ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଏମିଲି

ପ୍ରେମ ଏକ ଛୋଟିଆ ଶବ୍ଦ ହେଲେ ମଧ୍ୟ ତାହାର ଗଭୀରତା କୌଣସି ବାଧା ମାନେନାହିଁ। ଗୋଟିଏ ହୃଦୟ ସହିତ ଅନ୍ୟ ଏକ ହୃଦୟର ମିଳନରେ କୌଣସି ନଥିପତ୍ରର ପ୍ରୟୋଜନ ମଧ୍ୟ ହୁଏନାହିଁ। ଜାତି, ବର୍ଣ୍ଣ, ଦେଶର ଭେଦାଭେଦ ସବୁକିଛି ଅତିକ୍ରମ କରି ଯାହା ରହିଯାଏ ତାହା କେବଳ ପ୍ରେମ। ଏମିଲି ଜାଣିଥିଲେ ଯେ ତାଙ୍କର ପ୍ରେମ ସାଧାରଣ ପ୍ରେମ ନୁହେଁ। ତାଙ୍କର ପ୍ରେମିକ ପୁରୁଷଜଣକ ଗୋଟିଏ ଦେଶର ନାୟକ, ନିଆଁର ଗୋଲକ, ଭାରତମାତାଙ୍କର ଜଣେ ବିପ୍ଳବୀ ପୁତ୍ର, ଯାହାଙ୍କର ବୁଟ୍‌ ଶବ୍ଦ ଇଂରେଜ ସାମ୍ରାଜ୍ୟ ଓଲଟପାଲଟ କରିଦେବାରେ ସକ୍ଷମ। କିନ୍ତୁ ପ୍ରେମ ହେଲେ ଆଗ୍ନେୟଗିରିର ଲାଭା ମଧ୍ୟ ନଦୀରେ ଆସି ମିଶିଯାଏ। ବିଦ୍ରୋହ ଯେତେବେଳେ କ୍ଳାନ୍ତ ହୋଇଯାଏ ପ୍ରେମ ସେତେବେଳେ ଶାନ୍ତିର ଶୀତଳ ଛାୟା ପ୍ରଦାନ କରିଥାଏ। ଗୋଟିଏ ରକ୍ଷଣଶୀଳ ଅଷ୍ଟ୍ରୀୟ ପରିବାରରେ ଜନ୍ମିତ କନ୍ୟା ଏମିଲିଙ୍କ ପରିବାର ପକ୍ଷରୁ ତାଙ୍କୁ ନନ୍‌(ସନ୍ୟାସିନୀ) ହେବାପାଇଁ ପ୍ରବଳ ଚାପ ଦିଆଯାଉଥାଏ, ଠିକ୍ ସେତିକିବେଳେ ଏମିଲିଙ୍କର ସାକ୍ଷାତ ହୁଏ ସୁଭାଷଙ୍କ ସହିତ। ସୁଭାଷ ତାଙ୍କର ପ୍ରଥମ ପୁସ୍ତକ ‘ଇଣ୍ଡିଆନ୍‌ ଷ୍ଟ୍ରଗଲ୍‌’ ଲେଖିବା ସମୟରେ ଏମିଲି ଥିଲେ ତାଙ୍କର ସେକ୍ରେଟାରୀ। ମନ ତ ଭୀଷଣ ଲଗାମଛଡ଼ା, କୁଆଡ଼େ ଯାଇ ନିଜକୁ ସମର୍ପଣ କରିଦିଏ ନିଜେ କିମ୍ବା ଅନ୍ୟକେହି ଜାଣି ପାରନ୍ତି ନାହିଁ। ସେହିପରି ୨୫ ବର୍ଷ ବୟସ୍କା ସୁନ୍ଦରୀ ତଥା ବୁଦ୍ଧିମତୀ ଏମିଲି ମଧ୍ୟ ଜାଣି ପାରିନଥିଲେ ୩୭ ବର୍ଷ ବୟସ୍କ ସୁଭାଷଙ୍କୁ ଦେଖିବା ପରେ ତାଙ୍କ ଭିତରେ କେମିତି ଏ ପ୍ରେମ ଜନ୍ମ ନେଇଥିଲା!