ପ୍ରାଚୀନ ବୌଦ୍ଧପୀଠ ଦନ୍ତପୁର ଓ ପୁଷ୍ପଗିରି
ଅଶୋକଙ୍କ ପରବର୍ତ୍ତୀ କାଳରେ ଦେଶର ବିଭିନ୍ନ ସ୍ଥାନରେ ସ୍ତୂପ, ଚୈତ୍ୟ, ଗୁମ୍ଫା ଆଦି ବୌଦ୍ଧପୀଠମାନ ଗଢ଼ି ଉଠିଥିଲା। କଳିଙ୍ଗରେ ମଧ୍ୟ ଏହି ଧାରାରେ ବୌଦ୍ଧପୀଠମାନ ଦନ୍ତପୁର, ତୋଷାଳୀ, ହିରୁମୁ, ପୁଷ୍ପଗିରି ପ୍ରଭୃତି ଜନାଦୃତ ସ୍ଥାନମାନଙ୍କରେ ଗଢ଼ି ଉଠିଥିଲା। ଦନ୍ତପୁରଠାରେ ଏକ ଭବ୍ୟ ଓ ରମଣୀୟ ବୌଦ୍ଧମନ୍ଦିରରେ ବୁଦ୍ଧଙ୍କ ଦନ୍ତଧାତୁ ପ୍ରତିଷ୍ଠା ହୋଇ ପୂଜା ପାଉଥିବା ଏବଂ ତା’କୁ କେନ୍ଦ୍ର କରି ଦନ୍ତପୁର ଅଞ୍ଚଳରେ ବୌଦ୍ଧଧର୍ମର ବ୍ୟାପକ ପ୍ରଚାର ପ୍ରସାର ଘଟିଥିବା ବିଷୟ ସିଂହଳୀୟ ଗ୍ରନ୍ଥ ‘ଦାଠାବଂଶ’ରେ ବର୍ଣ୍ଣନା […]


ଅଶୋକଙ୍କ ପରବର୍ତ୍ତୀ କାଳରେ ଦେଶର ବିଭିନ୍ନ ସ୍ଥାନରେ ସ୍ତୂପ, ଚୈତ୍ୟ, ଗୁମ୍ଫା ଆଦି ବୌଦ୍ଧପୀଠମାନ ଗଢ଼ି ଉଠିଥିଲା। କଳିଙ୍ଗରେ ମଧ୍ୟ ଏହି ଧାରାରେ ବୌଦ୍ଧପୀଠମାନ ଦନ୍ତପୁର, ତୋଷାଳୀ, ହିରୁମୁ, ପୁଷ୍ପଗିରି ପ୍ରଭୃତି ଜନାଦୃତ ସ୍ଥାନମାନଙ୍କରେ ଗଢ଼ି ଉଠିଥିଲା। ଦନ୍ତପୁରଠାରେ ଏକ ଭବ୍ୟ ଓ ରମଣୀୟ ବୌଦ୍ଧମନ୍ଦିରରେ ବୁଦ୍ଧଙ୍କ ଦନ୍ତଧାତୁ ପ୍ରତିଷ୍ଠା ହୋଇ ପୂଜା ପାଉଥିବା ଏବଂ ତା’କୁ କେନ୍ଦ୍ର କରି ଦନ୍ତପୁର ଅଞ୍ଚଳରେ ବୌଦ୍ଧଧର୍ମର ବ୍ୟାପକ ପ୍ରଚାର ପ୍ରସାର ଘଟିଥିବା ବିଷୟ ସିଂହଳୀୟ ଗ୍ରନ୍ଥ ‘ଦାଠାବଂଶ’ରେ ବର୍ଣ୍ଣନା କରାଯାଇଛି।
ଏହି ଗ୍ରନ୍ଥ ମୁତାବକ କ୍ଷେମ ଥେର ବୁଦ୍ଧଙ୍କ ପବିତ୍ର ଧନ୍ତଧାତୁ (ବାମପାଖ ଗୁମୁଦାନ୍ତ) କଳିଙ୍ଗର ରାଜା ବ୍ରହ୍ମଦତ୍ତଙ୍କୁ ପ୍ରଦାନ କରିଥିଲେ। ରାଜା ରାଜଧାନୀ ଦନ୍ତପୁରଠାରେ ଏକ ଅତ୍ୟନ୍ତ ଚିତ୍ତାକର୍ଷକ ଚୈତ୍ୟ / ସ୍ତୂପ ନିର୍ମାଣ କରି ତହିଁରେ ଏହି ଦନ୍ତଧାତୁଙ୍କୁ ସ୍ଥାପନ କରିଥିଲେ।
