୀ ନଦୀ ଗର୍ଭକୁ ଚାହିଁ ହତାଶ। ଶୁଖିଲା ପଡିଛି ଚାଷ ଜମି। ଜଳସେଚନ ପାଇଁ ଲାଗିଥିବା ମୋଟର ଥମିଯାଇଛି। ଚାଷ ବାସ ପ୍ରଭାବିତ ହେଉଥିବା ବେଳେ ପରିବାର ଚଳାଇବା ଚିନ୍ତା ବଢ଼ିଲାଣି।
ଏବର୍ଷ ମୌସୁମୀ ବର୍ଷା ଉପରେ ଏଲିନୋ ପ୍ରଭାବ ରହିବ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ। ଏବେ ନଦୀର ଶୁଖିଲା ଅବସ୍ଥା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ନଦୀ ଜଳ ଉପରେ ନିର୍ଭର କରୁଥିବା ଜିଲ୍ଲାବାସୀ ଏବେ ଆକାଶକୁ ଚାହିଁ ବର୍ଷା ଅପେକ୍ଷାରେ। ପାଣି ନଥିଲେ ଚାଷ ନାହିଁ, ଫସଲ ନଫଳିଲେ ଆୟ ହେବ କୁଆଡୁ। ଆଉ ଆୟ ନଥିଲେ କେମିତି ଚାଲିବ ଘର ? .....