Rath Yatra: ଆମେରିକାର ରୋଡସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ

Jul 20, 2026 - 15:03
Rath Yatra: ଆମେରିକାର ରୋଡସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ

"ରୋଡସ ଆଇଲ୍ୟାଣ୍ଡ: ଯୁକ୍ତରାଷ୍ଟ୍ର ଆମେରିକାର ରୋଡସ ଆଇଲ୍ୟାଣ୍ଡ ରାଜ୍ଯରେ ରଥଯାତ୍ରାଉତ୍ସବ ମହାସମାରୋହରେ ପାଳନ କରାଯାଇଛି।ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା।

ଏଠାରେ ସକାଳେ ମୁଖ୍ୟ ପୂଜାରୀ ଚନ୍ଦ୍ର ଶେଖରଙ୍କ ଦ୍ୱାରା ମଙ୍ଗଳ ଆରତୀ, ହୋମ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ତଥା ନୀତିକାନ୍ତି ଆଦି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା।

ରୋଡସ ଆଇଲ୍ୟାଣ୍ଡରେ ନବମ ଥର ପାଇଁ ଅନୁଷ୍ଠିତ ହେଉଥିବା ରଥଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ଶତାଧିକ ଭକ୍ତଗଣଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଅସୀମ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା।

Advertisment ଚଳିତବର୍ଷ ଘୋଷ ଯାତ୍ରାରେ ରୋଡସ ଆଇଲ୍ୟାଣ୍ଡର ଶ୍ରଦ୍ଧାଳୁମାନଙ୍କ ସହିତ ସୁଦୂର ପେନସିଲଭାନିଆ, ନିୟୁଜର୍ସି, କନେକ୍ଟିକଟ ଓ ମାସାଚ୍ୟୁଟସ ଆଦି ସ୍ଥାନରୁ ବହୁ ସଂଖ୍ୟାରେ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ, ସେମାନଙ୍କର ପରିବାରବର୍ଗ ଓ ବନ୍ଧୁ ପରିଜନଙ୍କ ସହିତ ଆସି ଭାଗ ନେଇଥିବାର ଲକ୍ଷ୍ୟ କରାଯାଇଥିଲା।

ଦିନ ସାଢେ଼ ୧୧ ଟାରେ ମନ୍ତ୍ରର ଗହଗହ ଉଚ୍ଚାରଣ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ତଥା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଘୋର ଘର୍ଘର ସ୍ୱର ଝଙ୍କାର ଦ୍ୱାରା ଗଗନ ପବନ ପ୍ରକମ୍ପିତ ହେବା ମଧ୍ୟରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।

ପ୍ରଥମେ ପ୍ରଭୁ ସୁଦର୍ଶନ, ତା'ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସେବାୟତ ଓ ସଙ୍ଗଠକମାନେ ସାହି ରୋଷଣୀ କରି ମନ୍ଦିର ସାମ୍ନାରେ ଦଣ୍ଡାୟମାନ ସୁନ୍ଦର, ସୁରମ୍ୟ ଓ ବିଭିନ୍ନ ରଙ୍ଗବେରଙ୍ଗ କପଡାରେ ସୁସଜ୍ଜିତ ନବ ନିର୍ମିତ ରଥ ଉପରକୁ ନେଇ ଆସୀନ କରାଯାଇଥିଲା।

ଏଠାରେ ମହିଳାମାନେ ଦେବୀ ସୁଭଦ୍ରାଙ୍କୁ ନଚେଇ ନଚେଇ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା।

ରାଜଶ୍ରୀ ପଣ୍ଡା, ରଞ୍ଜିତା ପରିଡା, ସୁଦୀପା ନାୟକ ଏବଂ ଶ୍ରଦ୍ଧା ନାୟକ ପ୍ରମୁଖ ଶ୍ରୀଜିଉମାନଙ୍କୁ ଓ ସେମାନଙ୍କ ରଥକୁ ଖୁବ ସୁନ୍ଦର ଭାବରେ ଫୁଲମାଳ ସହିତ ସଜାଇ ଥିଲେ।

ଶ୍ରୀ ସିଦ୍ଧି ବିନାୟକ ମନ୍ଦିରର ଅଧ୍ୟକ୍ଷ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ                                                      ଶ୍ରୀ ସିଦ୍ଧି ବିନାୟକ ମନ୍ଦିରର ଅଧ୍ୟକ୍ଷ ନାଗେସ କାମସାନି ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ଭଜନ, ଜଣାଣ ଓ କୀର୍ତ୍ତନର ତାଳେତାଳେ ଅପରାହ୍ନ ୧ଟା ବେଳେ ରଥଟଣା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ରଥଟିକୁ ସିଦ୍ଧିବିନାୟକ ମନ୍ଦିରର ଚତୁଃପାର୍ଶ୍ଵରେ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ଟଣା ଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା।

