Relationship: ସଂପର୍କ ପାଇଁ ସମ୍ମାନ ଖୁବ୍‌ ଜରୁରି

Jul 20, 2026 - 08:54
Relationship: ସଂପର୍କ ପାଇଁ ସମ୍ମାନ ଖୁବ୍‌ ଜରୁରି

"ଅଧିକାଂଶ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି ବୋଲି ସ୍ବୀକାର କରାଯାଏ।

ପ୍ରାୟତଃ ସେ ତାଙ୍କର ପତ୍ନୀ ହୋଇଥା"ନ୍ତି।

ଠିକ୍‌ ସେମିତି ଅନେକ ସମୟରେ ଆଢୁଆଳରେ ରହିଯାଆନ୍ତି ସଫଳ ନାରୀଜଣଙ୍କୁ ସହଯୋଗର ହାତ ବଢ଼େଇଥିବା ପୁରୁଷଜଣକ।

ସେ ବି ହୋଇପାରନ୍ତି ତାଙ୍କର ଜୀବନସାଥୀ।

ଚମତ୍କାର କବିତା ଲେଖୁଥିବା ସ୍ବପ୍ନା ମିଶ୍ର ଗଳ୍ପ ଓ ଉପନ୍ୟାସ ଲେଖିବାରେ ମଧ୍ୟ ବେଶ୍‌ ଧୁରୀଣ।

ନାରୀ ମନସ୍ତତ୍ତ୍ବର ହେଉ ବା ବିବିଧ ସାମାଜିକ ପ୍ରସଙ୍ଗ, ତାଙ୍କ ଲେଖନୀ ସବୁବେଳେ ମୁଖର।

ସ୍ବାମୀ ଇଂ.

ଦିଲୀପ ରାଉତ ତାଙ୍କର ପ୍ରଶାସନିକ ବ୍ୟସ୍ତତା ଭିତରେ ବି ସମୟ କାଢ଼ି ସ୍ବପ୍ନାଙ୍କ ସହିତ ଅନେକ ସାରସ୍ବତ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି।

ସେମାନଙ୍କ ସୁଖି ଦାମ୍ପତ୍ୟର କଥା ପତ୍ନୀ ସ୍ବପ୍ନାଙ୍କ ସୌଜନ୍ୟରୁ...Advertisment କାଗଜ, ଶବ୍ଦ ଓ ଅକ୍ଷର ଥିଲା ସଂପର୍କର ମୂଳଦୁଆ।

୧୯୯୦ ମସିହା ବେଳକୁ ଖବରକାଗଜ, ସାପ୍ତାହିକ ଆଦିରେ ଢେର୍‌ କବିତା ବାହାରୁଥିଲା ମୋର।

ଛୋଟ ଛୋଟ କବିତା।

ନିର୍ମଳ ଆବେଗରେ ଭରା କେବଳ।

କବିତା ତଳେ ମୋର ଠିକଣା ଥିଲା ‌ନବକଳେବର ରୋଡ୍‌, ପୁରୀ-୨।

ସେତେବେଳେ କବିତା ବାହାରିଲେ କବିତା ପଢ଼ି ଲେଖକୁ କେହି କେହି ଚିଠି ଲେଖୁଥିଲେ।

ମୋ ପାଖକୁ ବି ସେମିତି ଚିଠି ଆସୁଥିଲା।

ଜଣଙ୍କ ପାଖରୁ ପ୍ରାୟ କବିତା ପାଇଁ ଭଲ ମତାମତ ଥାଇ ଚିଠି ମୁଁ ପାଉଥିଲି।

ପ୍ରେରକ‌ର ଠିକଣା ଥିଲା- ଇନ୍ଦ୍ରାବତୀ ପ୍ରୋଜେକ୍ଟ, ମୁଖିଗୁଡ଼ା, କଳାହାଣ୍ଡି।

ପ୍ରେରକ ଥିଲେ ଦିଲୀପ ରାଉତ।

ତାଙ୍କର ବି ସେତେବେଳେ କିଛି କିଛି କବିତା ବାହାରୁଥିଲା।

ଆଉ ମୋ କବିତାଠାରୁ ତାଙ୍କ କବିତା ନିଶ୍ଚୟ ଭଲ ଥିଲା।

ଦେଖାଚାହାଁ ନ ଥିଲା, ଫୋନ୍‌ ନ ଥିବା ଯୋଗୁଁ କଥାବାର୍ତ୍ତାର ସୁଯୋଗ ନ ଥିଲା।

କେବଳ କବିତା ମାଧ୍ୟମରେ ଚିଠିରେ ଚିଠିରେ ୧୯୯୨-୯୩ ଯାଏ ସଂପର୍କ ଜାରି ରହିଥିଲା।

୧୯୮୪ ବେଳକୁ ପୁରୀ ରାମକୃଷ୍ଣ ମିଶନ୍‌ ଲାଇବ୍ରେରିରେ ପ୍ରଥମ ସାକ୍ଷାତ।

ସାକ୍ଷାତ ପୂର୍ବରୁ ସେ ସେହି ଚିଠିରେ ହିଁ ସଂକେତ ଦେଇସାରିଥିଲେ ଯେ ଚାହିଲେ ଆମେ ଏକାଠି ଜୀବନ ଆରମ୍ଭ କରିପାରିବା ଓ ସୁଖୀ ହୋଇପାରିବା।

ଭଦ୍ର, ଶାନ୍ତ ଓ ଶିକ୍ଷିତ ପୁଣି କବିତାକୁ ଭଲପାଉଥିବା ମଣିଷ ଯେହେତୁ ତେଣୁ ମୋର ଆଉ ଅଧିକ ବା କ"ଣ ସେତେବେଳେ ଦରକାର ଥିଲା?

