Rain Alert: ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ଆଲର୍ଟ ଜାରି, ୨୪ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
ଭୁବନେଶ୍ୱର ୧୮/୦୭: ଆଜି ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଭାରି ବର୍ଷା ହେବ । ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ବଲାଙ୍ଗିରରେ ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ । କିନ୍ତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା କମିବ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।
ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଦୁର୍ବଳ ହୋଇ ଲଘୁଚାପକୁ ଖସିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବ । ବର୍ଷାର ବିସ୍ତୃତି ବି କମିବ । କେବଳ ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ । ଗତ ୪୮ ଘଣ୍ଟା ଧରି ଚାଲିଥିବା ତୁହାକୁ ତୁହା ବର୍ଷା ପ୍ରଭାବରେ ସାପୁଆ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଢେଙ୍କାନାଳ ଓ ଆଠଗଡ଼ର ବହୁ ଗାଁରେ ପାଣି ପଶିଯାଇଛି । ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୭.୬୪ ମିଟର ରହିଛି । ଏଠାରେ ସତର୍କ ସଙ୍କେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ଏହାର ପାଖାପାଖି ରହିଛି । ସେହିଭଳି ଜଳକା ନଦୀର ମଥାନିରେ ବିପଦ ସଙ୍କେତ ସ୍ତର ୬.୫୦ ମିଟର ଥିବାବେଳେ ଜଳସ୍ତର ୬.୩୬ ମିଟର ରହିଛି ।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି, ଜୁଲାଇ ୧୭ ଭିତରେ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛିି । ବଲାଙ୍ଗିର ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିମି ବର୍ଷା ହୋଇଛି । ପୁରୀରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ସାପୁଆରେ ୫୦ ବର୍ଷର ରେକର୍ଡ ବର୍ଷା ହୋଇଛି । ଏଥିପାଇଁ ଛୋଟ ବନ୍ୟା ହୋଇଥିଲା । ଢେଙ୍କାନାଳ ଓ ଆଠଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହୋଇଛି । ଆଖୁଆପଦାରେ ସତର୍କ ସଙ୍କେତ ପାଖରେ ରହିଛି ।ବର୍ଷା ବଢିଲେ ବିପଦ ସଙ୍କେତ ଟପିପାରେ । ଜଳକାର ମଥାନିରେ ପାଣି ବଢୁଛି । ଏଥିରେ ବାଲେଶ୍ୱରର କିଛି ଅଞ୍ଚଳ ପ୍ରଭାବିତ ହୋଇପାରେ । ହୀରାକୁଦ ଉପର ମୁଣ୍ଡ ରେ ଅଧିକ ବର୍ଷା ଯୋଗୁ କାଲି ସୁଦ୍ଧା ୭୦ ହଜାର କ୍ୟୁସେକ ଜଳ ଇନ୍ଫ୍ଳୋ ହେବ । ସ୍ଥିତି ଦେଖି ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ । ବୌଦ୍ଧ ସୋନପୁରରେ ଭଲ ବର୍ଷା ଯୋଗୁ ମହାନଦୀ ରେ ପାଣି ବଢିପାରେ ।
ଶନିବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ସେ କହିଛନ୍ତି । ଗତ ୨୪ ଘଣ୍ଟାରେ ହୀରାକୁଦରେ ସର୍ବାଧିକ ୧୪୦ ମିମି ବର୍ଷା ହୋଇଛି । ସୋନପୁରରେ ୧୦୨ ମିମି, ସମ୍ବଲପୁରରେ ୧୩୮.୮, ବୌଦ୍ଧରେ ୮୨ ଓ ବରଗଡ଼ରେ ୬୪ ମିମି ବର୍ଷା ରେକର୍ଡ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।