ଜୀବନ ଜିଇଁବାର କଳା
ଆଜିର ଦୁନିଆରେ ନିଜକୁ ବଞ୍ଚାଇବା ପାଇଁ ସମସ୍ତେ ବ୍ୟସ୍ତ। ଆମେ ସମସ୍ତେ ଭୁଲି ଯାଇଛୁ ଜିଇଁବାର କଳା, ବଞ୍ଚିଛୁ କେବଳ ଅଭିନୟରେ। ଆକାଶ ପାତାଳର ତଫାତ୍ ଏଇ ଜିଇଁବା ଓ ବଞ୍ଚିବା ଭିତରେ। ପଶୁ-ପକ୍ଷୀ, ପୋକ-ଜୋକ, କୀଟ-ପତଙ୍ଗ ସମସ୍ତେ ବଞ୍ଚନ୍ତି, କିନ୍ତୁ ଜିଇଁପାରେ କେବଳ ଏ ସୃଷ୍ଟିର ସର୍ବଶ୍ରେଷ୍ଠ ଜୀବ ମଣିଷ। ସେ କଳା ପୁଣି ସବୁ ମଣିଷଙ୍କ ପାଖରେ ନଥାଏ ବା ସବୁ ମଣିଷ ଅପଣାଇବାକୁ ଚାହାନ୍ତି ନାହିଁ। ଆଉ ସେଇଥିପାଇଁ ହିଁ ସେମାନେ ପଶୁ […]


ଆଜିର ଦୁନିଆରେ ନିଜକୁ ବଞ୍ଚାଇବା ପାଇଁ ସମସ୍ତେ ବ୍ୟସ୍ତ। ଆମେ ସମସ୍ତେ ଭୁଲି ଯାଇଛୁ ଜିଇଁବାର କଳା, ବଞ୍ଚିଛୁ କେବଳ ଅଭିନୟରେ। ଆକାଶ ପାତାଳର ତଫାତ୍ ଏଇ ଜିଇଁବା ଓ ବଞ୍ଚିବା ଭିତରେ। ପଶୁ-ପକ୍ଷୀ, ପୋକ-ଜୋକ, କୀଟ-ପତଙ୍ଗ ସମସ୍ତେ ବଞ୍ଚନ୍ତି, କିନ୍ତୁ ଜିଇଁପାରେ କେବଳ ଏ ସୃଷ୍ଟିର ସର୍ବଶ୍ରେଷ୍ଠ ଜୀବ ମଣିଷ। ସେ କଳା ପୁଣି ସବୁ ମଣିଷଙ୍କ ପାଖରେ ନଥାଏ ବା ସବୁ ମଣିଷ ଅପଣାଇବାକୁ ଚାହାନ୍ତି ନାହିଁ। ଆଉ ସେଇଥିପାଇଁ ହିଁ ସେମାନେ ପଶୁ ପରି ବଞ୍ଚନ୍ତି।
ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ଯାଏଁ ସାଥିରେ ରହିବାର ପ୍ରତିଶ୍ରୁତି ଦେଇଥିବା ସ୍ୱାମୀ ଯେଉଁଠି ନିଜ ସୁଖ ପାଇଁ ସାତସେକେଣ୍ଡରେ ନିଜ ଜୀବନରୁ ଚିରଦିନ ପାଇଁ ହଟାଇ ଦେଇପାରୁଛି ସ୍ତ୍ରୀକୁ, ସମ୍ପତ୍ତି ଲୋଭରେ ବା ସ୍ୱାର୍ଥ ସାଧନ ପାଇଁ ଭାଇ ହତ୍ୟା କରୁଛି ରକ୍ତର ଭାଇକୁ, କାମାସକ୍ତ ବାପର ଜାନ୍ତବ କ୍ଷୁଧାରେ ବଳି ପଡ଼ୁଛି ଲକ୍ଷ୍ମୀପ୍ରତିମ କନ୍ୟା, ପରକୀୟା ପ୍ରେମରେ ମା’ଟିଏ ପ୍ରତିବନ୍ଧକ ହଟାଇବା ପାଇଁ ପର ପୁରୁଷର ସହାୟତାରେ ମାରି ଦେଇପାରୁଛି ଅନ୍ତଫାଡ଼ି ଜନ୍ମ ଦେଇଥିବା ସନ୍ତାନଙ୍କୁ, ସେଇଠି ବିରୋଧୀ ବା ପ୍ରତିଦ୍ୱନ୍ଦ୍ୱୀଙ୍କ ବିଷୟରେ ଆମେ କି ବିଚାର କରିବୁ, ସେ ବ୍ୟକ୍ତିବିଶେଷ ହୁଅନ୍ତୁ, ରାଜ୍ୟ ବା ଦେଶ। ଏହା ହିଁ କଣ ଜଗତର ଶ୍ରେଷ୍ଠଜୀବର ଜୀବନ ଜିଇଁବାର କଳା?
