ମାଆ: ତ୍ୟାଗ ଓ ଉତ୍ସର୍ଗର ପ୍ରତିମୂର୍ତ୍ତି

ସଂସାରରେ ଜନ୍ମ ନେଇଥିବା ସମସ୍ତ ପ୍ରାଣୀ ମାଆ ବ୍ୟତୀତ ଅନ୍ୟ କାହାଠାରେ ଏତେ ଋଣୀ ନୁହେଁ। ଋଣ ଦେଇଥିବା ବ୍ୟକ୍ତି ବା ଅନ୍ୟ କାହାଠାରୁ କିଛି ସାହାଯ୍ୟ ପାଇଥିଲେ ସହାୟତାର ହାତ ବଢ଼଼ାଇଥିବା ବ୍ୟକ୍ତି ପାଇବାର ଆଶା ରଖୁଥିବା ସ୍ଥଳେ ତ୍ୟାଗ ଓ ଉତ୍ସର୍ଗର ପ୍ରତିମୂର୍ତ୍ତି ମାଆ ସନ୍ତାନଠାରୁ ପାଇବାର ଆଶା ନରଖି କେବଳ ଦେଇଚାଲିଥାଏ ତା’ର ମୃତ୍ୟୁ ପର୍ଯ୍ୟନ୍ତ। ତା’ର କରୁଣା, ସ୍ନେହ, ବାତ୍ସଲ୍ୟ ମମତା ଭିତରେ ଶିଶୁଟିଏ ବଡ଼ହୁଏ। ତା’ବକ୍ଷର ଅମୃତ ପାନ କରି […]

May 10, 2025 - 12:30
ମାଆ: ତ୍ୟାଗ ଓ ଉତ୍ସର୍ଗର ପ୍ରତିମୂର୍ତ୍ତି
sakala article

ସଂସାରରେ ଜନ୍ମ ନେଇଥିବା ସମସ୍ତ ପ୍ରାଣୀ ମାଆ ବ୍ୟତୀତ ଅନ୍ୟ କାହାଠାରେ ଏତେ ଋଣୀ ନୁହେଁ। ଋଣ ଦେଇଥିବା ବ୍ୟକ୍ତି ବା ଅନ୍ୟ କାହାଠାରୁ କିଛି ସାହାଯ୍ୟ ପାଇଥିଲେ ସହାୟତାର ହାତ ବଢ଼଼ାଇଥିବା ବ୍ୟକ୍ତି ପାଇବାର ଆଶା ରଖୁଥିବା ସ୍ଥଳେ ତ୍ୟାଗ ଓ ଉତ୍ସର୍ଗର ପ୍ରତିମୂର୍ତ୍ତି ମାଆ ସନ୍ତାନଠାରୁ ପାଇବାର ଆଶା ନରଖି କେବଳ ଦେଇଚାଲିଥାଏ ତା’ର ମୃତ୍ୟୁ ପର୍ଯ୍ୟନ୍ତ। ତା’ର କରୁଣା, ସ୍ନେହ, ବାତ୍ସଲ୍ୟ ମମତା ଭିତରେ ଶିଶୁଟିଏ ବଡ଼ହୁଏ। ତା’ବକ୍ଷର ଅମୃତ ପାନ କରି ଶିଶୁ ସନ୍ତାନର ଶରୀର ସମୃଦ୍ଧ ହୋଇଥାଏ। ସର୍ବବ୍ୟାପୀ ସତ୍ତାର ପ୍ରତିକୃତ ମାଆ କେବଳ ଧରିତ୍ରୀ ସମ ଦାନ କରି ଶିଖିଥାଏ ସିନା କାହାଠାରୁ କିଛି ଅପେକ୍ଷା ରଖେନା ତା’ର ଜୀବନ କାଳ ମଧ୍ୟରେ।

ରାମ, କୃଷ୍ଣ, ଗୌତମ ବୁଦ୍ଧ, ମହାରଣା ପ୍ରତାପ, ଶିବାଜୀ, ଶୁକରାତ, ବିବେକାନନ୍ଦ, ମହାତ୍ମା ଗାନ୍ଧୀ ଆଦି ମାନବରୁ ମହାମାନବ ହୋଇ ବା ଈଶ୍ୱରୀୟ ସତ୍ତା ମଧ୍ୟରେ ଜୀବନର ପ୍ରତିଟି କ୍ଷଣରେ ଅନୁଭବ କରିଛନ୍ତି ମାଆର କରୁଣା ଓ ସାନିଧ୍ୟ। ମାଆର ପ୍ରତିଷ୍ଠା ହିଁ ମାନବତାର ପ୍ରତିଷ୍ଠା। ନାରୀର ବିଭିନ୍ନ ରୂପ ମଧ୍ୟରୁ ମାଆର ରୂପ ଶ୍ରେଷ୍ଠତର ଓ ସଂସାରରେ ସର୍ବତ୍ର ପ୍ରସାରିତ। ତେଣୁ ମାତୃଜାତିର ପବିତ୍ରତାର ସୁରକ୍ଷା, ମାତୃତ୍ୱର ସମ୍ମାନ ଓ ତା’ ଉପକାରର ପ୍ରତିଦାନ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ।

