Rath Yatra: ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ଗଡ଼ିଲା ଶ୍ରୀ ଦଧିବାମନଙ୍କ ନନ୍ଦିଘୋଷ

Jul 16, 2026 - 23:09
Rath Yatra: ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ଗଡ଼ିଲା ଶ୍ରୀ ଦଧିବାମନଙ୍କ ନନ୍ଦିଘୋଷ

"ଭଟଲି: ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ଭଟଲି ଶ୍ରୀଦଧିବାମନ ଧାମରେ ପ୍ରସିଦ୍ଧ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଜଗତର କର୍ତ୍ତା ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଛାଡ଼ି ରଥାଋଢ଼ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି।

ଏଥିପାଇଁ ଆଜି ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ତଥା ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି, ମଙ୍ଗଳପ୍ରଦୀପ, ସୂର୍ଯ୍ୟପୂଜା, ଅବକାଶ ନୀତି, ମଇଲମ ଓ ବେଶ ପରିବର୍ତ୍ତନ, ଗୋପାଲବଲ୍ଲଭ ଭୋଗ ଲାଗି, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଲଧୂପ ଅନୁଷ୍ଠିତ ହେବାପରେ ପ୍ରଭୁଙ୍କ ସାହାଣମେଲା ଅନୁଷ୍ଠିତ ହୋଇଥିଲା।

Advertisment ପୁରୋହିତମାନଙ୍କ କରଦୋଳିରେ ଝୁଲିଝୁଲି ଶ୍ରୀମନ୍ଦିରରୁ ମହାପ୍ରଭୁ ରଥ ନିକଟକୁ ପହଣ୍ଡି ହୋଇ ଆସିଥିଲେ।

ପହଣ୍ଡି ପୂଜା ପରେ ମଙ୍ଗଳାର୍ପଣ ଶେଷ ହେବାସହ ଭଟଲି ଗୌନ୍ତିଆଙ୍କ ଦ୍ୱାରା ଛେରାପହରା ଆରମ୍ଭ କରାଯାଇଥିଲା।

ପରେ ମହାପ୍ରଭୁ ଶ୍ରୀଦଧିବାମନ ରଥାରୂଢ଼ ହୋଇଥିଲେ।

ପ୍ରଭୁ ଶ୍ରୀଦଧିବାମନ ରଥାରୋହଣ ହେବାପରେ ତାଙ୍କୁ ରଥରେ ବେଶ କରାଯାଇ ପୂଜାପାଠ ସହ ମଙ୍ଗଳ ଆଳତୀ କରାଯାଇଥିଲା।

ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ତତ୍ତ୍ୱାବଧାନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଭୁ ଶ୍ରୀଦଧିବାମନଙ୍କ ରଥଟଣା ଆରମ୍ଭ ହୋଇଥିଲା।

ଶ୍ରଦ୍ଧାଳୁ ଭକ୍ତଙ୍କ ହୁଳହୁଳି, ହରିବୋଲ, ଘଣ୍ଟ, ଶଙ୍ଖ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା।

ଭକ୍ତମାନେ ଛତ୍ର, ଚନ୍ଦ୍ରାତାପ, ଆଲଟ, ଚାମର ଧରି ପ୍ରଭୁଙ୍କ ସେବାରେ ଲାଗିପଡ଼ିଥିଲେ।

ଆଜି ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ମହାପ୍ରଭୁ ବନ୍ଧା ପଡ଼ିଥିବା ପରି ମନେ ହେଉଥିଲା।

ଏହାସହ ରଥରେ ଘୋଡ଼ା ଯଚାହୋଇ ଡାହୁକ(ସାରଥୀ) ତାଙ୍କର ଗୀତ ବୋଳିବା ପରେ ରଥ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା।

ପ୍ରଭୁଙ୍କ ସମ୍ମୁଖରେ ଅନେକ ସଂକୀର୍ତ୍ତନ ଦଳ, ବ୍ୟାଣ୍ଡ୍‌ବାଜା ପାର୍ଟି ପ୍ରମୁଖ ନିଜ ନିଜର କଳା ପ୍ରଦର୍ଶନ ପୂର୍ବକ ମହାପ୍ରଭୁଙ୍କୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ରଥଟାଣି ନେଇଥିଲେ।