ରୁଷ୍-ୟୁକ୍ରେନ ଯୁଦ୍ଧ ହେଉ ବା ଲେବାନନ-ଇସ୍ରାଏଲ, ସବୁଠି ସ୍ପଷ୍ଟ ଦୃଶ୍ୟମାନ ଅହଙ୍କାରର ହିଂସ୍ରପଣ। ସମୂହ ସ୍ୱାର୍ଥଠାରୁ ବଳି ଯାଇଛି ବ୍ୟକ୍ତି ସ୍ୱାର୍ଥ। ପ୍ରତିଦ୍ୱନ୍ଦ୍ୱିତାର ପ୍ରଚଣ୍ଡ ପ୍ରବଣତାରେ ଜର୍ଜରିତ ବ୍ୟକ୍ତି। ପରିଣାମରେ ଧ୍ୱସ୍ତବିଧ୍ୱସ୍ତ ଦେଶମାତୃକା। ଚାରିଆଡ଼େ ଗଦାଗଦା ଜିଅଁନ୍ତା ଦଗ୍ଧ ଶରୀରର ସ୍ତୂପ ଓ କ୍ଷତାକ୍ତ ଅର୍ଦ୍ଧଦଗ୍ଧ ନିରୀହ ଦେଶବାସୀଙ୍କ ବୀଭତ୍ସ ଚିତ୍ର। ତଥାପି ଫରକ ପଡ଼େନି କିଛି ସେଇ ସ୍ୱାର୍ଥୀ, ବର୍ବର, ବିବେକହୀନ, ଜଙ୍ଗଲୀ ଜନ୍ତୁଠାରୁ ବି ହିଂସ୍ର ମନୁଷ୍ୟର କାର୍ଯ୍ୟକଳାପ କିମ୍ବା ମାନସିକତାରେ।
ସମ୍ପ୍ରତି କେବଳ ଏଇ ଦୁଇଟି ଯୁଦ୍ଧ ବିଭୀଷିକାମୟ କଳାଫର୍ଦ୍ଦର ଚିତ୍ରଣରେ ବା ଉଦାହରଣରେ ଆମର ବିପତ୍ତିର ବିପଣୀ ସୀମିତ ନୁହେଁ। ଆଧୁନିକତାର ଆଳରେ ଗଢ଼ି ଉଠୁଥିବା ପ୍ରତ୍ୟେକ ଯନ୍ତ୍ର, ଯାନ, ଶିଳ୍ପ ବା ପ୍ରମୋଦ ପ୍ରଦାନକାରୀ ଉପକରଣର ତ୍ରୁଟିଯୁକ୍ତ ବା ମାତ୍ରାଧିକ ବ୍ୟବହାର ସାଜିଛି ପରିବେଶ ପ୍ରଦୂଷଣର ପ୍ରତ୍ୟକ୍ଷ ଏବଂ ଜଳବାୟୁ ପରିବର୍ତ୍ତନର ପରୋକ୍ଷ କାରଣ। ଯାହାଫଳରେ ଉଭୟ ଉଦ୍ଭିଦ ଓ ପ୍ରାଣିଜଗତ ହେଉଛି ଭୀଷଣ କ୍ଷତିଗ୍ରସ୍ତ। ନାହିଁ ନଥିବା ବିପଦର ସମ୍ମୁଖୀନ ହେଉଛନ୍ତି ପ୍ରତ୍ୟେକ ସଜୀବ। ଜଳ, ସ୍ଥଳ ବା ଆକାଶ, କେଉଁଠି ବି ସେ ସୁରକ୍ଷିତ ନୁହେଁ। ବିଷାକ୍ତ କୁହେଳିର ଅମୁହାଁ ଜାଲରେ ସେ ବନ୍ଦୀ। ଗହଳ ଧୂମାଳ ଆସ୍ତରଣ ଭେଦି ତା’ର ଚିତ୍କାର ପହଞ୍ଚି ପାରୁନି ବିବେକବନ୍ତ ବିଶ୍ୱନିୟନ୍ତା ପାଖରେ। ଅକାରଣେ ଛଟପଟ ହୋଇ ସେ ଛାଡ଼ୁଛି ତା’ର ପ୍ରାଣ। ଛାତି ଫାଟି ଯାଉଛି ମା’ ମାଟିର। ବିକଳ ହେଉଛି ସନ୍ତାନର ଅକାଳ ବିୟୋଗରେ। ମରୁଭୂମିରେ ପରିଣତ ହେଉଛି ଘଞ୍ଚ ଜଙ୍ଗଲ।