ଏମିତିବି ଭଲପାଇବା ଟିକେ ପାଇଁ ମୁଁ ସବୁବେଳେ ବିକଳ।

ଚିଠି ଓ କବିତା ‌ଭଲପାଇବାର ମଞ୍ଜି ବୁଣି କେତେକେତେ ଯେ ଫୁଲ ଫୁଟେଇ ଚାଲିଥିଲା।

ତା"ରି ଭିତରେ ପରସ୍ପରର କ୍ୟାରିୟର୍‌, ଚାକିରି, ପରିବାର ଲୋକଙ୍କୁ ମନେଇବା ଇତ୍ୟାଦି ଇତ୍ୟାଦି।

୧୯୯୬ ଡିସେମ୍ବରରେ ବାହାଘର ଓ ତା"ପରେ ଜଞ୍ଜାଳଗ୍ରସ୍ତ ଜୀବନ।

ତା"ରି ଭିତରେ ମାନ ଅଭିମାନ, ଅଭିଯୋଗ, କାଠିକୁଟା ଯୋଗାଡ଼, କବିତା ପାଇଁ ଶବ୍ଦ ଖୁଣ୍ଟିବାର ସଂଘର୍ଷ ଭିତରେ ବିତିଗଲାଣି ପାଖାପାଖି ପ୍ରାୟ ୩୦ ବର୍ଷ।

ଜାତି, ଜାତକ, ଯୌତୁକ ବାହାରେ କେବଳ ପ୍ରେମ ଓ ସାହିତ୍ୟକୁ ନେଇ ଥିଲା ଆମ ବାହାଘର।

ଭଲପାଇବା ଥିଲେ ସବୁ ସମ୍ଭବ- ଏ ବିଶ୍ବାସଟି ଏ ଭିତରେ ଆସ୍ଥାରେ ପରିଣତ ହୋଇସାରିଛି।

Punascha Pruthibi: ବନ ସୁରକ୍ଷାରେ ବ୍ରତୀ ଲାଲୁ ଶବର ସେ ନିଜେ କାର୍ଯ୍ୟବ୍ୟସ୍ତ ରହି ଲେଖାଲେଖିଠାରୁ ଦୂରରେ ରହିଲେ ବି ମୁଁ ନ ଲେଖିପାରିଲେ ବ୍ୟସ୍ତ ହୁଅନ୍ତି।

ମୁଁ ଅଯଥା ସମୟ ନଷ୍ଟ କଲେ ବିରକ୍ତ ହୁଅନ୍ତି, ମୋ ପାଇଁ ବହି ମଗାନ୍ତି।

କାଗଜ, କଲମ, ପତ୍ରିକା ଯାହା ମୋର ଦରକାର ମୁଁ କେବଳ ତାଙ୍କୁ ଜଣେଇଦିଏ।

ସେ ଲେଖୁନାହାନ୍ତି ବୋଲି ମୁଁ ବି ବେଳେବେଳେ ତାଙ୍କ ସହ ଝଗଡ଼ା କରେ।

ରିଟାୟାର୍‌ମେଣ୍ଟ୍‌ ପରେ ସେ ଲେଖିବେ ବୋଲି ମତେ ପ୍ରତିଶ୍ରୁତି ଦେଇଛନ୍ତି।

ସେ ଧୈର୍ଯ୍ୟବାନ୍‌, ସହନଶୀଳ ଓ ଦକ୍ଷ ଯନ୍ତ୍ରୀ ହେଲାବେଳେ ମୁଁ ଅସ୍ଥିର, ବେହିସାବୀ ଆବେଗପ୍ରବଣ, ନିପଟୁ ଗୃହିଣୀ।

ତେବେ ଜାଣିସାରିଛୁ ସୁଖରେ ବଞ୍ଚିବା ପାଇଁ ବେଶିକିଛି ଆବଶ୍ୟକ ନାହିଁ।

ପରସ୍ପର ପ୍ରତି ସମ୍ମାନ ଓ ଭଲପାଇବା ଏବେ ବି ସେଇ କାଗଜ ଉପରେ ସଜଉଛି ଅକ୍ଷର ଓ ଲେଖାହେଉଛି ନୂଆ ନୂଆ କବିତା।

ସଂପର୍କ ପାଇଁ ସମ୍ମାନ ଖୁବ୍‌ ଜରୁରୀ।

ପୁଅ ଯେଉଁଦିନ କହିଲା "ମାମା, ତୁ ଲେଖୁ ବୋଲି ପାପା ତତେ ରେସ୍‌ପେକ୍ଟ୍‌ ଦିଅନ୍ତି"।

ସେଦିନ ଖୁବ୍‌ ଭଲ ଲାଗିଥିଲା ଏଇଥିପାଇଁ ଯେ ଅନ୍ତତଃ ପୁଅ ତା" ଜୀବନରେ ଆସୁଥିବା ନାରୀମାନଙ୍କୁ ସମ୍ମାନ ଦେଇପାରିବା ତା" ପାପାଙ୍କଠାରୁ ଶିଖିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।