Rath Yatra In Rayagada: ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଭକ୍ତିଭାବ; ପାଳନ ହେଲା ଘୋଷଯାତ୍ରା
"ରାୟଗଡ଼ା (ଶିବ ପ୍ରସାଦ ଦୋରା): ଭକ୍ତି, ଭାବ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ଼ାରେ ଆଜି ମହାସମାରୋହରେ ରଥଯାତ୍ରା ପାଳିତ ହୋଇଯାଇଛି।
ସଙ୍କୀର୍ତ୍ତନ ମଣ୍ଡଳୀଙ୍କ "ଜୟ ଜଗନ୍ନାଥ" ଧ୍ୱନି ଓ ଘଣ୍ଟ, ଘଣ୍ଟାର ନାଦରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ହଜାର ହଜାର ଭକ୍ତଙ୍କ ସମାଗମରେ ରଥଯାତ୍ରା ଶାନ୍ତି, ଶୃଙ୍ଖଳା ଓ ଭକ୍ତିଭାବର ସହ ସମ୍ପନ୍ନ ହୋଇଥିଲା।
ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଦେବୋତ୍ତର ବିଭାଗ, ରାୟଗଡ଼ାର ଆନୁକୂଲ୍ୟରେ ବୈଦିକ ରୀତିନୀତି ଅନୁଯାୟୀ ଘୋଷଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
ପୂର୍ବାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା।
Advertisment ରାଜପୁରୋହିତ ବିରଞ୍ଚି ନାରାୟଣ ଦାସ ଛେରା ପହଁରା ନୀତି ସମ୍ପନ୍ନ କରିବା ପରେ ଅପରାହ୍ନ ୪ଟା ୧୫ ମିନିଟ୍ରେ ରଥଟଣା ଆରମ୍ଭ ହୋଇଥିଲା।
ଚଳିତ ବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ରଥର ଗୋଟିଏ ପାର୍ଶ୍ୱର ଦଉଡ଼ିକୁ ମହିଳାମାନେ ଏବଂ ଅନ୍ୟ ପାର୍ଶ୍ୱର ଦଉଡ଼ିକୁ ପୁରୁଷମାନେ ଟାଣିଥିଲେ।
ଭକ୍ତଙ୍କ ଉତ୍ସାହ ଓ ଭାବାବେଗ ମଧ୍ୟରେ ରଥ ସନ୍ଧ୍ୟା ପ୍ରାୟ ୬ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।
ଦିନସାରା ଝିପିଝିପି ବର୍ଷା ସତ୍ତ୍ୱେ ମଧ୍ୟ ଭକ୍ତଙ୍କ ଉତ୍ସାହରେ କୌଣସି ଭଟ୍ଟା ପଡ଼ିନଥିଲା।
ହଜାର ହଜାର ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ରଥଟଣାରେ ସାମିଲ ହୋଇ ପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ଲାଭ କରିଥିଲେ।
ଘୋଷଯାତ୍ରାରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ବିଧାୟକ ଆପଲାସ୍ୱାମୀ କାଡ୍ରାକା, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଡିଏଫଓ ସଚିନ ଆନ୍ନା ସାହେବ ଓହୋଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ରମେଶ ଜେନା, ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁ, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରଥଟଣାରେ ସାମିଲ ହୋଇଥିଲେ।
ଭକ୍ତଙ୍କ ବ୍ୟାପକ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ମୁଖ୍ୟ ବଜାରର ବିଭିନ୍ନ ରାସ୍ତାରେ ଯାନଚଳାଚଳକୁ ନିୟନ୍ତ୍ରଣ କରାଯାଇ କେବଳ ପଦାଚାରୀଙ୍କ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଥିଲା।
ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସମଗ୍ର ରଥଯାତ୍ରାର ପରିଚାଳନାରେ ନିୟୋଜିତ ଥିବାବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ପୋଲିସ ଅଧିକାରୀ ଓ ସିଆରପିଏଫ୍ ଯବାନମାନେ ଆଇନଶୃଙ୍ଖଳା ଉପରେ ସତର୍କ ନଜର ରଖିଥିଲେ।
ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭକ୍ତମାନଙ୍କ ପାଇଁ ପାନୀୟ ଜଳ, ଅନ୍ନପ୍ରସାଦ ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଇଥିଲା।
