Ramatirtha Nature Camp : ଦୁଇ ବର୍ଷ ଧରି ବନ୍ଦ ପଡିଛି ରାମତୀର୍ଥ ନେଚର କ୍ୟାମ୍ପ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ
ବାରିପଦା, ୨୩/୦୭ (ସଞ୍ଜୟ ଚୌଧୁରୀ) : ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ଥିବା ରାମତୀର୍ଥ ନେଚର କ୍ୟାମ୍ପ ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ପଡିଛି। ଇକୋ ଟୁର୍ ଓଡ଼ିଶା ଡଟ୍ କମ୍ ୱେବ ସାଇଟ୍ରେ ଆଉ ରାମତୀର୍ଥ ନେଚର କ୍ୟାମ୍ପର ଅପସନ୍ ଆସୁନି । ଫଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାମତୀର୍ଥ ପରି ପୌରାଣିକ କିମ୍ବଦନ୍ତୀ ତଥା ଐତିହ୍ୟ ସଂପନ୍ନ ପବିତ୍ର ସ୍ଥାନରେ ପୂର୍ବ ଭଳି ଆଉ ରାତ୍ରୀ ରହଣିର ମଜା ଉଠାଇ ପାରୁନାହାନ୍ତି ପର୍ଯ୍ୟଟକ ।
ରାମତୀର୍ଥ ନେଚର କ୍ୟାମ୍ପରେ ଅତ୍ୟାଧୁନିକ ରହଣି ସୁବିଧା ଉପଲବ୍ଧ । ସେଠାରେ ଥିବା ଦେବସ୍ଥଳୀ କଟେଜ୍ ରେ ୪ ଟି ଡବଲ୍ ବେଡ୍ ରୁମ୍ ରହିଥିବା ବେଳେ ଟ୍ରାଇବାଲ୍ ହାଟ୍ ରେ ୬ ଶଯ୍ୟା ବିଶିଷ୍ଟ ଗୋଟିଏ ରୁମ୍ ରହିଛି । ଦୁଇଟି ଏସି ଡରମେଟୋରିଜ୍, ଓ ଗୋଟିଏ ନନ୍ ଏସି ଡରମେଟୋରିଜ୍ ରହିଛି । ଏଠାରେ ରହି ପର୍ଯ୍ୟଟକ ଟିଏ ଅନାୟାସରେ ଶିମିଳିପାଳ ବୁଲିବା ସହିତ ଭୀମକୁଣ୍ଡ, ଖିଚିଂର ମାଆ କିଚକେଶ୍ୱରୀ ମନ୍ଦିର ପୁଣି ବେଣୀସାଗର ସମେତ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀଗୁଡିକ ବୁଲିପାରିବେ। ଦିନ ଥିଲା ଖଇରୀ ଓ ଭଣ୍ଡନ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ରାମତୀର୍ଥ ନେଚର କ୍ୟାମ୍ପ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା । ହିଲ୍ ଷ୍ଟେସନ୍ର ସୁବିଧା ଭଳି ଏହା ସହର ଓ ଜଙ୍ଗଲ ନିକଟ ହୋଇଥିବାରୁ ପର୍ଯ୍ୟଟକ ବିଶେଷ ଭାବେ ଏହି ନେଚର କ୍ୟାମ୍ପ ପ୍ରତି ଆକୃଷ୍ଟ ହେଉଥିବା ଲକ୍ଷ୍ୟ କରାଯାଉଥିଲା । ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ମାତ୍ର ୪ କିମି ଦୂରରେ ଥିବା ଏହି ନେଚରକ୍ୟାମ୍ପ ଶିମିଳିପାଳ ଅଭୟାରଣ୍ୟର ଦ୍ୱାର ଭାବେ ପର୍ଯ୍ୟଟକଙ୍କ ପାଇଁ ପରିଗଣିତ ହେଉଥିଲା । ବର୍ଷ ସାରା ଏହି ନେଚରକ୍ୟାମ୍ପ ଖୋଲା ରହୁଥିବାରୁ ବର୍ଷାଦିନେ ଶିମିଳିପାଳ ଜୁନ୍ରୁ ଅକ୍ଟୋବର ଯାଏଁ ବନ୍ଦ ରହୁଥିବା ବେଳେ ମଧ୍ୟ ପର୍ଯ୍ୟଟକମାନେ ଏଠାକୁ ଆସି ବର୍ଷା ଦିନିଆ ପର୍ଯ୍ୟଟନର ଭରପୁର ମଜା ଉଠାଉଥିଲେ । ବିଶେଷ କରି ବର୍ଷା ଦିନେ ଖଇରୀଭଣ୍ଡନ ନଦୀ ସଙ୍ଗମ ସ୍ଥଳର ଭୀମକାନ୍ତ ଦୃଶ୍ୟ ଆକାଶର ମେଘମାଳା ଓ ନେଚରକ୍ୟାମ୍ପକୁ ଲାଗି ଖଇରୀଭଣ୍ଡନ ପଠାରେ ଥିବା ଜଙ୍ଗଲର ଶବ୍ଦ ପର୍ଯ୍ୟଟକଙ୍କୁ ସ୍ୱର୍ଗୀୟ ଆନନ୍ଦ ପ୍ରଦାନ କରିଥାଏ । ଏଠାକାର ପୌରାଣିକ କିମ୍ବଦନ୍ତୀ ଏହି ସ୍ଥାନର ପବିତ୍ରତାକୁ ବୟାନ କରିବା ସହ ପର୍ଯ୍ୟଟକଙ୍କ ମନରେ ଆତ୍ମୀୟତା ବୃଦ୍ଧି କରାଏ। ଏହି ସ୍ଥାନ ସଂପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ କୌତୂହଳ ସୃଷ୍ଟି ହୁଏ ।
ତେବେ ରାମତୀର୍ଥ ନେଚର କ୍ୟାମ୍ପକୁ ଆଶାନୁରୂପକ ପର୍ଯ୍ୟଟକ ଆସୁ ନଥିବା କଥା କହି ଏହାକୁ ବନ୍ଦ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡା ପ୍ରକାଶ ଚାନ୍ଦ ଗୋଗୀନେନୀ କହିଛନ୍ତି । ହେଲେ ଏଠାରେ କିଛି ନିର୍ଦ୍ଧିଷ୍ଟ ଦଳର କର୍ମୀ ମଉଜ ମଜଲିସ୍ କରୁଥିବାର ଅଭିଯୋଗ ମଧ୍ୟ ହୋଇଛି। ଏ ପ୍ରସଙ୍ଗରେ ଯଶିପୁର ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ କହିଛନ୍ତି ଯେ, ଶିମିଳିପାଳର ଅନ୍ୟ ସମସ୍ତ ନେଚର୍ କ୍ୟାମ୍ପ ଗୁଡିକରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଥିବା ବେଳେ ରାମତୀର୍ଥ ନେଚରକ୍ୟାମ୍ପରେ ପର୍ଯ୍ୟଟକ ଆଶାନୁରୂପକ ହେଉ ନ ଥିବା କଥା ଆଦୌ ହଜମ ହେଉନି । ପର୍ଯ୍ୟଟନ ଋତୁରେ ଯଶୀପୁରରେ ଥିବା କୌଣସି ହୋଟେଲରେ ରୁମ୍ ମିଳୁନଥିବା ବେଳେ ରାମତୀର୍ଥ ନେଚର କ୍ୟାମ୍ପରେ ପର୍ଯ୍ୟଟକ ନ ହେବାର ରହସ୍ୟ ବୁଝାପଡୁନି । ସେପଟେ ବହୁ ପର୍ଯ୍ୟଟକ ନେଚରକ୍ୟାମ୍ପ ଗୁଡିକରେ ବୁକିଂ ନ ପାଇ ନିରାଶ ହେଉଥିବା ଲକ୍ଷ୍ୟ କରାଯାଉଛି । ସେ ସ୍ଥଳେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ତଥା ଆରସିସିଏଫ୍ଙ୍କ ପକ୍ଷରୁ ରାମତୀର୍ଥ ନେଚର କ୍ୟାମ୍ପରେ ପର୍ଯ୍ୟଟକଙ୍କ ବୁକିଂ ବନ୍ଦ କରାଯାଇଥିବାରୁ ଏହାକୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଦାବି କରୁଛି ।