କ୍ରମେ ଏହି ସ୍ଥଳ ସମଗ୍ର କଳିଙ୍ଗବାସୀଙ୍କର ଧାର୍ମିକ ଓ ସାଂସ୍କୃତିକ ପୀଠ ତଥା ପ୍ରାଣକେନ୍ଦ୍ର ରୂପେ ପରିଣତ ହେଲା। ସମୟକ୍ରମେ ଏହି ଦନ୍ତଧାତୁଙ୍କ ଠାରେ ବିସ୍ମୟକର ଫଳ ପ୍ରଦାନକାରୀ ଶକ୍ତି ଓ ଚମତ୍କାରୀ କ୍ଷମତା ଉପଲବ୍ଧ ହେଉଥିବା ବିଶ୍ୱାସ କରାଯାଉଥିଲା। ଏହି ବିଶ୍ୱାସର ବାର୍ତ୍ତା ଚାରିଆଡ଼େ ଖେଳି ଯାଇଥିଲା। ପାଟଳୀପୁତ୍ରର ରାଜା ପାଣ୍ଡୁଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚିଗଲା ଏବଂ ସେ ତତ୍କାଳୀନ କଳିଙ୍ଗ ରାଜା ଗୂହଶିବଙ୍କୁ ଦନ୍ତଧାତୁ ସହ ନିଜ ପାଖକୁ ଡକାଇ ବିଭିନ୍ନ ଭାବେ ହଇରାଣ ହରକତ କରିବା ସହ ଦନ୍ତଧାତୁଙ୍କର ଚମତ୍କାରୀ ଶକ୍ତିର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଲେ। କ୍ରମେ ପାଣ୍ଡୁ ମଧ୍ୟ ଏହି ଦନ୍ତଧାତୁଙ୍କ ଚମତ୍କାରୀ ଶକ୍ତିରେ ପ୍ରଭାବିତ ହୋଇ ବୌଦ୍ଧଧର୍ମକୁ ଆପଣେଇ ନେଲେ। ଏହି ସମୟରେ ଉତ୍ତର-ଭାରତର ଜନୈକ ରାଜା କ୍ଷୀରାଧାରୋ ଦନ୍ତଧାତୁଙ୍କୁ ହାସଲ କରିବା ଉଦ୍ଦେଶ୍ୟରେ ପାଟଳୀପୁତ୍ର ଆକ୍ରମଣ କଲେ; ମାତ୍ର ପରାସ୍ତ ଓ ନିହତ ହେଲେ। ଗୂହଶିବ ଆନନ୍ଦରେ ଦନ୍ତଧାତୁଙ୍କୁ ସାଙ୍ଗରେ ଧରି କଳିଙ୍ଗ ଫେରି ଆସିଲେ। ମାତ୍ର କିଛି କାଳ ପରେ କ୍ଷୀରାଧାରୋଙ୍କ ପୁତୁରା ଅନ୍ୟ ବନ୍ଧୁ ରାଜାମାନଙ୍କ ସାହାଯ୍ୟରେ ଗୂହଶିବଙ୍କ ଉପରେ ଆକ୍ରମଣ ପାଇଁ ଅଭିଯାନ ଆରମ୍ଭ କଲେ। ରାଜା ଗୂହଶିବ ଅତ୍ୟନ୍ତ ଉଦାର ମନୋଭାବସମ୍ପନ୍ନ ତଥା ଯୁଦ୍ଧ ଓ ହିଂସା ବିମୁଖ ଦୟାଳୁ ପ୍ରକୃତିର ଥିବାରୁ ଏହି ମିଳିତ ଅଭିଯାନକୁ ପ୍ରତିହତ କରିବା ଅସମ୍ଭବ ଜାଣି ନିଜ ଝିଅ ହେମମାଳା ଓ ଜ୍ୱାଇଁ ଦନ୍ତକୁମାରଙ୍କୁ ଦନ୍ତଧାତୁଙ୍କୁ ନେଇ ସମୁଦ୍ର ପଥରେ ସିଂହଳ ଯାଇ ସେଠାରେ ରାଜା ମହାସେନଙ୍କୁ ଅର୍ପଣ କରିବା ପାଇଁ ପଠାଇଲେ। ଏହା ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭିକ କାଳର ଘଟଣା। ବହୁ ବାଧାବନ୍ଧନ ସତ୍ତ୍ବେ ଶେଷରେ ଦନ୍ତଧାତୁ ସିଂହଳରେ ପହଞ୍ଚିଲେ ଏବଂ ଏହାଙ୍କୁ ତତ୍କାଳୀନ ରାଜା ମୋଘବଣ୍ଡିଙ୍କୁ ପ୍ରଦାନ କରାଗଲା। ସିଂହଳରେ ଦନ୍ତଧାତୁ ପ୍ରଥମେ ରାଜଧାନୀ ଅନୁରାଧାପୁରଠାରେ ସ୍ଥାପନ କରାଯିବା ପରେ ଶେଷରେ କାଣ୍ଡିଠାରେ ସ୍ଥାପନ କରାଯାଇଛି। କାଣ୍ଡି ଏଥିପାଇଁ ଏବେ ଏକ ପୃଥିବୀ ପ୍ରସିଦ୍ଧ ବୌଦ୍ଧସ୍ଥଳ।
