Puri Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ରାଜେନ୍ଦ୍ରାଭିଷେକ’ ଓ ରଥ ପରିକ୍ରମା ନୀତି, କାଲି ରୁକ୍ମିଣୀ ବିବାହ ଉତ୍ସବ
ପୁରୀ, ୨୪।୬: ମହାପ୍ରଭୁଙ୍କ ପ୍ରସିଦ୍ଧ ଜଳକ୍ରୀଡ଼ା ଏବଂ ଚନ୍ଦନ ଯାତ୍ରାର ଶେଷ ପର୍ଯ୍ୟାୟରେ । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ଓ ପାରମ୍ପରିକ ‘ରାଜେନ୍ଦ୍ରାଭିଷେକ’ ନୀତି । ଏହି ବିଶେଷ ଦେବନୀତି ପାଇଁ ଆଜି ସକାଳୁ ଶ୍ରୀମନ୍ଦିରରେ ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ସଙ୍ଗଠିତ ହେବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯିବ । ଆଜ୍ଞାମାଳ ପାଇବା ପରେ ବିଶ୍ରୀକୃଷ୍ଣଙ୍କ ସ୍ୱରୂପ ବିଗ୍ରହ ମଦନମୋହନ ରତ୍ନସିଂହାସନରୁ ଖଟ ଉପରକୁ ବିଜେ କରିବେ । ଏହା ପରେ ଶ୍ରୀମନ୍ଦିରର ପ୍ରସିଦ୍ଧ ଜୟବିଜୟ ଦ୍ୱାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଜଗମୋହନ ଭିତରକୁ ସମ୍ପୂର୍ଣ୍ଣ ଅନ୍ଧାର କରାଯାଇ ଏକ ଗୁପ୍ତ ନୀତି ହେବ ।
ଏହା ବି ପଢ଼ନ୍ତୁ... Puri Murder: ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା ଘଟଣା; ମାତ୍ର କେଇ ଘଣ୍ଟାରେ ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର
ମହାପ୍ରଭୁଙ୍କ ‘ଆଲଟ ଲାଗି’ ନୀତି ଶେଷ ହେବା ପରେ, ପରମ୍ପରା ଅନୁଯାୟୀ ରାଜଦୂତ ବା ‘ଡଗର’ ଆସି ମଦନମୋହନଙ୍କ ସମୁଖରେ ମାତା ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଉପସ୍ଥାପନ କରିବେ । ରାଜେନ୍ଦ୍ରାଭିଷେକର ମୁଖ୍ୟ ପର୍ବ ସରିବା ପରେ ମହାପ୍ରଭୁ ଏକ ସୁସଜ୍ଜିତ ମନୋରମ ରଥରେ ବିରାଜମାନ କରିବେ । ପଟୁଆର ସହ ଘଣ୍ଟ, ଛତା, କାହାଳୀ ଓ ଶଙ୍ଖ ଧ୍ୱନିର ମହାନାଦ ମଧ୍ୟରେ ମଦନମୋହନ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ବେଢ଼ା ପରିକ୍ରମା କରିବେ । ଏହି ସମୟରେ ଭକ୍ତମାନଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠିବ । ଆସନ୍ତାକାଲି ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ବା ରୁକ୍ମିଣୀ ଏକାଦଶୀ ତିଥିରେ ଜଗନ୍ନାଥ ଓ ମାତା ରୁକ୍ମିଣୀଙ୍କ ଶୁଭ ବିବାହ ଉତ୍ସବ ସମସ୍ତ ଶାସ୍ତ୍ରୀୟ ବିଧି ଅନୁଯାୟୀ ପାଳନ କରାଯିବ । ଏହି ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ପୁଲିସ ପକ୍ଷରୁ ସୁରକ୍ଷା ଓ ଶୃଙ୍ଖଳା ଗତ ସମସ୍ତ ପ୍ରସ୍ତୁତି କରାଯାଇଛି ।