Rebel TMC MPs Meet Lok Sabha Speaker: ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ୨୦ ବିଦ୍ରୋହୀ ସାଂସଦ, ଅଭିଷେକ ବାନାର୍ଜୀଙ୍କ ବଡ ଦାବି
ଟିଏମସିରେ ମହାବିଦ୍ରୋହ। ଦିଦିଙ୍କୁ ବଡ଼ ଝଟକା । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଲେ ବିଦ୍ରୋହୀ ସାଂସଦ । ନୂଆ ଦଳ ସହ ମିଶ୍ରଣ ନେଇ ଦେଲେ ଚିଠି । ତୃଣମୂଳ କଂଗ୍ରେସ ବା TMC ଭିତରେ ଚାଲିଥିବା ରାଜନୈତିକ ସଙ୍କଟ ବଡ଼ ମୋଡ଼ ନେଇଛି। ବରିଷ୍ଠ ସାଂସଦ ଡାକ୍ତର କାକୋଲି ଘୋଷ ଦସ୍ତିଦାରଙ୍କ ନେତୃତ୍ବରେ ୨୦ ଜଣ ଟିଏମସି ସାଂସଦ ବାଚସ୍ପତି ଓମ ବିର୍ଲାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ଭେଟି ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବାଚସ୍ପତିଙ୍କୁ ଦିଆଯାଇଥିବା ଚିଠିରେ ୨୦ ଜଣ ସାଂସଦ ସଂସଦରେ ସେମାନଙ୍କ ପାଇଁ ଅଲଗା ଆସନ ବ୍ୟବସ୍ଥା କରିବାକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଛନ୍ତି। ଆଲୋଚନା ପରେ କାକୋଲି ଘୋଷ ଦସ୍ତିଦାର ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ସେମାନେ ତ୍ରିପୁରା- ଆଧାରିତ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ବା NCP ସହିତ ନିଜ ଗୋଷ୍ଠୀର ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଦ୍ରୋହୀ ଶିବିର ଦାବି କରିଛି ଯେ ସେମାନଙ୍କ ସହ ଲୋକସଭାର ମୋଟ ଟିଏମସି ସଦସ୍ୟଙ୍କ ଦୁଇ-ତୃତୀୟାଂଶରୁ ଅଧିକ ସାଂସଦ ଅଛନ୍ତି।
ତେଣୁ ସମ୍ବିଧାନର ୧୦ମ ଅନୁସୂଚୀ ଅନୁଯାୟୀ ସେମାନଙ୍କ ସଦସ୍ୟତା ରଦ୍ଦ ହେବ ନାହିଁ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ NDA ସରକାର ସହ ମିଶି କାମ କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ୟୁସୁଫ୍ ପଠାନ, ରଚନା ବାନାର୍ଜୀ, ସାୟନ ଘୋଷଙ୍କ ସମେତ ମମତା ବାନାର୍ଜୀଙ୍କ ଅତି ନିକଟତର କୁହାଯାଉଥିବା ଲୋକସଭାର ପୂର୍ବତନ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ବିଦ୍ରୋହୀ କ୍ୟାମ୍ପରେ ଯୋଗ ଦେଇ ବାଚସ୍ପତିଙ୍କ ବୈଠକରେ ଉପସ୍ଥିତ ଥିଲେ। ସେପଟେ ମମତା ବାନାର୍ଜୀଙ୍କ କ୍ୟାମ୍ପ ମଧ୍ୟ ସକ୍ରିୟ ହୋଇଉଠିଛି। ବାଚସ୍ପତିଙ୍କୁ ଚିଠି ଲେଖି ଦଳ ପକ୍ଷରୁ କୁହାଯାଇଛି ଯେ ବିଦ୍ରୋହୀ ସାଂସଦମାନଙ୍କ ଦାବି ବେଆଇନ ଏବଂ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୂଳ ଟିଏମସି ଦଳକୁ ଶୁଣାଣିର ସୁଯୋଗ ଦିଆଯାଉ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।