ମାଆ ଏମିତି ଏକ ଚରିତ୍ର, ଯିଏ ବିଶ୍ୱାସ ଓ ଅନୁଭୂତି ମଧ୍ୟରେ ଏକ ପ୍ରଗାଢ଼ ସମ୍ପର୍କ ସ୍ଥାପନ କରିଥାଏ। ସନ୍ତାନ ମାତୃଗର୍ଭରେ ଭ୍ରୂଣ ହେବା ପରଠାରୁ ଶରୀରର ଅଂଶ ଗଠନ ଏବଂ ଗର୍ଭରେ ଥାଇ ଲାତ ପରେ ଲାତ ମାରିବାର ମିଠା ଅନୁଭୂତି ମାଆ ପାଇଁ ଯେତିକି ଆନନ୍ଦଦାୟକ, ସନ୍ତାନକୁ ଜନ୍ମଦେଇ ମାତୃତ୍ୱ ଲାଭ କରିବାରେ ପରିଭାଷା ତା’ଠାରୁ ଅଧିକ ସ୍ମରଣୀୟ ହୋଇ ରହିଯାଇଥାଏ। ଜନ୍ମ ଦେବା ପରଠାରୁ ନିଜର ଭଲପାଇବା, ତ୍ୟାଗ, ଉଦାରତା, ସହନଶୀଳତା ଭିତରେ ସେ ସନ୍ତାନକୁ ଏମିତି ଗଢ଼େ ପ୍ରତିଟି ମୁହୂର୍ତ୍ତ, ତା’ପାଇଁ ସୃଷ୍ଟି କରେ ଏକ ନୂତନ ଅଧ୍ୟାୟ। ତେଣୁ ଜନ୍ମଜନ୍ମାନ୍ତର ପାଇଁ ଆମେ ସମସ୍ତେ ମାଆ ପାଖରେ ଋଣୀ। ପ୍ରତିଦାନ ବଦଳରେ ମାଆକୁ କ’ଣ ଦେଇ ତା’ ଋଣରୁ ମୁକ୍ତ ହେବା ଚିନ୍ତା କରିବାଟା ଯେ କେବଳ ଏକ ଧୃଷ୍ଠତା। ଗର୍ଭଧାରଣ ପରଠାରୁ ଜନ୍ମ ଦେଇ ବଡ଼ କରିବା ପର୍ଯ୍ୟନ୍ତ ମାଆ ଆମ ପାଇଁ ଯାହା ଯାହା କରିଛି, ତାକୁ ଯେମିତି ମନେ ରଖିବା ଅସମ୍ଭବ, ନୀତି କଥାର ଭଣ୍ଡାର ଭାବେ ଆମ ଚରିତ୍ରକୁ ଗଠନ କରିବା ପାଇଁ ସେ ଯାହାସବୁ କହିଛି, ତାହା ଲେଖି ରଖିବା ବି ଅବାସ୍ତବ। ମାଆ ବିଦ୍ୟା, ମାଆ ଗୁରୁ, ମାଆ ଜ୍ଞାନଦାତା, ସର୍ବୋପରି ମାଆ ଏକ ବିଦ୍ୟାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ମାଆ ଆମକୁ ଭୋକରେ ରହିବା ଦେଖିଲେ ଅଧୈର୍ଯ୍ୟ ହୋଇଯାଏ। ଆମ ମୁହଁ ଶୁଖିଯାଇଥିବା ତା’ ନଜରକୁ ଆସିଲେ ତା’ ଅନ୍ତର କାନ୍ଦିଉଠେ। ସନ୍ତାନଟିଏ କ’ଣ କେବେ ମନେ ରଖେ ସ୍କୁଲକୁ ଯାଇ ନ ଫେରିବା ପର୍ଯ୍ୟନ୍ତ ମାଆର ମନ କେମିତି ଆଉଟୁ ପାଉଟୁ ହୋଇଯାଏ! ଅପଲକ ନୟନରେ ସେ କେମିତି ପୁଅଝିଅଙ୍କ ଫେରିବା ବାଟକୁ ଚାହିଁ ରହିଥାଏ! ବହିଖାତା, ଚପଲ, ସାର୍ଟପ୍ୟାଣ୍ଟଠାରୁ ଆରମ୍ଭ କରି ବ୍ୟାଟ୍‌‌-ବଲ୍‌‌ର ଖବର ନିଏ ମାଆ। କିଛି ନ ମିଳିଲେ ମାଆକୁ ପଚାର। କ’ଣ ଦରକାର ଥିଲେ ମାଆକୁ କୁହ। ଜ୍ୱର ହେଲେ କୋଳକୁ ଆଉଜେଇ ନେଇ ରାତ୍ରି ଅନିଦ୍ରା ହୁଏ ମାଆ। ଅକାଠୁଆ ଜାଡ଼ରେ ଥରିଯାଉଥିଲେ ବି ପାଖରେ ଶୋଇଥିବା ପୁଅ ପରିସ୍ରା କରିଦେଲେ ନିଜ ଶୁଖିଲା କାନିରେ ପୁଅକୁ ଶୋଇଦେଇ ନିଜେ ଓଦା କାନିରେ ଶୋଇପଡ଼େ। ଘରର ସମସ୍ତେ ଖାଇ ସାରିଲା ପରେ ସେ ଖାଏ। କେବେ କେବେ ଖାଡ଼ା ଉପାସ ରହିଯାଏ, ନଚେତ ପାଣିଗ୍ଲାସ ପିଇ ଖାଇଥିବାର ବାହାନା କରି ହସିଦିଏ। ଘରର ମେରୁଖୁଣ୍ଟ ସିଏ୧ ସାରା ଘରର ଦାୟିତ୍ୱ ତା’ ମୁଣ୍ଡ ଉପରେ।