ଏହିଭଳି ଭାବେ ବିଭିନ୍ନ ସିଂହଳୀୟ ପାଲିଗ୍ରନ୍ଥରେ ଦନ୍ତପୁରକୁ କଳିଙ୍ଗର ରାଜଧାନୀ ତଥା ପ୍ରଧାନ ନଗର ଭାବେ ବର୍ଣ୍ଣନା କରାଯାଇଛି। ଯାଜପୁର ଅଞ୍ଚଳରେ ପ୍ରାଚୀନ ଦନ୍ତପୁର ତଥା ପରବର୍ତ୍ତୀ କାଳର ଗୂହଦେବପାଟକ / ଗୂହଶିବପାଟକର ଅବସ୍ଥିତି ନିଶ୍ଚିତ ହୋଇଥିଲେ ମଧ୍ୟ ଏହାର ସଠିକ୍ ଅବସ୍ଥିତି ଏ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇ ପାରିନାହିଁ। ନିଶ୍ଚିତଭାବେ ପ୍ରାଚୀନ ବିରଜା କ୍ଷେତ୍ରର ପାଖାପାଖି ଅଞ୍ଚଳରେ ଏହାର ଅବସ୍ଥିତି।
ଦନ୍ତଧାତୁ ଦନ୍ତପୁରରୁ ସିଂହଳ ଚାଲିଯିବା ପରେ ଦନ୍ତପୁର କ୍ରମେ ଶ୍ରୀହୀନ ହୋଇଗଲା। ଏହାର ଅବନତି ପରେ ପୁଷ୍ପଗିରି କ୍ରମେ ଏକ ପ୍ରମୁଖ ବୌଦ୍ଧକେନ୍ଦ୍ର ରୂପେ ଖ୍ୟାତିଲାଭ କଲା। ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ସୁଦ୍ଧା ପୁଷ୍ପଗିରି ଏକ ଚମତ୍କାରୀ ତଥା ବିସ୍ମୟକାରୀ ବୌଦ୍ଧକ୍ଷେତ୍ର ଭାବେ ସମଗ୍ର ବୌଦ୍ଧଜଗତରେ ପ୍ରସିଦ୍ଧି ଲାଭ କରିଥିଲା। ଚୀନ୍ର ବୌଦ୍ଧ ପରିବ୍ରାଜକ ହୁଏନ୍ସାଂ ତାଙ୍କର ଓଡ଼ିଶା ଭ୍ରମଣ କାଳରେ ଏହି ପୀଠର ସ୍ତୂପ ତଥା ଚୈତ୍ୟର ଚମତ୍କାରିତା ଶକ୍ତି ଦ୍ୱାରା ଅତ୍ୟନ୍ତ ମୋହମୁଗ୍ଧ ହୋଇ ଏହି ବୌଦ୍ଧପୀଠ କୌଣସି ମାନବ ନୁହେଁ, ମାନବେତ୍ତର ଶକ୍ତି ଦ୍ୱାରା ନିର୍ମିତ ହୋଇଥିଲା ବୋଲି ତାଙ୍କ ବିବରଣୀରେ ଉଲ୍ଲେଖ କରିଛନ୍ତି। ହୁଏନସାଂଙ୍କ ମତରେ ‘ଏହି ଅଞ୍ଚଳର ପଶ୍ଚିମ ଦିଗରେ ଏକ ବୃହତ ପାହାଡ଼ ଉପରେ ପୁଷ୍ପଗିରି ନାମକ ଏକ ବୌଦ୍ଧମନ୍ଦିର ରହିଛି। ଏହି ବିହାରର ଏକ ପ୍ରସ୍ତର ନିର୍ମିତ ସ୍ତୂପ ଅନେକ ପାରମାର୍ଥିକ ବିସ୍ମୟକର କ୍ରିୟାମାନ ପ୍ରଦର୍ଶନ କରିଥାଏ। ବ୍ରତ-ଉପବାସ ତିଥିମାନଙ୍କରେ ଏହି ସ୍ତୂପରେ ଉଜ୍ଜ୍ୱଳ ଜ୍ୟୋତି ପ୍ରକାଶିତ ହୋଇଥାଏ। ନିକଟରୁ ଓ ଦୂରବର୍ତ୍ତୀ ଅଞ୍ଚଳରୁ ଏହି ବିସ୍ମୟକର ଘଟଣା ଘଟୁଥିବା ହେତୁ ଏଠାକୁ ବହୁ ଦର୍ଶନାର୍ଥୀ ଛୁଟି ଆସନ୍ତି ଏବଂ ମୁଖ୍ୟତଃ ପୁଷ୍ପ ଓ ପୁଷ୍ପହାର ଆଦି ଅର୍ପଣ କରିଥା’ନ୍ତି। ଏହି ସ୍ତୂପର ଉତ୍ତର-ପଶ୍ଚିମକୁ ପାହାଡ଼ ଉପରେ ଆଉ ଏକ ସ୍ତୂପ ରହିଛି ଏବଂ ଏଠାରେ ମଧ୍ୟ ପୂର୍ବସ୍ତୂପ ଭଳି ବିସ୍ମୟକର ଘଟଣାମାନ ଘଟିଥାଏ। ଏହି ଉଭୟ ସ୍ତୂପ ମାନବେତ୍ତର ଶକ୍ତି ଦ୍ୱାରା ନିର୍ମିତ ହୋଇଥିବାରୁ ଏହିଭଳି ଚମତ୍କାରୀ ଘଟଣାମାନ ଘଟିଥାଏ’।
ହୁଏନସାଂ ତାଙ୍କ ବିବରଣୀରେ କେବଳ ପୁଷ୍ପଗିରିର ସ୍ତୂପର ଅଦ୍ଭୁତ ଘଟଣା ସମ୍ପର୍କରେ ସୂଚାଇଛନ୍ତି। ପୁଷ୍ପଗିରି ସମ୍ପର୍କୀୟ ତାଙ୍କ ବିବରଣୀ ସିଂହଳୀୟ ଗ୍ରନ୍ଥ ଦାଠାବଂଶରେ ବର୍ଣ୍ଣିତ ଦନ୍ତପୁରର ବିସ୍ମୟକାରୀ ଘଟଣାକ୍ରମ ସହ ମିଳିଯାଉଛି। ଉଭୟ ଦନ୍ତପୁର ଓ ପୁଷ୍ପଗିରି ନିଶ୍ଚିତ ଭାବେ ବୌଦ୍ଧଧର୍ମର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥଳ ଓ ସପ୍ତମ ଶତାବ୍ଦୀ ବେଳକୁ ପୁଷ୍ପଗିରି ନିଶ୍ଚିତ ଭାବେ ଏକ ପ୍ରସିଦ୍ଧ ଓ ପ୍ରମୁଖ ବୌଦ୍ଧସ୍ଥଳ ହୋଇଥିବ।
ପୁଷ୍ପଗିରି ବୌଦ୍ଧପୀଠର ସଠିକ ଅବସ୍ଥିତିର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ଓ ଖନନ ପରେ ଯାଜପୁର ଅଞ୍ଚଳର ଧର୍ମଶାଳା ଥାନା ଅନ୍ତର୍ଗତ କେଲୁଆ ନଦୀ କୂଳରେ ଅବସ୍ଥିତ ଲାଙ୍ଗୁଡ଼ି ପାହାଡ଼କୁ ହୁଏନସାଂଙ୍କ ବର୍ଣ୍ଣିତ ପୁଷ୍ପଗିରି ଭାବରେ ଚିହ୍ନଟ କରାଯାଇଛି। ଏହି ଚିହ୍ନଟ ପ୍ରକ୍ରିୟା ମୁଖ୍ୟତଃ ତିନିଗୋଟି ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ। ହୁଏନସାଂଙ୍କ ବର୍ଣ୍ଣନା ଅନୁଯାୟୀ ଏହି ସ୍ଥାନର ଅବସ୍ଥିତି, ପ୍ରତ୍ନତାତ୍ତ୍ୱିକ ନିର୍ଣ୍ଣୟ ଓ ଶିଳାଲେଖର ଉଦ୍ଧାର ତଥା ସଠିକ ପଠନ ଓ ତଥ୍ୟ ନିର୍ଣ୍ଣୟ ହୋଇଛି।