ପୌରାଣିକ ମାନ୍ୟତା
ଲୋକ ମୁଖରେ ପ୍ରଚଳିତ ପୌରାଣିକ ଆଖ୍ୟାୟିକା ଅନୁଯାୟୀ ତ୍ରେତୟା ଯୁଗରେ ବନବାସରେ ଥିବା ସମୟରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଭାଇ ଲକ୍ଷ୍ମଣ ଶିମିଳିପାଳ ଜଙ୍ଗଲ ଦେଇ ଯାଉଥିବା ବେଳେ ଏଠାରେ କିଛି ସମୟ ବିଶ୍ରାମ ନେଇଥିଲେ । କ୍ଲାନ୍ତ ହୋଇ ମା ସୀତା ଏଠାରେ ନଦୀରେ ମୁହଁ ଓ ପାଦ ଧୋଇବା ସହ ଦେବ ଦେବ ମହାଦେବଙ୍କୁ ପୂଜାଅର୍ଚ୍ଚନା କରିଥିଲେ । ସେହିଦିନ ଠାରୁ ଏ ସ୍ଥାନର ମାହାତ୍ମ୍ୟ ବୃଦ୍ଧି ପାଇ ରାମତୀର୍ଥ ନାମରେ ନାମିତ ହୋଇଛି । ପଥର ଉପରେ ରାମଙ୍କ ପାଦ ଚିହ୍ନ ସ୍ୱରୂପ ସ୍ପଷ୍ଟ ପଦ ଚିହ୍ନ ଏବେ ମଧ୍ୟ ରହିଛି । ତ୍ରେତୟା ଯୁଗର ଅନ୍ୟାନ୍ୟ କେତେକ ସଂକେତ ମଧ୍ୟ ଆଜିଯାଏଁ ଏହିଠାରେ ସଂରକ୍ଷିତ ହୋଇ ରହିଛି । ମକର ସମୟରେ ଏଠାରେ ଆୟୋଜିତ ହେଉଥିବା ଟୁସୁ ପର୍ବ ପରମ୍ପରା ମୋଗଲ ସାମ୍ରାଜ୍ୟର କଳା ଇତିହାସକୁ ଉଜାଗର କରି ପର୍ଯ୍ୟଟକଙ୍କୁ ଏହା ବେଶ୍ ଆକୃଷ୍ଟ କରେ । ଏହାଛଡା ଏଠାରେ ଥିବା ସୁନ୍ଦର ପାର୍କ, ମ୍ୟୁଜିୟମ ମଧ୍ୟ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ । ତେବେ ରାମତୀର୍ଥ ଠାରେ ଏ ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ଵେ ପର୍ଯ୍ୟଟକଙ୍କ ରହଣୀ ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇ ଥିବାରୁ ପର୍ଯ୍ୟଟକ ମହଲରେ ନିରାଶା ଛାଇ ଯାଇଛି । ଏହାବ୍ୟତୀତ ୧୯୭୯ ମସିହାରେ ଏଠାରେ କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏହାକୁ ମଧ୍ୟ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପର୍ଯ୍ୟଟକଙ୍କ ପାଇଁ ଏକ ଶକ୍ତ ଝଟକା ସଦୃଶ ହୋଇଛି।
ଆହୁରି ପଢନ୍ତୁ- ପାଉଡ଼ି ଭୂୟାଁଙ୍କ ସମସ୍ୟା ସୁଧାରିପାରୁନି ସରକାରୀ ଯୋଜନା, ୬୮% ଶିଶୁ ଅପପୁଷ୍ଟିର ଶିକାର, ସ୍ୱାସ୍ଥ୍ୟସେବା ଅପହଞ୍ଚ, ଜଡ଼ିବୁଟି ଭରସା...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।