ପ୍ରବଳ ବର୍ଷା ସତ୍ତ୍ୱେ ନବଜନ୍ମିତ ଶିଶୁମାନଙ୍କୁ ପରମ୍ପରା ଅନୁଯାୟୀ ରଥଛୁଆଁ ଯାଇଥିଲା।

ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପରିମାଣର ପୁଲିସ କର୍ଡ଼ନ ମଧ୍ୟରେ ରଥଟଣା ହୋଇଥିଲା।

ପଡ଼ିଆରେ ରଥ ପହଞ୍ଚିବା ପରେ ରଥ ଉପରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କ ମଙ୍ଗଳ ଆଳତୀ କରାଯାଇଥିଲା।

ରଥାରୂଢ଼ ଦଧିବାମନଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ଥିବାରୁ ପଶ୍ଚିମ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ରାୟଗଡ଼, ରାୟପୁର, ବିଳାସପୁର, ବସନା, ଭିଲାଇ ଓ ମଧ୍ୟପ୍ରଦେଶ ଆଦି ସ୍ଥାନରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

ଭଟଲିରେ ରଥାଋଢ଼ ଦଧିବାମନଙ୍କୁ ନବଜାତ ଶିଶୁମାନଙ୍କୁ ରଥ ଛୁଆଁଇବା ହେଉଛି ଏହି ରଥଯାତ୍ରର ଏକ ଅନନ୍ୟ ପରମ୍ପରା।

ଏଥିପାଇଁ ପ୍ରଭୁ ରଥାଋଢ଼ ହେବାପରେ ଶତାଧିକ ଶିଶୁଙ୍କୁ ରଥଛୁଆଁ ଯାଇଥିଲା।

ପ୍ରଭୁ ଦଧିବାମନ ଜଗନ୍ନାଥଙ୍କ ବାଲ୍ୟ ଅବତାର ହୋଇଥିବା ଯୋଗୁ ନବଜାତ ଶିଶୁମାନଙ୍କୁ ଅନ୍ନପ୍ରାସନ୍ନ ପରେ ତାଙ୍କୁ ସ୍ପର୍ଶ କଲେ ରୋଗବ୍ୟାଧିରୁ ମୁକ୍ତି ମିଳିବା ସହିତ ଆୟୁଷ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ରଥଯାତ୍ରାକୁ ଆହୁରି ଆକର୍ଷଣୀୟ କରିବାକୁ ନରେନ୍ଦ୍ର ପଣ୍ଡା ଓ ଶ୍ରୀକାନ୍ତ ଶତପଥି ଧାରା ବିବରଣୀ ଏବଂ କିଶୋର ବେହେରା ଭଜନ ପରିବେଷଣ କରିଥିଲେ।

ବରଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ରନାଥ ଶତପଥି, ଭଟଲି ଥାନାଧିକାରୀ ବିଭୂତି ଭୂଷଣ ଦଳେଇଙ୍କ ସମେତ ବିଭିନ୍ନ ଥାନାଧିକାରୀ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରିଥିଲେ।

ଭଟଲି ବିଡିଓ ପ୍ରମୋଦ ଚନ୍ଦ୍ର ମେହେର, ତହସିଲଦାର ରାମକୃଷ୍ଣ ମିଶ୍ର ପ୍ରମୁଖ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ରଥଯାତ୍ରା ପରିଚାଳନା ସ୍ଥିତି ପରଖିଥିଲେ।

ରଥ ଉପରେ ମହାପ୍ରଭୁଙ୍କୁ ଗଜାମୁଗ, ମିଶ୍ରି ଏବଂ ପଇଡ଼ ଭୋଗ ଲାଗି କରାଯାଇଥିଲା।

ବିଧାୟକ ଇରାଶିଷ ଆଚାର୍ଯ୍ୟ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଥାନା ଛକରେ ପୁରୋହିତମାନଙ୍କ ସହ ସପ୍ତଆଳତି ଦେଇଥିଲେ।

ଏହା ବ୍ୟତୀତ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ ରଥାରୂଢ଼ ଶ୍ରୀ ଦଧିବାମନଙ୍କୁ ଦର୍ଶନ କରିଥିଲେ।

ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସନ୍ଧ୍ୟା ୭ ଘଟିକାରେ ମାଉସୀମା" ମନ୍ଦିର ନିକଟରେ ପହଞ୍ଚିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।