ଲାଙ୍ଗୁଡ଼ିର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ପ୍ରାପ୍ତ ପୁରାକାଳୀନ ପଦାର୍ଥଗୁଡ଼ିକରୁ ଜଣାଯାଏ ଯେ ବୌଦ୍ଧସ୍ଥଳ ପାହାଡ଼ର ଉପରି ଅଂଶରେ ଉତ୍ତର, ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ। ଖନନ ଫଳରେ ପ୍ରାପ୍ତ ବୌଦ୍ଧବସ୍ତୁ ଓ ବୌଦ୍ଧ ମୂର୍ତ୍ତିମାନ ଉଦ୍ଧାର କରାଯାଇଛି। ବୌଦ୍ଧବିହାରର କାନ୍ଥ ଓ ପ୍ରାଚୀର; ଭିକ୍ଷୁଙ୍କ କୋଠରି; ଟେରାକୋଟା ବସ୍ତୁ, ମହାଯାନ ଓ ବଜ୍ରଯାନର ପଞ୍ଚଧ୍ୟାନୀବୁଦ୍ଧ ସମେତ ବିଭିନ୍ନ ଦେବପ୍ରତିମା ସବୁ ବୌଦ୍ଧ ସ୍ତୂପ ଏବଂ ସ୍ତୂପ ଚାରିପାଖରେ ପରିଭ୍ରମଣ ପଥ ଆଦି ମଧ୍ୟ ଆବିଷ୍କାର କରାଯାଇଛି।
ଲାଙ୍ଗୁଡ଼ି ପାହାଡ଼ରୁ ଉଦ୍ଧାର କରାଯାଇଥିବା ମୁଖ୍ୟ ପ୍ରତ୍ନତାତ୍ତ୍ୱିକ ପଦାର୍ଥ ହେଲା ତିନିଗୋଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିଳାଲେଖ। ପ୍ରଥମଟି ‘ପୁଷ୍ପସ-ଭାର-ଗିରୟ-ହଳଧର-କାସ-ପ୍ରରଚା-ବଳସ’ (୨ୟ ଶତାବ୍ଦୀ), ଦ୍ୱିତୀୟଟି ‘ପୁଷ୍ପ-ସଭାର-ଗିରୟ’ (୨ୟ ଶତାବ୍ଦୀ), ତୃତୀୟଟି ‘ୟେ ଧମ୍ମହେତୁପ୍ରବମହେତୁମ୍ତେସୁମ୍ ହେ ତଥାଗତ ଅବଦାତଚ… (୬ଷ୍ଠ-୭ମ ଶତାବ୍ଦୀ)। ଏହି ଶିଳାଲେଖରୁ ହିଁ ଏହି ସ୍ଥଳଟି ପୁଷ୍ପଗିରି ବିହାର ଭାବେ ଚିହ୍ନଟ କରାଯାଇ ପାରିଛି। ପ୍ରଥମ ଓ ଦ୍ୱିତୀୟ ଶିଳାଲେଖର ଅର୍ଥ ହେଲା- ‘ଫୁଲଭରା ମହାନ୍ ପାହାଡ଼’ ଓ ‘ପୁଷ୍ପଗିରି କାନନର ହଳଧାରୀ’। ଏହାର ଅର୍ଥ ହେଉଛି ପୁଷ୍ପଗିରି ବିହାରରେ ବିହାରର ଚାଷକାର୍ଯ୍ୟ କରୁଥିବା ବ୍ୟକ୍ତି। ଏହି ସବୁ ତଥ୍ୟରୁ ଏହା ସ୍ପଷ୍ଟ ରୂପେ ଜଣାଯାଏ ଯେ ଲାଙ୍ଗୁଡ଼ି ପାହାଡ଼ ଏକ ପ୍ରସିଦ୍ଧ ବୌଦ୍ଧପୀଠ ଥିଲା ଏବଂ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଏହା ହିଁ ହୁଏନସାଂଙ୍କ ବର୍ଣ୍ଣିତ ‘ପୁଷ୍ପଗିରି ବିହାର’। ଏହା ମଧ୍ୟ ହେଉଛି ପୃଥିବୀ ପ୍ରସିଦ୍ଧ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ।
ପ୍ରବୀର କୁମାର ପଟ୍ଟନାୟକ
ଭୁବନେଶ୍ୱର, ମୋ: ୭୨୦୫୦୨୨୭୯୦