ସତେଯେମିତି ଈଶ୍ୱର ସହିଯିବାର ଅମାପ ଶକ୍ତି ଦେଇ ଏକ ବିଲକ୍ଷଣ ବ୍ୟବସ୍ଥାର ଏକ ପ୍ରମୁଖ ଚରିତ୍ର ଭାବେ ଉଭା କରାଇଛନ୍ତି ମାଆକୁ। ଜୀବନ ପାଠଶାଳାର ସେ ଯେ ଜଣେ ବଡ଼ ଗୁରୁମା’ ତା’ ନୁହେଁ, ବରଂ ଜୀବନ ଗଢ଼ିବା ପାଇଁ ସେ ଜଣେ ଶିକ୍ଷକ, ଦାର୍ଶନିକ, ନିରୀକ୍ଷିକା, ମାର୍ଗଦର୍ଶିକା ଓ ସର୍ବୋପରି ସନ୍ତାନର ଜଣେ ଉତ୍ତମ ବନ୍ଧୁ ଓ ସହକର୍ମୀ। ମାଆ ହେବା ପାଇଁ ସେ ସନ୍ତାନକୁ ନଅମାସ ଗର୍ଭରେ ଧାରଣ କରେ। ମାଆ ହେବାର ଗୌରବ ପାଇବା ପାଇଁ ଅସହ୍ୟ ଗର୍ଭ ଯନ୍ତ୍ରଣାକୁ ନୀଳକଣ୍ଠ ପରି ପାନ କରିଦିଏ। କେତେବେଳେ ମୁଣ୍ଡ ବୁଲେଇଦିଏ ତ ଆଉ କେତେବେଳେ ଜନ୍ମ ଦେଉ ଦେଉ ନିଜେ ଜୀବନ ହାରି ବାଉଳି ପରିସ୍ଥିତିରେ ମୃତ୍ୟୁ ସହ ସଂଗ୍ରାମ କରେ। ତଥାପି ସେଥିରେ ସେ ଆନନ୍ଦ ଲାଭ କରେ, ହସି ହସି ଦୁଃଖ ସବୁ ସହିଯାଏ।

ମାତ୍ର ସନ୍ତାନ ଜନ୍ମ ନେଇ ଭୂମିଷ୍ଠ ହେଲେ ସେ ହୋଇଯାଏ ଦେଶର, ଜାତିର, ସମାଜର ବା ଆଉ କାହାର। ବଡ଼ ହୋଇ ନିଜ ମୁଣ୍ଡକୁ ନିଜ ହାତ ପାଇଗଲେ ନିଜର ଲକ୍ଷ୍ୟ, କାର୍ଯ୍ୟ ନିର୍ବାହର ପନ୍ଥା ବା ବୃତ୍ତିକୁ ଜୀବନର ସବୁକିଛି ଭାବି ମାଆକୁ ପଛରେ ପକାଇ ମାଆଠାରୁ ଅଲଗା ହୋଇ ବହୁ ଦୂରକୁ ଚାଲିଯାଏ, ଭୁଲିଯାଏ ପଛକଥା, ପିଲାବେଳର କଥା, ମାଆର ସ୍ନେହ, ମମତା, ତ୍ୟାଗ ଓ ଭଲପାଇବା। ନା’ ମାଆର ମୃତ୍ୟୁ ବେଳେ ତା’ ପାଟିରେ ଟିକେ ପାଣିଦିଏ, ନା’ ତା’ ଶବକୁ କାନ୍ଧରେ ନିଏ, ନା’ ମୁଖାଗ୍ନି ଦିଏ। ମାତୃଜାତି ପ୍ରତି ବଢ଼଼ିଚାଲିଥିବା କୃତଘ୍ନତା କୌଣସି ମତେ ସମାଜ ପାଇଁ ମଙ୍ଗଳକର ନୁହେଁ, ବରଂ ଏହା ନିଜେ ନିଜ ଗୋଡ଼କୁ କୁରାଢ଼ୀ ମାରିବା ସହ ସମାନ।
ବାସ୍ତବରେ ମାଆ ଭଳି ବିରାଟ ହୃଦୟ ସତରେ କ’ଣ କାହାପାଖରେ ଅଛି। ତା’ ତ୍ୟାଗ, ତା’ ସହନଶୀଳତା, ତା’ ସମର୍ପଣ ପାଖରେ ଈଶ୍ୱର ବି ଛୋଟ ହୋଇଯିବେ। n

ଡ. ରବିନାରାୟଣ ସାହୁ, ବରଗଡ଼଼, ୯୮୬୧୦୮୯୩୪୮