ବନ ବିଭାଗ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାରା ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଯାତ୍ରାର ଧାରାବିବରଣୀ ପ୍ରସାରଣ କରାଯାଇଥିଲା।
ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ଼ା ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତମାନେ ସମସ୍ତ ପୂଜାନୀତି ଓ ବିଧିବିଧାନ ସୁଚାରୁରୂପେ ସମ୍ପନ୍ନ କରିଥିଲେ।
ରାତି ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଜେ ନୀତି ସମ୍ପାଦନ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା।
ସେବାୟତଙ୍କ ମଧ୍ୟରେ ସୁନୀଲ ଚନ୍ଦ୍ର ପଣ୍ଡା,ସୁଧୀର ମିଶ୍ର, ପ୍ରଶାନ୍ତ ତ୍ରିପାଠୀ, କୈଳାସ ରଥ, ଗୋପୀନାଥ ପାଳ, ସୁନୀଲ ଚନ୍ଦ୍ର ପଣ୍ଡା, ଗୋପ ରଞ୍ଜନ ବକ୍ସିପାତ୍ର, ଅଜୟ ରଥ,ରଞନ ରଥ, ହରିଶ୍ଚନ୍ଦ୍ର ପାଢ଼ି, ରାମକୃଷ୍ଣ ପଣ୍ଡା, ଜଗନ୍ନାଥ ସାହୁ, ଗୋବିନ୍ଦ ରଥ, ନୀଳମାଧବ ପଣ୍ଡା, ସତ୍ୟନାରାୟଣ ପାଢ଼ି, ସୁଜିତ ପଣ୍ଡା, ସନ୍ତୋଷ ପାଢ଼ି, ହରିଶ୍ଚନ୍ଦ୍ର ଦାସ, ଆଶୁତୋଷ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଧାରା ବିବରଣୀ ପାଠ କାର୍ଯ୍ୟକ୍ରମରେ ବଶିଷ୍ଟ ଶିକ୍ଷାବିତ ଡ ଦୁଷ୍ମନ୍ତ କୁମାର ମାହାନ୍ତି,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ,ଅଧ୍ୟାପକ ଶ୍ରୀଧର ପଟନାୟକ, ବିମଳ ଚନ୍ଦ୍ର ପଟନାୟକ ପ୍ରମୁଖ ଉପସ୍ଥିତ ରହି ଧାରା ବିବରଣି ପ୍ରକାଶ କରିଥିଲେ ।
ତେଲୁଗୁ ମହିଳା ସମାଜ ପକ୍ଷରୁ ବିଷ୍ଣୁ ସହସ୍ର ନାମ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
୪୦ ହଜାରରୁ ଉର୍ଧ୍ବ ଭକ୍ତଙ୍କ ସମାବେଶ ହୋଇଥିଲା ।
ଏହି ଅବସରରେ ସୂଚନା ଲୋକ ସଂପର୍କ ବିଭାଗ ତରଫରୁ ଉତ୍କଳ ପ୍ରସଙ୍ଗ ବିକ୍ରୀ କରାଯାଇଥିଲା ।
ଗୁଡାରିରେ ଧୂମଧାମ ରେ ପାଳିତ ହେଲା ରଥଯାତ୍ରା ଗୁଡାରି ଠାରେ ଅନୁଷ୍ଠିତ ହୋଇଥିବା ପବିତ୍ର ରଥଯାତ୍ରାରେ ଚଳିତ ବର୍ଷ ପ୍ରବଳ ଭିଡ ଦେଖିବାକୁ ମିଳିଛି।
ସକାଳୁ ସକାଳୁ ଶ୍ରୀ ମନ୍ଦିରରେ ପୂଜା ଅର୍ଚନା କରାଯାଇ ଥିଲା l ସନ୍ଧ୍ୟା ୪ ଘଣ୍ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତ ଙ୍କୁ ପହଣ୍ଡି କରାଯାଇ ରଥରୁଡ଼ ହୋଇଥିଲେ l ପହଣ୍ଡି ସମୟରେ ଶଙ୍ଖନାଦ, କୀର୍ତ୍ତନ ହୁଳହୁଳି ରେ ପରିବେଶ ସମ୍ପୂର୍ଣ୍ଣ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲାl ଏହି ରଥଯାତ୍ରାରେ ଢେପାଗୁଡା ସଂକ୍ରିତନ ମଣ୍ଡଳୀ ଉପସ୍ଥିତ ରହି ଗୁରୁ ଦନାର୍ଦ୍ଧନ ଭଦ୍ରିକା ଙ୍କ ତତ୍ୱାବଧାନ ରେ ସଂକ୍ରିତନ କରାଯାଇଥିଲା l ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତଙ୍କ ବିରାଜ ମାନ ପରେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦିଲ୍ଲୀପ କୁମାର ସାହୁ ଛେରା ପଂହଁରା କରିବା ପରେ ରଥ ଟଣା ଯାଇଥିଲା lଗୁଡ଼ାରୀ ଶ୍ରୀ ମନ୍ଦିର ଠାରୁ ଗୁଣ୍ଡିଚା ବାଢ଼ି ପ୍ରାୟ ୧ କିମି ରାସ୍ତା ଅଙ୍କାବଙ୍କା ହୋଇଥିବାରୁ ରଥ ଟଣା କିଛି ଅସୁବିଧା ହୋଇଥିଲାl ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଥାନା ଅଧିକାରୀ ବିଶ୍ୱବନ୍ଧିନି ବାଗ ଙ୍କ ନେତୃତ୍ୱ ରେ ପୋଲିସ ବାହିନୀ ମୁତୟନ ହୋଇଥିଲେl ଗୁଡାରି ଅଞ୍ଚଳ ରେ ଗୋଟିଏ ସ୍ଥାନରେ ରଥଯାତ୍ରା ହୋଇଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।