Rising Mahanadi Water Levels: ଫୁଲୁଛି ମହାନଦୀ, ଉଛୁଳୁଛି ଶାଖାନଦୀ; ଘେରାବନ୍ଦୀ ଗାଁ ଗଣ୍ଡା… ଚିନ୍ତାରେ ଦିନ କାଟୁଛନ୍ତି ନଦୀକୂଳିଆ

Jul 31, 2026 - 20:42
Rising Mahanadi Water Levels: ଫୁଲୁଛି ମହାନଦୀ, ଉଛୁଳୁଛି ଶାଖାନଦୀ; ଘେରାବନ୍ଦୀ ଗାଁ ଗଣ୍ଡା… ଚିନ୍ତାରେ ଦିନ କାଟୁଛନ୍ତି ନଦୀକୂଳିଆ

ଉତ୍ତର ଓଡିଶା ଉବୁଟୁବୁ ହେବା ପରେ ଏବେ ମହାନଦୀରେ ବଡ଼ ଧରଣର ବନ୍ୟା ଆଶଙ୍କା। ହୀରାକୁଦରେ ୨୨ଟି ଗେଟ୍ ଖୋଲିବା ଯୋଗୁ ମହାନଦୀ ଓ ତାର ଶାଖାନଦୀ ଗୁଡିକ ଫୁଲିବାରେ ଲାଗିଛି। ଫଳରେ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗସିଂପୁର ଜିଲ୍ଲା ପାଇଁ ବନ୍ୟା ସତର୍କତା ଜାରି କରିଛନ୍ତି ରାଜ୍ୟ ସରକାର।ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଏହି ୫ ଜିଲ୍ଲାର ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଆସିବାକୁ କୁହାଯାଇଛି। ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି SRC। ଅନ୍ୟପଟେ ମହାନଦୀରେ ଏତେ ପାଣି ଆସୁଥିବା ଜାଣି ନଦୀକୂଳିଆ ଲୋକଙ୍କ ଡର ବଢ଼ିଯାଇଛି।

ଫୁଲୁଛି ମହାନଦୀ, ଉଛୁଳୁଛି ଶାଖାନଦୀ। ଘେରାବନ୍ଦୀ ଗାଁ, ଜଳବନ୍ଦୀର ଭୟ। ଆଉ ଚିନ୍ତାରେ ଦିନ କାଟୁଛନ୍ତି ନଦୀକୂଳିଆ ଲୋକେ। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରକୁଦ ଡ୍ୟାମର ୨୨ଟି ଗେଟ୍ ଖୋଲିବା ପରେ ଏପଟେ ମହାନଦୀ ଅବବାହିକାରେ ଥିବା ଲୋକଙ୍କ ଭିତରେ ବଢ଼ିଛି ଛାନିଆ। ହୀରାକୁଦ ଡ୍ୟାମ ଖୋଲିବା ପରେ ବୌଦ୍ଧ ହରଭଙ୍ଗା ବ୍ଲକରେ ମହାନଦୀ ୮୬.୩୫ ମିଟରରେ ପ୍ରାବାହିତ ହେଉଥିବା ବେଳେ ବିପଦ ସଙ୍କେତ ସ୍ତର ରହିଛି ୮୭.୮୦ ମିଟର। ମୁଣ୍ଡଳିରେ ୮ଲକ୍ଷ ୮୦ ହଜାର ୫୯୧ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତଠାରୁ ମାତ୍ର ଦେଢ଼ଫୁଟ ତଳେ ରହିଛି ପାଣି। 

ଆଜି ରାତି ସୁଦ୍ଧା ମୁଣ୍ଡଳି ଓ ନରାଜରେ ବନ୍ୟା ଜଳ ବିପଦ ସଙ୍କେତ ଟପିଯିବା ଆଶଙ୍କା କରାଯାଉଛି। ସେପଟେ ନରାଜରେ ଜଳସ୍ତର ୨୫.୮୫ ମିଟର ଥିବା ବେଳେ ୪ ଲକ୍ଷ ୩୪ ହଜାର ୯୫୨ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଯୋବ୍ରା ଆନିକଟରେ ମହାନଦୀରେ ସନ୍ଧ୍ୟା ସୁଦ୍ଧା ୩ ଲକ୍ଷ ୯୭ ହଜାର ୨୪ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିବା ବେଳେ ଜଳସ୍ତର ୨୧.୨୦ ମିଟର ରହିଛି। ମହାନଦୀରେ ବନ୍ୟାପାଣି ଯୋଗୁଁ ଧବଳେଶ୍ବର, ଭଟ୍ଟାରିକା ଓ ସିଂହନାଥ ପୀଠରେ ଆଜିଠାରୁ ବିଏନ୍ ଏସ୍ ୧୬୩ ଧାରା ଲାଗୁ କରାଯାଇଛି। 

କଟକ ଜିଲ୍ଲାର ତିଗିରିଆ, ବାଙ୍କି ବିଲିପଡ଼ା ଓସ୍ତପୁର ଅଞ୍ଚଳରେ ଘର ଚାରିପଟେ ବେକେ ପାଣି ହୋଇଥିବାରୁ ଛାତ ଉପରେ ମଞ୍ଚା ବାନ୍ଧି ରାତି କାଟିବାକୁ ଚାଲିଛି ପ୍ରସ୍ତୁତି। ଯଦିଓ ବନ୍ୟା ଏମାନଙ୍କ ପାଇଁ କିଛି ନୂଆ ନୁହେଁ ତଥାପି ଜୀବନ ବଞ୍ଚାଇବାକୁ ଆଗୁଆ ଅଣ୍ଟା ଭିଡିଛନ୍ତି ଏମାନେ। ସେପଟେ ଇଏ ହେଉଛି ଆଠଗଡ ତିଗିରିଆ ବାଉଳାଙ୍ଗ ଅଞ୍ଚଳର ଦୃଶ୍ୟ। କାଳେ କିଏ ଘାଇ କରି ଦେବ ସେଥିପାଇଁ ଢେର ସତର୍କ ରହିଛନ୍ତି। ଏପଟେ ହୁଳୁହୁଳା ପୋଲ ଉପରେ ୫ ଫୁଟ ପାଣି ଚାଲିବା ପରେ ବାଙ୍କୀ-ତିଗିରିଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। 

ମହାନଦୀ ସହିତ ସଂଲଗ୍ନ ପ୍ରମୁଖ ଶାଖାନଦୀ ଗୁଡକରେ ବି ଜଳ ପତ୍ତନ ବଢିବାରେ ଲାଗିଛି। ଫଳରେ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗସିଂପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଧିକ ଆଲର୍ଟ ପାଇଁ ପରାମର୍ଶ ଦିଆଯାଇଛି। ମହାନଦୀର ଶାଖା ଦେବୀ, ଚିତ୍ରୋତ୍ପଳା, ଲୁଣା ଓ ଦୟା ନଦୀରେ ବନ୍ୟା ଜଳ ବଢିବାରୁ ଜଗତସିଂହପୁର ଜିଲାର କୁଜଙ୍ଗ, ତିର୍ତ୍ତୋଲ, ବାଲିକୁଦା ଓ ନାଉଗାଁ ବ୍ଲକର 20ରୁ ଉର୍ଦ୍ଧ ଗାଁ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି। ନିଜେ ଜିଲ୍ଳାପାଳ ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତିର୍ତ୍ତୋଲ ମୁଣ୍ଡାସାହିରେ ଲୋକଙ୍କ ଘରେ ପାଣି ପଶିବାରୁ ଲୋକେ କେନାଲ ବନ୍ଧରେ ଆଶ୍ରୟ ନେଇଛନ୍ତି। ଗୃହପାଳିତ ପଶୁମାନଙ୍କୁ ନେଇ ଜରି ପାଲ ତଳେ ଆଶ୍ରୟ ନେଇଛନ୍ତି।... 

ଏପଟେ ପୁରୀ ଜିଲ୍ଲାର ନିମାପଡ଼ା, କାକଟପୁର ଅଞ୍ଚଳରେ ବି ସମାନ ସ୍ଥିତି। ଅସ୍ତରଙ୍ଗର ବାଉରିଆକଣଠାରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି। ନିମାପଡ଼ାରେ କୁଶଭଦ୍ରା ନଦୀର ବନ୍ୟାଜଳରେ ହରିପୁର ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଦୟା, ରାଜୁଆ ନଦୀର ବନ୍ୟାଜଳ ଏବେ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଶହ ଶହ ହେକ୍ଟର ପରିବା ଓ ଧାନଚାଷ ଜଳମଗ୍ନ ହୋଇ ରହିଛି।...

ସ୍ପେଶାଲ ରିଲିଫ କମିଶନରଙ୍କ କହିବା ଅନୁଯାୟୀ ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳ ପତନ ବଢୁଛି। ହୀରାକୁଦରେ ୨୨୦ ଫୁଟ ପାଣି ଥିବା ବେଳେ ଅଧିକ ଗେଟ୍ ଖୋଲାଯାଇ ମହାନଦୀକୁ ଜଳ ନିଷ୍କାସନ ହେଉଛି। ଆହୁରି ଦେଢ଼ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଆବଶ୍ୟକ ପଡ଼ିଲେ ଆହୁରି ଗେଟ ଖୋଲାଯାଇପାରେ। ତେବେ ଏହା ଭିତରେ ଆସ୍ବସ୍ଥିକର କଥା ହେଉଛି ସେ ପାଣି ମୁଣ୍ଡୁଳିରେ ପହଁଚିଲା ବେଳକୁ 40 ଘଣ୍ଟା ସମୟ ଲାଗିବ। ତା ଭିତରେ ମୁଣ୍ଡୁଳିରେ ଥିବା ଅଧିକାଂଶ ବନ୍ୟା ଜଳ ନିଷ୍କାସନ ହୋଇ ଯାଇଥିବ। ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ କେବଳ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି। 

ଆସନ୍ତା ଦୁଇଦିନ ମଧ୍ୟରେ ଛତିଶଗଡ ଓ ଆଖପାଖ ଅଞ୍ଚଳରେ ବର୍ଷାର ବିଶେଷ ସମ୍ଭାବନା ନାହିଁ। ତେଣୁ ଏହି ସମୟ ମଧ୍ୟରେ ମହାନଦୀର ଜଳ ସ୍ତର କମିଯିବ ବୋଲି ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।