କୃଷିକ୍ଷେତ୍ରରେ ଡ୍ରୋନ୍ ଉପଯୋଗ
କୃଷି ମାନବ ସଭ୍ୟତାର ଆଦି ବୃତ୍ତି। ଅଳିଆ ଗଦାରୁ କୃଷିର ଜନ୍ମ ବୋଲି ଡମ୍ପ ଏବଂ ହିପ୍ ହାଇପୋଥେସିସ୍ ସୂଚନା ଦେଇଥାଏ। ମହିଳାମାନେ ପ୍ରଥମେ କୃଷି କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଉଭୟ ପୁରୁଷ ଓ ମହିଳା କୃଷି କାର୍ଯ୍ୟରେ ନିୟୋଜିତ ହେଲେ। ଆମ ଦେଶ ଓ ରାଜ୍ୟରେ ବିଗତ ଶତାଦ୍ଦୀର ଷଷ୍ଠ ଦଶକ ଯାଏଁ କୃଷି କାର୍ଯ୍ୟ ମୁଖ୍ୟତଃ ପାରମ୍ପରିକ ଥିଲା। ସବୁଜ ବିପ୍ଳବ (୧୯୬୮-୧୯୭୦) ସମୟରୁ ଆଧୁନିକ କୃଷିର ଅୟମାରମ୍ଭ ହେଲା। […]


କୃଷି ମାନବ ସଭ୍ୟତାର ଆଦି ବୃତ୍ତି। ଅଳିଆ ଗଦାରୁ କୃଷିର ଜନ୍ମ ବୋଲି ଡମ୍ପ ଏବଂ ହିପ୍ ହାଇପୋଥେସିସ୍ ସୂଚନା ଦେଇଥାଏ। ମହିଳାମାନେ ପ୍ରଥମେ କୃଷି କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଉଭୟ ପୁରୁଷ ଓ ମହିଳା କୃଷି କାର୍ଯ୍ୟରେ ନିୟୋଜିତ ହେଲେ। ଆମ ଦେଶ ଓ ରାଜ୍ୟରେ ବିଗତ ଶତାଦ୍ଦୀର ଷଷ୍ଠ ଦଶକ ଯାଏଁ କୃଷି କାର୍ଯ୍ୟ ମୁଖ୍ୟତଃ ପାରମ୍ପରିକ ଥିଲା। ସବୁଜ ବିପ୍ଳବ (୧୯୬୮-୧୯୭୦) ସମୟରୁ ଆଧୁନିକ କୃଷିର ଅୟମାରମ୍ଭ ହେଲା। ଇତିମଧ୍ୟରେ ପାରମ୍ପରିକ କୃଷିରୁ ଆମେ ପ୍ରଯୁକ୍ତିଯୁକ୍ତ କୃଷିରେ ପ୍ରବେଶ କରିଛୁ। ଜୀବନଧାରଣ କୃଷି ସମ୍ପ୍ରତି ବ୍ୟବସାୟିକ କୃଷିରେ ରୂପାନ୍ତରିତ ହେଲାଣି। ଅଧିକ ଅମଳକ୍ଷମ ବିହନ, ରାସାୟନିକ ସାର, କୃଷି ରସାୟନ, କୃଷି ଯନ୍ତ୍ରପାତିର ବ୍ୟବହାର ଓ ଜଳସେଚନ ସୁବିଧା ଉପଯୋଗ କରି ସବୁଜ ବିପ୍ଳବ ଆମ ଦେଶରେ କାର୍ଯ୍ୟକାରୀ ହୋଇଥିଲା। ବିବିଧ ନୂତନ କୃଷି ପ୍ରଯୁକ୍ତିର ବିକାଶ ହେବା ଫଳରେ ଆମ କୃଷକ କୃଷି କ୍ଷେତ୍ରରେ ଏହି ଜ୍ଞାନକୌଶଳ ବିନିଯୋଗ କରି ଫସଲର ଉଭୟ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିପାରିଛନ୍ତି। ସମ୍ପ୍ରତି ପରିବେଶଗତ ସମସ୍ୟା ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି କ୍ଷେତ୍ରର ଏହି ଉତ୍ପାଦକତାରେ ସ୍ଥିରତା ରହିପାରୁନାହିଁ। ଏଥିପାଇଁ ପୋଷଣୀୟ କୃଷି ବା ଚିରପୋଷ୍ୟମାନ କୃଷି ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ କୃଷି ପଦକ୍ଷେପ ପୋଷଣୀୟ କୃଷିକୁ ସମ୍ଭବ କରୁଥିବା ବେଳେ ସମ୍ପ୍ରତି କୃଷି କ୍ଷେତ୍ରରେ ଡ୍ରୋନ୍ର ଉପଯୋଗ ଏହାକୁ ପ୍ରୋତ୍ସାହିତ କରିବା ପୂର୍ବକ ଏକ ଅଭିନବ ପ୍ରଯୁକ୍ତି ଭାବେ ଗ୍ରହଣୀୟ ହୋଇପାରିଛି।
ଆମ ଦେଶ ଓ ରାଜ୍ୟରେ କୃଷି କ୍ଷେତ୍ରରେ ଦ୍ରୁତ ରୂପାନ୍ତରୀକରଣ ନିମନ୍ତେ ଡ୍ରୋନ୍ ପ୍ରଯୁକ୍ତିର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ। କୃଷିକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଡିଜିଟାଲ୍ କୃଷିର ପ୍ରୋତ୍ସାହନ ନିମନ୍ତେ ଡ୍ରୋନ୍ ପ୍ରଯୁକ୍ତିର ଉପଯୋଗ ଭାରତ ସରକାରଙ୍କ ଏକ ମୁଖ୍ୟ ଦିଗ ଭାବେ ବିବେଚିତ ହୋଇଛି। ଫସଲହାନି, ଅନିୟମିତ ପାଣିପାଗ, ରୋଗ ପୋକ ସମସ୍ୟା ଓ ଅନ୍ୟାନ୍ୟ ବହୁ ଉତ୍ପାଦକ ଦ୍ୱାରା ଆମ କୃଷି ପ୍ରଭାବିତ ହେଉଛି। ବୟସ୍କ କୃଷକ ବିଶେଷତଃ କୃଷି ରସାୟନ ପ୍ରୟୋଗ ସମୟରେ ପ୍ରତ୍ୟକ୍ଷ ଭାବେ ଏହାର ସଂସ୍ପର୍ଶରେ ଆସୁଛନ୍ତି। ଫଳରେ ସେମାନେ ଶ୍ୱାସକ୍ରିୟା ଜନିତ ଓ କର୍କଟ ରୋଗ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଖାଉଟିମାନେ ଅଧିକ କୀଟନାଶକ ଅବଶେଷ ଥିବା ଖାଦ୍ୟ ଖାଉଛନ୍ତି। ମୃତ୍ତିକା, ଜଳ, ଉଦ୍ଭିଦ ଓ ଜୀବଜନ୍ତୁ ଅତ୍ୟଧିକ ଓ ନିର୍ବିଚାର କୀଟନାଶକ ପ୍ରୟୋଗ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଡ୍ରୋନ୍ ବ୍ୟବସ୍ଥା ସଠିକ୍ କୃଷି ବା ପ୍ରିସିସନ୍ ଫାର୍ମିଂ ପାଇଁ ନୂତନ ଯୁଗର ପଥପଦର୍ଶକ। ଏହା ବାୟୁମଣ୍ଡଳର ତଥ୍ୟ ସଂଗ୍ରହ କରି କୃଷି କ୍ଷେତ୍ରକୁ ନୂତନ ରୂପ ପ୍ରଦାନ କରୁଛି। ଏହାଦ୍ୱାରା କୃଷି କ୍ଷେତ୍ରର ଦକ୍ଷତା ଅଧିକ ହେଉଛି। କୃଷିରେ ପୋଷ୍ୟମାନତା ଓ ଉତ୍ପାଦକତା ମଧ୍ୟ ବୃଦ୍ଧି ପାଉଛି। ଏହାଦ୍ୱାରା କୃଷକ ଓ କୃଷି ପରିବେଶ କୃଷି ରସାୟନର ପ୍ରତ୍ୟକ୍ଷ ସଂସ୍ପର୍ଶକୁ ପ୍ରତିହତ କରିବା ସହିତ ପର୍ଯ୍ୟାବରଣ ସର୍ବନିମ୍ନ ପ୍ରଦୂଷିତ ହେଉଛି। ଡ୍ରୋନ୍ ପ୍ରଯୁକ୍ତିର ପ୍ରୟୋଗ ଦ୍ୱାରା କୃଷକ ଆଗୁଆ ଫସଲ ହାନି ସମ୍ବନ୍ଧରେ ଅବଗତ ହୋଇପାରିବେ। ପାଣିପାଗର ଅନିୟମିତତା ପରିପ୍ରେକ୍ଷୀରେ ଫସଲ ସୁରକ୍ଷା କରିବା ପାଇଁ ସତର୍କ ହୋଇପାରିବେ। ରୋଗ ଓ ପୋକ ଫସଲକୁ କ୍ଷତି କରିବା ପୂର୍ବରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ। ଉଦାହରଣ ସ୍ୱରୂପ କୌଣସି ଏକ କୀଟ ହଜାରେ ଏକରକୁ ମାଡ଼ିଯିବା ଫଳରେ ହଜାରେ ଲିଟର କୀଟନାଶକ ସିଞ୍ଚନ ନ କରି କୁତ୍ରିମ ବୁଦ୍ଧିମତ୍ତା ବିନିଯୋଗ କରୁଥିବା ଡ୍ରୋନ୍ କୀଟ ଆକ୍ରମଣର ଆରମ୍ଭ ଚକଡ଼ା ଚିହ୍ନଟ କରିପାରିବ। ଏହାଦ୍ୱାରା ରୋଗ ପୋକ ବିସ୍ତାରକୁ ପ୍ରତିହତ କରାଯାଇପାରିବ। ଫଳରେ ସମ୍ବଳ ସୁରକ୍ଷା ହେବା ସହିତ କୃଷି ପରିବେଶରେ ସୃଷ୍ଟି ହେବାକୁ ଥିବା ବିପଦ ଆଶଙ୍କାକୁ ଯଥାସମ୍ଭବ କମ୍ କରାଯାଇପାରିବ।
କୃତ୍ରିମ ବୁଦ୍ଧିମତ୍ତାଯୁକ୍ତ ଡ୍ରୋନ୍ ରୋଗ ପୋକ ଚାପ, ଜଳ ଚାପ ଓ ଖାଦ୍ୟସାର ଚାପ ଆଗୁଆ ଚିହ୍ନଟ କରିପାରିବ ଏବଂ ଉପଯୁକ୍ତ ସମୟରେ ଏମାନଙ୍କର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ। ଏ ସମସ୍ୟା ଜାଣିସାରିବା ପରେ କ୍ଷେତରେ ସବୁଆଡ଼େ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ନ କରି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଏହାଦ୍ୱାରା ଫସଲ ଅମଳ ଅଧିକ ହୁଏ ଏବଂ କୃଷକ ଅଧିକ ଅର୍ଥ ପାଇବା ସହିତ କୃଷି ପରିବେଶ ସନ୍ତୁଳିତ ରହେ। ସୁତରାଂ ଡ୍ରୋନ୍ ପ୍ରଯୁକ୍ତି ସଠିକ୍ କୃଷି ପଦ୍ଧତି ