Rain Tragedy Leaves Five Dead: ଘର ଭୁଶୁଡ଼ି ଉଜୁଡ଼ିଗଲା ପରିବାର, ପ୍ରବଳ ବର୍ଷାରେ ଗଲା ୫ ଜୀବନ
ପ୍ରବଳ ବର୍ଷା ଗୋଟିଏ ପରିବାର ପାଇଁ କାଳ ସାଜିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜଫ୍ଫରନଗର ଜିଲ୍ଲାରେ। ହବିବପୁର ସିକ୍ରୀ ଗାଁରେ ରାତି ପ୍ରାୟ ୮ଟା ବେଳେ ଭାରି ବର୍ଷା କାରଣରୁ ଏକ କଚ୍ଚା ଘର ହଠାତ୍ ଭୁଶୁଡ଼ି ପଡ଼ିଥିଲା ଏବଂ ସେହି ଘରେ ଥିବା ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ଏହି ହୃଦୟବିଦାରକ ଦୁର୍ଘଟଣାରେ ୫୨ ବର୍ଷୀୟ ଇସ୍ଲାମୁଦ୍ଦିନ, ତାଙ୍କର ୮ ମାସର ଶିଶୁପୁତ୍ର ଜିଶାନ, ୨ ବର୍ଷର ଆହଦ, ୫ ବର୍ଷର ଅଲଶିଫା ଏବଂ ପ୍ରାୟ ୧୨ ବର୍ଷୀୟା ରୁକସାରଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା। ଦୁର୍ଘଟଣାରେ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଜାରି ରହିଛି।
ଘର ଭୁଶୁଡ଼ି ପଡ଼ିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଅସ୍ଥିରତା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା।
ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ
ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଏବଂ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଜେସିବି ମେସିନର ସହାୟତା ନିଆଯାଇଥିଲା। ଘଣ୍ଟା ଘଣ୍ଟା ଧରି ଚାଲିଥିବା ଉଦ୍ୟମ ପରେ ଭଗ୍ନାବଶେଷ ତଳେ ଚାପି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା।
ପୋଲିସ ଓ ପ୍ରଶାସନ ମୃତକମାନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଭାବିତ ପରିବାରକୁ ସମ୍ଭବ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ସ୍ଥାନୀୟ ଲୋକମାନେ ମଧ୍ୟ ପୀଡ଼ିତ ପରିବାରକୁ ସହଯୋଗ କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।