ଏମିଲିଙ୍କର ପ୍ରେମକୁ ସମ୍ମାନ ଦେଇଥିଲେ, ବିବାହ କରି ସ୍ତ୍ରୀର ମର୍ଯ୍ୟାଦା ଦେଇଥିଲେ ଭାରତର ସ୍ବାଧୀନତା ଆନ୍ଦୋଳନର ମହାନାୟକ ସୁଭାଷ ଚନ୍ଦ୍ର ବୋଷ। ଉଭୟଙ୍କର ପ୍ରେମର ପ୍ରତୀକ କନ୍ୟା ଅନୀତାକୁ ନେଇ ମାତ୍ର ତିନିବର୍ଷ ଥିଲା ସେମାନଙ୍କର ସୁଖର ସଂସାର। ସୁଭାଷ ଯେ ଦେଶମାତୃକା ପାଖରେ ଶପଥ କରିଥିଲେ, ତେଣୁ ତାଙ୍କ ପାଇଁ ସୁଖର ସଂସାର ଥିଲା କଣ୍ଟା ସଦୃଶ। ପ୍ରେମ ସପ୍ତାହ ସରିଯାଇଛି ସତ, ହେଲେ ଆମେ ସୁଶ୍ରୀ ପୃଷ୍ଠାରେ ପ୍ରେମର ମାସ ଫେବ୍ରୁଆରିରେ ଭେଟିବା ଆଉଜଣେ ବିଦେଶିନୀ ପ୍ରିୟାଙ୍କୁ... ପରିବାର ଛାଡ଼ି ୧୯୪୩ ମସିହାରେ ସୁଭାଷ ସବ୍‌ମେରିନ୍‌ ଧରି ଜାପାନ ଉଦ୍ଦେଶ୍ୟରେ ଯାତ୍ରା କରନ୍ତି। ଆଉ ସେହି ଯାତ୍ରା ଆରମ୍ଭ କରିବା ସମୟଟି ଥିଲା ଏମିଲି ଓ କନ୍ୟା ଅନୀତାଙ୍କ ସହିତ ସୁଭାଷଙ୍କର ଶେଷ ଦେଖା ଓ ବିଦାୟ। ଏମିଲି କେବେ ଭାରତକୁ ଆସି ନାହାନ୍ତି, ପ୍ରଚାରକୁ ମଧ୍ୟ ଆସି ନାହାନ୍ତି। କାରଣ ସେ ଏମିତି ଜଣେ ମଣିଷଙ୍କୁ ଭଲ ପାଇଥିଲେ ଯିଏ ଥିଲେ ସମସ୍ତ ପ୍ରଚାରର ଉର୍ଦ୍ଧ୍ବରେ। ପ୍ରେମ ପ୍ରଚାର କିମ୍ବା ବିଜ୍ଞାପିତ କରିବାର ବିଷୟ ନୁହେଁ। ଯେଉଁ ଅଳ୍ପ ସମୟ ଟିକକ ସେ କଟାଇଥିଲେ ତାଙ୍କ ଜୀବନର ନାୟକଙ୍କ ସାଥିରେ, ସେହି ମୁହୂର୍ତ୍ତଗୁଡ଼ିକୁ ହିଁ ସେ ନିଜ ହୃଦୟରେ ରଖିଥିଲେ ସନ୍ତର୍ପଣରେ ଚିରକାଳ। ସୁଭାଷ ଯେ ତାଙ୍କୁ ସ୍ତ୍ରୀର ମର୍ଯ୍ୟାଦା ଦେଇଥିଲେ, ହୁଏତ ସେତକ ହିଁ ଥିଲା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି। ଏମିଲି ଜାଣିଥିଲେ, ଭାରତବର୍ଷର ସ୍ବାଧୀନତା ଆନ୍ଦୋଳନ ଇତିହାସରେ ତାଙ୍କ ସ୍ବାମୀଙ୍କ ନାମ ଚିରକାଳ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ଏମିଲି ପୃଥିବୀକୁ ଜଣାଇ ଦେଇଥିଲେ ଯେ, ପ୍ରେମ ପ୍ରଚାର ଓ ବିଜ୍ଞାପନର ବିଷୟ ନୁହେଁ; ପ୍ରେମ କେବଳ କିଛି ସୁନ୍ଦର ମୁହୂର୍ତ୍ତ, ପ୍ରେମ ଶ୍ରଦ୍ଧା, ପ୍ରେମ ଅହଙ୍କାର।କ୍ରମଶଃ...

Feb 24, 2025 - 09:29
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଏମିଲି

ପ୍ରେମ ଏକ ଛୋଟିଆ ଶବ୍ଦ ହେଲେ ମଧ୍ୟ ତାହାର ଗଭୀରତା କୌଣସି ବାଧା ମାନେନାହିଁ। ଗୋଟିଏ ହୃଦୟ ସହିତ ଅନ୍ୟ ଏକ ହୃଦୟର ମିଳନରେ କୌଣସି ନଥିପତ୍ରର ପ୍ରୟୋଜନ ମଧ୍ୟ ହୁଏନାହିଁ। ଜାତି, ବର୍ଣ୍ଣ, ଦେଶର ଭେଦାଭେଦ ସବୁକିଛି ଅତିକ୍ରମ କରି ଯାହା ରହିଯାଏ ତାହା କେବଳ ପ୍ରେମ। ଏମିଲି ଜାଣିଥିଲେ ଯେ ତାଙ୍କର ପ୍ରେମ ସାଧାରଣ ପ୍ରେମ ନୁହେଁ। ତାଙ୍କର ପ୍ରେମିକ ପୁରୁଷଜଣକ ଗୋଟିଏ ଦେଶର ନାୟକ, ନିଆଁର ଗୋଲକ, ଭାରତମାତାଙ୍କର ଜଣେ ବିପ୍ଳବୀ ପୁତ୍ର, ଯାହାଙ୍କର ବୁଟ୍‌ ଶବ୍ଦ ଇଂରେଜ ସାମ୍ରାଜ୍ୟ ଓଲଟପାଲଟ କରିଦେବାରେ ସକ୍ଷମ।

କିନ୍ତୁ ପ୍ରେମ ହେଲେ ଆଗ୍ନେୟଗିରିର ଲାଭା ମଧ୍ୟ ନଦୀରେ ଆସି ମିଶିଯାଏ। ବିଦ୍ରୋହ ଯେତେବେଳେ କ୍ଳାନ୍ତ ହୋଇଯାଏ ପ୍ରେମ ସେତେବେଳେ ଶାନ୍ତିର ଶୀତଳ ଛାୟା ପ୍ରଦାନ କରିଥାଏ। ଗୋଟିଏ ରକ୍ଷଣଶୀଳ ଅଷ୍ଟ୍ରୀୟ ପରିବାରରେ ଜନ୍ମିତ କନ୍ୟା ଏମିଲିଙ୍କ ପରିବାର ପକ୍ଷରୁ ତାଙ୍କୁ ନନ୍‌(ସନ୍ୟାସିନୀ) ହେବାପାଇଁ ପ୍ରବଳ ଚାପ ଦିଆଯାଉଥାଏ, ଠିକ୍ ସେତିକିବେଳେ ଏମିଲିଙ୍କର ସାକ୍ଷାତ ହୁଏ ସୁଭାଷଙ୍କ ସହିତ। ସୁଭାଷ ତାଙ୍କର ପ୍ରଥମ ପୁସ୍ତକ ‘ଇଣ୍ଡିଆନ୍‌ ଷ୍ଟ୍ରଗଲ୍‌’ ଲେଖିବା ସମୟରେ ଏମିଲି ଥିଲେ ତାଙ୍କର ସେକ୍ରେଟାରୀ। ମନ ତ ଭୀଷଣ ଲଗାମଛଡ଼ା, କୁଆଡ଼େ ଯାଇ ନିଜକୁ ସମର୍ପଣ କରିଦିଏ ନିଜେ କିମ୍ବା ଅନ୍ୟକେହି ଜାଣି ପାରନ୍ତି ନାହିଁ। ସେହିପରି ୨୫ ବର୍ଷ ବୟସ୍କା ସୁନ୍ଦରୀ ତଥା ବୁଦ୍ଧିମତୀ ଏମିଲି ମଧ୍ୟ ଜାଣି ପାରିନଥିଲେ ୩୭ ବର୍ଷ ବୟସ୍କ ସୁଭାଷଙ୍କୁ ଦେଖିବା ପରେ ତାଙ୍କ ଭିତରେ କେମିତି ଏ ପ୍ରେମ ଜନ୍ମ ନେଇଥିଲା!
