Protest: ଭାରତର ସହାୟତା ଲୋଡ଼ିବାକୁ ବିକ୍ଷୋଭକାରୀଙ୍କ ଚେତାବନୀ
"ଇସଲାମାବାଦ: ପାକିସ୍ତାନ ନିୟନ୍ତ୍ରଣରେ ଥିବା କାଶ୍ମୀର (ପିଓକେ)ର ରାୱାଲାକୋଟରେ ୨୨ ଦିନ ଧରି ଗଣବିକ୍ଷୋଭ ଜାରି ରହିଥିବା ବେଳେ, ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ କଟକଣା ନହଟିଲେ ଭାରତର ସହାୟତା ଲୋଡ଼ିବାକୁ ଆନ୍ଦୋଳନକାରୀମାନେ ଇସଲାମାବାଦକୁ ଚେତାବନୀ ଦେଇଛନ୍ତି।
ଭୀଷଣ ଅର୍ଥନୈତିକ ସଙ୍କଟ ଏବଂ ଇଣ୍ଟରନେଟ୍ ବ୍ଲାକଆଉଟ୍ ବିରୋଧରେ ସ୍ଥାନୀୟ ଲୋକେ ପାକିସ୍ତାନ ସେନା ଓ ପ୍ରଶାସନର ଏକଛତ୍ରବାଦୀ ଶାସନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଆଜି ଆନ୍ଦୋଳନକାରୀମାନେ ପାକ୍ ପ୍ରଶାସନକୁ ଚେତାବନୀ ଦେଇ କହିଛନ୍ତି ଯେ, ପିଓକେ କଦାପି ପାକିସ୍ତାନର ଅଂଶ ନୁହେଁ ଏବଂ ପାକ୍ ସେନାର ଦମନ ନୀତିକୁ ଆଉ ବରଦାସ୍ତ କରାଯିବ ନାହିଁ।Advertisment ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଚାଲିଥିବା ପ୍ରଶାସନିକ ଅବହେଳା, ଚରମ ଅର୍ଥନୈତିକ ସଙ୍କଟ, ମୁଦ୍ରାସ୍ଫୀତି ଏବଂ ସେ ଦମନଲୀଳା ବିରୋଧରେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।
ଜନଆନ୍ଦୋଳନକୁ ଦବାଇବା ପାଇଁ ଏବଂ ଏ ସଂକ୍ରାନ୍ତ ଖବରକୁ ଚାପିଦେବା ଉଦ୍ଦେଶ୍ୟରେ ଗତ ଜୁନ୍ ୫ ତାରିଖଠାରୁ ସମଗ୍ର ଅଞ୍ଚଳରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।
ଏହା ସହିତ ପାକିସ୍ତାନୀ ପ୍ରଶାସନ ପକ୍ଷରୁ ଗତ ଦୁଇ ସପ୍ତାହ ଧରି ପିଓକେକୁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଜିନିଷପତ୍ର ଯୋଗାଣ ଉପରେ କଟକଣା ଲଗାଯାଇଛି, ଯାହାଫଳରେ ସେଠାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି।
ଜଣାଶୁଣା ମାନବାଧିକାର କର୍ମୀ ସର୍ଦ୍ଦାର ଅମନ ଖାନଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନ ଏବେ ଉଗ୍ର ରୂପ ନେଇଛି।
ଜୁନ୍ ୯ ତାରିଖଠାରୁ ନିୟନ୍ତ୍ରଣ ରେଖା(ଏଲ୍ଓସି) ନିକଟରେ ଏକ ସ୍ୱତନ୍ତ୍ର ଗଣଧାରଣା ମଧ୍ୟ ଜାରି ରହିଛି।
ସେଠାରେ ସମବେତ ଜନତାଙ୍କୁ ସମ୍ବୋଧିତ କରି ଅମନ ଖାନ କହିଛନ୍ତି ଯେ, ପାକିସ୍ତାନ-ପ୍ରଶାସିତ କାଶ୍ମୀର କଦାପି ପାକିସ୍ତାନର ଅଂଶ ନୁହେଁ।
ପାକିସ୍ତାନ ଉପରେ ସେମାନେ ନିର୍ଭର କରିବା ଅପେକ୍ଷା ପାକିସ୍ତାନ ସେମାନଙ୍କ ଉପରେ ଅଧିକ ନିର୍ଭରଶୀଳ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିଭିନ୍ନ ଭିଡିଓରେ ସ୍ଥାନୀୟ ବାସିନ୍ଦାମାନେ ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ତୀବ୍ର ବିରୋଧ କରିବା ସହ ସେନା ନିୟନ୍ତ୍ରିତ କୌଣସି ଏକଛତ୍ରବାଦୀ ଶାସନକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି।
ଅମନ ଖାନ ଚେତାବନୀ ଦେଇଛନ୍ତି ଯେ, ଯଦି ପାକିସ୍ତାନ ପ୍ରଶାସନ ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ କଟକଣା ନହଟାଏ, ତେବେ ଲୋକେ ଭାରତ ପାଖରୁ ସାହାଯ୍ୟ ମାଗିବେ।
ଏହା ଦ୍ୱାରା ଅଞ୍ଚଳର ରାଜନୈତିକ ସମୀକରଣ ବଦଳିଯିବ ଏବଂ ଇସଲାମାବାଦ ଉପରେ ଚାପ ବଢ଼ିବ।
ସୂଚନାଯୋଗ୍ୟ, ଏହି ଆନ୍ଦୋଳନ ଏବେ କେବଳ ପିଓକେ ମଧ୍ୟରେ ସୀମିତ ନାହିଁ।
ବିଦେଶରେ ରହୁଥିବା କାଶ୍ମୀରୀ ପ୍ରବାସୀମାନେ ମଧ୍ୟ ବିଭିନ୍ନ ଦେଶରେ ଥିବା ପାକିସ୍ତାନୀ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ମୁଜାଫରାବାଦ ସମେତ ସମଗ୍ର ଅଞ୍ଚଳରେ ସେମାନଙ୍କର ରାଜନୈତିକ ଉଦ୍ଦେଶ୍ୟ ପୂରଣ ନହେବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Pakistan: ଅନ୍ତର୍ଜାତୀୟ ସ୍ତରରେ ଇସଲାମାବାଦ ପୁଣି ଲଜ୍ଜିତ: ପାକିସ୍ତାନରେ ପ୍ରେସ୍ ସ୍ବାଧୀନତା ନାହିଁ: ଭାନ୍ସ "