Rising Mahanadi Raises Flood Concerns: ମହାନଦୀରେ ଆସୁଛି ବନ୍ୟା ! ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଆଶଙ୍କା
ମହାନଦୀରେ ବଢ଼ୁଛି ପାଣି, ତଳିଆ ଅଞ୍ଚଳକୁ ବନ୍ୟା ଭୟ । ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। କହିଛନ୍ତି, ହୀରାକୁଦରେ ଏବେ ୨ଟି ଗେଟ୍ ଖୋଲା ରହିଥିବା ବେଳେ ଜଳସ୍ତର ୬୧୬ ଫୁଟ୍ ରହିଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବା ଆକଳନ କରାଯାଇଛି। ତେବେ ଏବେ ନଜର ମୁଣ୍ଡଳୀ ଉପରେ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୫୦ ହଜାରରୁ ୯ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ପହଞ୍ଚିପାରେ।
ଏତେ ପରିମାଣର ପାଣି ଆସିବା ପରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ତଳିଆ ଅଞ୍ଚଳରେ ପ୍ରଭାବ ପଡ଼ିବ। ବିଶେଷ କରି ଦୟା ଓ ମହାନଦୀର ତଳମୁଣ୍ଡରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ବନ୍ୟା ପାଣି ପଶିବା ଆଶଙ୍କାରେ ନିମାପଡ଼ା, କଣାସ, ଗୋପ ଓ ଅସ୍ତରଙ୍ଗ। ମହାନଦୀ ବ୍ୟବସ୍ଥାରେ ଜଳପ୍ରବାହ ବଢ଼ିଲେ ଏସବୁ ତଳିଆ ଅଞ୍ଚଳରେ ପାଣି ପଶିପାରେ। ତେଣୁ ଆଗାମୀ ସମୟରେ ଜଳସ୍ତର ଓ ଜଳପ୍ରବାହ ଉପରେ ନଜର ରହିଛି।
ସେପଟେ ବୈତରଣୀରେ ଏବେ ବି ବନ୍ୟା ସ୍ଥିତି ରହିଛି। ଯାଜପୁର, ଦଶରଥପୁର, ଧାମନଗର ଓ ଚାନ୍ଦବାଲିର ବିଭିନ୍ନ ଅଞ୍ଚଳକୁ ବନ୍ୟା ପାଣି ପଶିଛି। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ବୈତରଣୀର ଜଳସ୍ତର ଉପରେ ଲଗାତାର ନଜର ରଖାଯାଇଛି। ତେବେ ସାଳନ୍ଦୀରେ ଇନଫ୍ଲୋ ବା ଜଳପ୍ରବେଶ ପରିମାଣ କମିଛି। ଫଳରେ ଭଦ୍ରକରେ ବନ୍ୟା ସ୍ଥିତି ଆସନ୍ତାକାଲି ସୁଦ୍ଧା ସୁଧୁରିବ ବୋଲି ଆଶା କରାଯାଉଛି। ପାଣି କମିବା ସହ ଜଳବନ୍ଦୀ ଅଞ୍ଚଳର ସ୍ଥିତି ମଧ୍ୟ ଧୀରେ ଧୀରେ ସ୍ୱାଭାବିକ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।