ୱାରୱିକର ରାଜରାସ୍ତାରେ ରାଜକୀୟ ଠାଣିରେ ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ଅପରୂପ ଓ ଅନୁପମ ରଥଟି ଗଡ଼ି ଗଡ଼ି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅବିସ୍ମରଣୀୟ ଥିଲା।

ଭକ୍ତ ଓ ଭଗବାନଙ୍କର ମିଳନର ଏହା ବିରଳ ଅବସର ଥିଲା।

ବିଶେଷ କରି ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରି ଭାରତୀୟ ଏବଂ ବିଦେଶୀ ଶ୍ରଦ୍ଧାଳୁମାନେ କୃତ କୃତ୍ୟ ହେଉଥିବା ନଜରକୁ ଆସିଥିଲା ।

ମନ୍ଦିରକୁ ଫେରିବା ପରେ ଦିଅଁମାନଙ୍କୁ ପୁରୀର ଆନନ୍ଦ ବଜାର ଶୈଳୀରେ ପ୍ରସ୍ତୁତ ସ୍ୱାଦିଷ୍ଟ ମହାପ୍ରସାଦ ଭୋଗ ଲଗାଯାଇଥିଲା।

ଏହି ଭୋଗକୁ ଆଗନ୍ତୁକମାନଙ୍କ ମଧ୍ୟରେ ପରେ ବିତରଣ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ମଧ୍ୟରେ ସନ୍ନି ମିଶ୍ର ଓ ପ୍ରଜ୍ଞା ବେହେରାଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ, ଅନ୍ୟରା ପଣ୍ଡା ଏବଂ ଅକାଂକ୍ଷା ପଟ୍ଟନାୟକଙ୍କ ଦ୍ବାରା ମର୍ମସ୍ପର୍ଶୀ ଓଡ଼ିଶୀ ନୃତ୍ୟ ପ୍ରସ୍ତୁତି,  ସୁକୃତି ଗୁପ୍ତାଙ୍କ ଦ୍ୱାରା ମନଲୋଭା କଥକ ନୃତ୍ୟ ପ୍ରଦର୍ଶନ ତଥା ଅକାଂକ୍ଷା ପଟ୍ଟନାୟକଙ୍କ ଦ୍ବାରା ଚଳନ୍ତି ରଥ ସମ୍ମୁଖରେ ସୁଲଳିତ ଜଣାଣ ଗାୟନ  ଆଦି ଅନ୍ତର୍ଭୁକ୍ତ ଥିଲା।ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୋମ୍ୟଶ୍ରୀ ଦାଶ ସୂଚାରୁ ରୂପେ ଉପସ୍ଥାପନା ଓ ସଂଯୋଜନା କରିଥିଲେ।

ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତିଙ୍କର ସାମଗ୍ରିକ ତତ୍ତ୍ଵାବଧାନରେ ଆୟୋଜିତ ରଥଯାତ୍ରା ଉତ୍ସବକୁ ବିପୁଳ ଭାବେ ସଫଳ କରାଇବାରେ ପଙ୍କଜ ପଣ୍ଡା, ବବିତା ମହାନ୍ତି, ମୁନମୁନ୍ ଦାସ, ମଣି ମହାପାତ୍ର, ଶୁଭ୍ରାଂଶୁ ମହାନ୍ତି, ସିମ୍ମୀ ମହାପାତ୍ର, ସରୋଜ ବେହେରା, ସୌରଭ ମିଶ୍ର, ସୋମ୍ୟଶ୍ରୀ ଦାଶ, ବିଶ୍ୱ ପଟ୍ଟନାୟକ, ଚନ୍ଦ୍ରଶେଖର ମହାନ୍ତି, ସନ୍ତୋଷ ବେହେରା, ଲୀନା ପଟ୍ଟନାୟକ, ସୁକାନ୍ତ ପାତ୍ର, କଳ୍ପନା ମହାନ୍ତି, କରୁଣା ମେହେଟ୍ଟା, ଦେବାଶିଷ ପଣ୍ଡା, ସ୍ୱରୂପାନନ୍ଦ ସ୍ୱାଇଁ, ମୌସୁମୀ ରାଉତ,ବିରଜା ଦାଶ ଏବଂ ବାସନ୍ତୀ ଦାଶ ପ୍ରମୁଖଙ୍କର ଭୂମିକା ବେଶ ଉଲ୍ଲେଖଯୋଗ୍ୟ ଥିଲା।

Rath Yatra: ସିଡନୀରେ ପାଳିତ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।