କେବଳ ଜଙ୍ଗଲ ନୁହେଁ, ଜଳ ଓ ଜମିର ବି ଅବସ୍ଥା ଏକାକାର। ଆମ ଶୋଷ ମେଣ୍ଟିବା ଆଗରୁ କିଏ ଶୋଷି ନେଲାଣି ସବୁତକ ପାଣି ତ କିଏ ତା’ର ସରହଦ ଡେଇଁ ବାଡ଼ ବସାଇଲାଣି ଆମ ଅମୂଲ ମୂଲ ଜମିରେ। ପୁଣି କିଏ ଲୁଟି ନେଲାଣି ଆମ ଖଣି ଓ ଖାଦାନ। ଅନ୍ଧ ପୁଟୁଳି ବାନ୍ଧି ଆମ ସୁପ୍ତ ଚେତନାରେ। ନା ଏବେ ଖାଇବାକୁ ଆମ ପାଖରେ ଖାଦ୍ୟ ଅଛି ନା ପିଇବାକୁ ପାଣି। ଜଙ୍ଗଲ ବି ସଫା, ନିଲାମ ହେଇସାରିଛି ସବୁ ଖଣି। ଏବେ ବିନା ବନ୍ୟାରେ ବାଲିଚର ଆମ ଚାଷ ଜମି, ବାତ୍ୟାର ବିତ୍ପାତରେ ଉତ୍ପୀଡ଼ିତ ଜୀବନ। ସେ ଦିନ ବି ଆଉ ଦୂର ନୁହେଁ ସହିବାକୁ ଦୌରାତ୍ମ୍ୟ ଦୁର୍ଭିକ୍ଷର।
‘ଚିକିତ୍ସା ଅପେକ୍ଷା ପ୍ରତିକାର ଭଲ’ ନ୍ୟାୟରେ ଆଖିରୁ ଅନ୍ଧପୁଟୁଳି ଫିଟାଇ ଆମ ଚେତନାକୁ ଜାଗ୍ରତ କରାଇ ପାରିଲେ ଆଶଙ୍କିତ ବିପଦକୁ ଆମେ ନିଶ୍ଚିତ ଏଡ଼ାଇ ଦେଇପାରିବୁ। ସମଗ୍ର ବିଶ୍ୱର ସର୍ବବୃହତ୍ ସମସ୍ୟା, ଜଳବାୟୁ ପରିବର୍ତ୍ତନ ଓ ତା’ର ପ୍ରତିକୂଳ ପ୍ରଭାବରୁ ମୁକ୍ତ ହୋଇ ଏ ଧରଣୀ ବକ୍ଷରେ ସୁନ୍ଦର ତଥା ସାବଲୀଳ ଜୀବନ ଜିଇଁପାରିବୁ। ତେବେ ଚାଲନ୍ତୁ ନା ପାଶ୍ଚାତ୍ୟ ନୀତି ପରିତ୍ୟାଗ କରି ଆମ ସଂସ୍କୃତିକୁ ଅପଣାଇବା। କୃତ୍ରିମତା ବଦଳରେ ପ୍ରାକୃତିକତାରେ ବିଶ୍ୱାସ ରଖିବା। ମଣିଷର ବଞ୍ଚିରହିବା ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ତିନୋଟି ମୌଳିକ ଆବଶ୍ୟକତାର ପୂରଣ ନିମନ୍ତେ ବୃକ୍ଷରୋପଣ ବା ଅନାବାଦୀ ଜମିରେ ଜଙ୍ଗଲଟିଏ ସୃଷ୍ଟି କରିବା। ନିଜ ଜନ୍ମଦିନରେ କେକ୍ ପରିବର୍ତ୍ତେ ପ୍ରତ୍ୟେକ ସାଙ୍ଗସାଥୀଙ୍କୁ ଗୋଟିଏ ଗୋଟିଏ ଗଛ ବାଣ୍ଟିବା। ସାଙ୍ଗମାନଙ୍କ ଜନ୍ମଦିନରେ ଗଛ ଉପହାର ଦେବା ଏବଂ ମା’ ପାଇଁ ଗଛଟିଏ ନିଶ୍ଚିତ ଲଗାଇବା।
ସୁସ୍ମିତା ମହାପାତ୍ର
ମୋ: ୭୯୭୮୪୪୯୨୧୮