28 JUNE 2026

Welcome!

Unlock your personalized experience.
Sign Up

Rath Yatra 2026: ଏଥର ଶୃଙ୍ଖଳିତ ରଥଯାତ୍ରା ପାଇଁ କଠୋର ହେଲା ପ୍ରଶାସନ, ରଥାରୂଢ଼ ଶ୍ରୀଜିଉଙ୍କ ଭୁଜ ଭିତରେ ଠିଆ ହେବା ମନା

Jun 28, 2026 - 10:37
Rath Yatra 2026: ଏଥର ଶୃଙ୍ଖଳିତ ରଥଯାତ୍ରା ପାଇଁ କଠୋର ହେଲା ପ୍ରଶାସନ, ରଥାରୂଢ଼ ଶ୍ରୀଜିଉଙ୍କ ଭୁଜ ଭିତରେ ଠିଆ ହେବା ମନା
  • ବିଜେ ଡୋରି ଠିକ୍ ଭାବେ ବାନ୍ଧିବା ବାଡ଼ଗ୍ରାହୀମାନଙ୍କ ଦାୟିତ୍ୱ
  • ଟାହିଆ ଭାଙ୍ଗିଲେ ଓ ଟାହିଆର ଅଂଶ ଧରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
  • ଘଷା ଜଳ ଯେପରି ରଥ ଚଟାଣ କିମ୍ବା ଚାରମାଳ ଉପରେ ନ ପଡ଼େ ବିଶେଷ ଧ୍ୟାନ ଦିଆଯିବ
  • ତାଳଧ୍ୱଜ ଶୋଧ ଦଳରେ ଏସ୍‌ପି, ନନ୍ଦିଘୋଷ ଦାୟିତ୍ୱରେ ଜିଲ୍ଲାପାଳ
  • ପ୍ରତି ରଥରେ ନିର୍ଦ୍ଧାରିତ ସଂଖ୍ୟକ ଘଣ୍ଟୁଆ ରହିବେ

ପୁରୀ, ୨୭/୦୬: ଶୃଙ୍ଖଳିତ ରଥଯାତ୍ରା ପାଇଁ କଠୋର ହୋଇଛି ପ୍ରଶାସନ । ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦିତ ବ୍ୟବସ୍ଥାବଳୀ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି । ବ୍ୟବସ୍ଥାବଳୀ ଅନୁଯାୟୀ, ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ପୂର୍ବରୁ ଶ୍ରୀଜିଉମାନଙ୍କ ବିଜେ ଡୋରି ଠିକ୍ ଢଙ୍ଗରେ ବନ୍ଧା ଯିବା ପାଇଁ ସଂପୃକ୍ତ ବାଡ଼ର ବାଡ଼ଗ୍ରାହୀ ଧ୍ୟାନ ଦେବେ । ପୂର୍ବ ଅଘଟଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି । ସେହିପରି କେବଳ ଆବଶ୍ୟକସଂଖ୍ୟକ ଅଭିଜ୍ଞ ଓ ଦାୟିତ୍ୱ ସମ୍ପନ୍ନ ସେବକ ପହଣ୍ଡିରେ ଭାଗ ନେବେ । ସମ୍ପୃକ୍ତ ଠାକୁରଙ୍କ ବାଡ଼ଗ୍ରାହୀ ଏଥିପ୍ରତି ଯତ୍ନବାନ ହେବେ ଓ ଶୃଙ୍ଖଳିତ ଭାବେ ପହଣ୍ଡି କରାଇବେ । ଦଇତାପତିମାନେ ଶ୍ରୀଅଙ୍ଗରକ୍ଷକ ସେବକ ହୋଇଥିବାରୁ ଟାହିଆ ସୁରକ୍ଷା କାର୍ଯ୍ୟ କରିବେ । ପ୍ରତିହାରୀ ସେବକ ଓ ଆରକ୍ଷୀ ବାହିନୀ ମଧ୍ୟ ଟାହିଆର ସୁରକ୍ଷା ପ୍ରତି ଯତ୍ନବାନ ହେବେ । ଶ୍ରୀଜିଉମାନେ ରଥ ଉପରକୁ ସମ୍ପୂର୍ଣ୍ଣ ଉଠିବା ପରେ ଟାହିଆ ଗୁଡ଼ିକ ସମ୍ମାନର ସହିତ ଖୋଲାଯିବ । ଟାହିଆ ଭାଙ୍ଗିଥୁବା ବ୍ୟକ୍ତି ଓ ଟାହିଆର ଅଂଶ ଧରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଶ୍ରୀଜିଉମାନଙ୍କ ରଥ ଉପରକୁ ପହଣ୍ଡି ବିଜେ ପୂର୍ବରୁ କିମ୍ବା ପହଣ୍ଡି ବିଜେ ସମୟରେ ଅରୁଣସ୍ତମ୍ଭ ଠାରୁ ସିଂହଦ୍ୱାର ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅବସ୍ଥାପିତ କ୍ୟାମେରା ବ୍ୟତୀତ ଅନ୍ୟ କୌଣସି କ୍ୟାମେରା ବ୍ୟବହାର କରାଯିବ ନାହିଁ । ଏତଦ୍ବ୍ୟତୀତ ଚାରମାଳ କିମ୍ବା ରଥ ଉପରକୁ କୌଣସି କ୍ୟାମେରା ବା ମୋବାଇଲ ଫୋନ୍ ନେବା ସଂପୂର୍ଣ୍ଣ ନିଷେଧ । ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଏହାର ଖିଲାପକାରୀଙ୍କ ଠାରୁ ତିକ୍ଷ୍ମ ନଜର କ୍ୟାମେରା ବା ମୋବାଇଲ୍ ଫୋନ୍ ଜବତ କରାଯିବ । ଏହି ଖିଲାପକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