ଏମିଲିଙ୍କର ପ୍ରେମକୁ ସମ୍ମାନ ଦେଇଥିଲେ, ବିବାହ କରି ସ୍ତ୍ରୀର ମର୍ଯ୍ୟାଦା ଦେଇଥିଲେ ଭାରତର ସ୍ବାଧୀନତା ଆନ୍ଦୋଳନର ମହାନାୟକ ସୁଭାଷ ଚନ୍ଦ୍ର ବୋଷ। ଉଭୟଙ୍କର ପ୍ରେମର ପ୍ରତୀକ କନ୍ୟା ଅନୀତାକୁ ନେଇ ମାତ୍ର ତିନିବର୍ଷ ଥିଲା ସେମାନଙ୍କର ସୁଖର ସଂସାର। ସୁଭାଷ ଯେ ଦେଶମାତୃକା ପାଖରେ ଶପଥ କରିଥିଲେ, ତେଣୁ ତାଙ୍କ ପାଇଁ ସୁଖର ସଂସାର ଥିଲା କଣ୍ଟା ସଦୃଶ।

ପ୍ରେମ ସପ୍ତାହ ସରିଯାଇଛି ସତ, ହେଲେ ଆମେ ସୁଶ୍ରୀ ପୃଷ୍ଠାରେ ପ୍ରେମର ମାସ ଫେବ୍ରୁଆରିରେ ଭେଟିବା ଆଉଜଣେ ବିଦେଶିନୀ ପ୍ରିୟାଙ୍କୁ...

ପରିବାର ଛାଡ଼ି ୧୯୪୩ ମସିହାରେ ସୁଭାଷ ସବ୍‌ମେରିନ୍‌ ଧରି ଜାପାନ ଉଦ୍ଦେଶ୍ୟରେ ଯାତ୍ରା କରନ୍ତି। ଆଉ ସେହି ଯାତ୍ରା ଆରମ୍ଭ କରିବା ସମୟଟି ଥିଲା ଏମିଲି ଓ କନ୍ୟା ଅନୀତାଙ୍କ ସହିତ ସୁଭାଷଙ୍କର ଶେଷ ଦେଖା ଓ ବିଦାୟ। ଏମିଲି କେବେ ଭାରତକୁ ଆସି ନାହାନ୍ତି, ପ୍ରଚାରକୁ ମଧ୍ୟ ଆସି ନାହାନ୍ତି। କାରଣ ସେ ଏମିତି ଜଣେ ମଣିଷଙ୍କୁ ଭଲ ପାଇଥିଲେ ଯିଏ ଥିଲେ ସମସ୍ତ ପ୍ରଚାରର ଉର୍ଦ୍ଧ୍ବରେ। ପ୍ରେମ ପ୍ରଚାର କିମ୍ବା ବିଜ୍ଞାପିତ କରିବାର ବିଷୟ ନୁହେଁ। ଯେଉଁ ଅଳ୍ପ ସମୟ ଟିକକ ସେ କଟାଇଥିଲେ ତାଙ୍କ ଜୀବନର ନାୟକଙ୍କ ସାଥିରେ, ସେହି ମୁହୂର୍ତ୍ତଗୁଡ଼ିକୁ ହିଁ ସେ ନିଜ ହୃଦୟରେ ରଖିଥିଲେ ସନ୍ତର୍ପଣରେ ଚିରକାଳ। ସୁଭାଷ ଯେ ତାଙ୍କୁ ସ୍ତ୍ରୀର ମର୍ଯ୍ୟାଦା ଦେଇଥିଲେ, ହୁଏତ ସେତକ ହିଁ ଥିଲା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି। ଏମିଲି ଜାଣିଥିଲେ, ଭାରତବର୍ଷର ସ୍ବାଧୀନତା ଆନ୍ଦୋଳନ ଇତିହାସରେ ତାଙ୍କ ସ୍ବାମୀଙ୍କ ନାମ ଚିରକାଳ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ଏମିଲି ପୃଥିବୀକୁ ଜଣାଇ ଦେଇଥିଲେ ଯେ, ପ୍ରେମ ପ୍ରଚାର ଓ ବିଜ୍ଞାପନର ବିଷୟ ନୁହେଁ; ପ୍ରେମ କେବଳ କିଛି ସୁନ୍ଦର ମୁହୂର୍ତ୍ତ, ପ୍ରେମ ଶ୍ରଦ୍ଧା, ପ୍ରେମ ଅହଙ୍କାର।
କ୍ରମଶଃ...