Ram Mandir: ମନ୍ଦିର ପରିଚାଳନା କରିବା ଆମ କାମ ନୁହେଁ: ଭିଏଚ୍ପି
ନୂଆଦିଲ୍ଲୀ: ରାମ ମନ୍ଦିର ଚୋରି ମାମଲାକୁ ନେଇ ବିବାଦ ଉପୁଜିଥିବାବେଳେ ଭିଏଚ୍ପି ( ବିଶ୍ବ ହିନ୍ଦୁ ପରିଷଦ) ଏହାର ଜଣେ ଶୀର୍ଷ ନେତା ତଥା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ର ସାଧାରଣ ସମ୍ପାଦକ ଭାବେ ଚମ୍ପତ ରାୟଙ୍କ କାର୍ଯ୍ୟରୁୁ ନିଜକୁ ଦୂରେଇ ରଖିଛି। ଭିଏଚ୍ପି ମଧ୍ୟ ଏହି ଦାନ ଚୋରି ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛି। ଭିଏଚ୍ପି ଅନ୍ତର୍ଜାତୀୟ ସଭାପତି ଆଲୋକ କୁମାର କହିଛନ୍ତି, ରାମ ମନ୍ଦିର ଟ୍ରଷ୍ଟ୍ ଦ୍ବାରା ନିକଟରେ ନିଆଯାଇଥିବା କୌଣସି ନିଷ୍ପତ୍ତିରେ ଅନୁଷ୍ଠାନର କିଛି ଭୂମିକା ନାହିଁ କି ଏହା କୌଣସି ଦାୟିତ୍ବ ଗ୍ରହଣ କରୁନି।
ରାମ ମନ୍ଦିର ନିର୍ମାଣ ଲକ୍ଷ୍ୟ ସୁନିଶ୍ଚିତ ହେବାପରେ ରାମ ଜନ୍ମଭୂମି ଅଭିଯାନରେ ଭିଏଚ୍ପିର ଭୂମିକା ଶେଷ ହୋଇଛି। ସେ କହିଛନ୍ତି, ଆମର ଭୂମିକା ଶେଷ ହୋଇଛି। ଦେଶର ଯେକୌଣସି ଅଂଶରେ ମନ୍ଦିର ନିର୍ମାଣ କରିବା ଏବଂ ପରିଚାଳନା କରିବା ଆମ କାମ ନୁହେଁ। ଟ୍ରଷ୍ଟ ଏହାକୁ ପରିଚାଳନା କରୁଛି ଏବଂ ଟ୍ରଷ୍ଟ୍ରେ ଯାହା ହେଉଛି ସେଥିପାଇଁ ଟ୍ରଷ୍ଟ୍ ହିଁ ଦାୟୀ ରହିବ।
ଏଥିପାଇଁ ଆରଏସଏସ୍ ଏବଂ ସରକାରକୁ ଉତ୍ତରଦାୟୀ କରିବାର ଉଦ୍ୟମ ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ର ସାଧାରଣ ସମ୍ପାଦକ ଭାବେ ଶ୍ରୀ ଚମ୍ପତ ରାୟ ଯେଉଁ କାର୍ଯ୍ୟରେ ଜଡ଼ିତ ଅଛନ୍ତି ମୁଁ ସେଥିରୁ ନିଜକୁ ଦୂରେଇ ରଖୁଛି ବୋଲି କୁମାର କହିଛନ୍ତି। ଉଲ୍ଲେଖଯୋଗ୍ୟ ରାମ ମନ୍ଦିର ଚୋରି ମାମଲାରେ ମୋଟ୍ ୮ ଜଣ ଗିରଫ ହୋଇଛନ୍ତି ଏବଂ ସମସ୍ତଙ୍କୁ ଏବେ ୧୪ ଦିନିଆ ବିଚାରବିଭାଗୀୟ ହାଜତ ପଠାଯାଇଛି।