ରଥ ଉପରେ ପହଣ୍ଡି ପୂର୍ବରୁ ଶ୍ରୀଜିଉମାନଙ୍କୁ ଲାଗି ହେଉଥିବା ଘଷା ଜଳ ଯେପରି ରଥ ଚଟାଣ କିମ୍ବା ଚାରମାଳ ଉପରେ ନ ପଡ଼େ ସେଥିପ୍ରତି ସେବକ ଓ ପ୍ରଶାସନ ଯତ୍ନବାନ ରହିବେ । ପାଦ ଖସିବା ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଆଯିବ । ପ୍ରତ୍ୟେକ ରଥ ପାଇଁ ପୃଥକ ପୃଥକ ଶୋଧ ଦଳ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠନ କରାଯିବ । ଏହି ଦଳମାନଙ୍କରେ ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ମନ୍ଦିର ପୁଲିସ, ମାଜିଷ୍ଟ୍ରେଟ ମୁତୟନ ରହିବେ। ତାଳଧ୍ୱଜ ରଥର ଶୋଧ ଦଳ ଦାୟିତ୍ୱରେ ଏସ୍ପି, ଓଏସ୍‌ଡ଼ି(ସୁରକ୍ଷା) ଓ ଉପଜିଲ୍ଲାପାଳ ରହିବେ । ଦେବଦଳନ ରଥର ଶୋଧ ଦଳ ଦାୟିତ୍ୱରେ ଅତିରିକ୍ତ ଜିଳ୍ଲାପାଳ, ଅତିରିକ୍ତ ଏସ୍ପି, ଶ୍ରୀମନ୍ଦିରର ଜଣେ ଅଧିକାରୀ ରହିବେ । ନନ୍ଦିଘୋଷ ରଥର ଶୋଧ ଦଳ ଦାୟିତ୍ୱରେ ପୁରୀ ଜିଲ୍ଲାପାଳ, ନୀତି ପ୍ରଶାସକ ଓ ଉପଆରକ୍ଷୀ ଅଧୀକ୍ଷକ ରହିବେ । ପ୍ରତି ରଥର ଚାଳମାଳ ତଳେ ଶୋଧଦଳ ମୁତୟନ ରହିବେ ଓ ଅନଧିକୃତ ବ୍ୟକ୍ତିଙ୍କୁ ରଥ ଉପରକୁ ଚଢ଼ିବାକୁ ଦେବେ ନାହିଁ ।

ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତକୁ  ଯେପରି ବଡ଼ଦାଣ୍ଡରେ ସମବେତ ଅଗଣିତ ଭକ୍ତ ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ସମସ୍ତେ ଅବାଧ ଦର୍ଶନ କରିପାରିବେ ସେଥିପ୍ରତି ସେବା ସମ୍ପୃକ୍ତ ସେବକମାନେ ଯତ୍ନବାନ ହେବେ । ଶ୍ରୀଜିଉମାନଙ୍କ ସମ୍ମୁଖ ଭାଗରେ ରହିବେ ନାହିଁ କିମ୍ବା ରଥର ଉଭୟ ପାଶ୍ୱର୍ ବାଡ଼ରେ କୌଣସି ସେବକ ଠିଆ ହୋଇ ରହିପାରିବେ ନାହିଁ । ରଥ ଉପରେ ରହି ମହାପ୍ରଭୁଙ୍କ ଓଲାଗି ଫୁଲ, ତୁଳସୀ ଫିଙ୍ଗିବେ ନାହିଁ ।

ପ୍ରତି ରଥରେ ନିର୍ଦ୍ଧାରିତ ସଂଖ୍ୟକ ପୁରୀ ଓ ଭଟିମୁଣ୍ଡା ଘଣ୍ଟୁଆ ରହିବେ । ତାଳଧ୍ୱଜ ଉପରେ ୧୪ ଜଣ, ଦେବଦଳନ ଉପରେ ୧୨ ଜଣ ଓ ନନ୍ଦିଘୋଷ ଉପରେ ୧୬ ଜଣ ଘଣ୍ଟୁଆ ରହିପାରିବେ । ଅଧିକ ସଂଖ୍ୟକ ଘଣ୍ଟୁଆ ରଥ ଉପରେ ଚଢ଼ିଲେ ଶ୍ରୀମନ୍ଦିର କର୍ମଚାରୀ, ଦଇତାପତି ଓ ବାଡ଼ଗ୍ରାହୀ ଓହ୍ଲାଇ ଦେବେ । ଛେରାପହଁରା ପରେ ରଥ ଉପରେ କେବଳ ରଥ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀମାନେ ରହିପାରିବେ । ଶ୍ରୀବଳଭଦ୍ରଙ୍କ ରଥ ଉପରେ ୬୦ ଜଣ, ସୁଭଦ୍ରାଙ୍କ ରଥ ଉପରେ ୫୦ ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ୭୦ ଜଣ ମଧ୍ୟରେ ରଥ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀମାନେ ରହିପାରିବେ ।

ଅଧିକ ପଢ଼ନ୍ତୁ :-  Snana Purnima: ସୋମବାର ଶ୍ରୀଜିଉଙ୍କ ସ୍ନାନଯାତ୍ରା, ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ ମହାବାହୁ, ୫ଟାରେ ପହଣ୍ଡି ନୀତି

ରଥର ଶୋଧଦଳ, ଦଇତାପତି ନିଯୋଗ ସଭାପତି, ସମ୍ପାଦକ ଓ ୪ ବାଡ଼ଗ୍ରାହୀ ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବେ । ୩ ରଥର ବାଡ଼ରେ କୌଣସି ସେବକ ବସିପାରିବେ ନାହିଁ, ଠିଆ ହୋଇ ପାରିବେ ନାହିଁ କିମ୍ବା ଫୁଲ ଇତ୍ୟାଦି ତଳକୁ ପକାଇବେ ନାହିଁ ।ରଥଟଣା ବେଳେ ରଥ ଉପରେ ଅନଧିକୃତ ବ୍ୟକ୍ତିଙ୍କୁ ବସାଇବା, ଥଣ୍ଡା ପାନୀୟ ଓ ଜଳ ବୋତଲରେ ପାନ କରିବା, କ୍ୟାମେରା ଓ ମୋବାଇଲ ଫୋନ୍ ବ୍ୟବହାର କରିବା ଓ ଠାକୁରଙ୍କ ଭୂଜ ମଧ୍ୟରେ ଦଇତାପତି ସେବକ ଠିଆ ହେବା ସମ୍ପୂର୍ଣ୍ଣ ନିଷେଧ । ଏହି ଦାୟିତ୍ୱ ଦଇତାପତି ନିଯୋଗ ସହ ନିୟୋଜିତ ଅଧିକାରୀମାନେ ଠିକ୍ ଭାବେ ସମ୍ପାଦନ କରିବେ ।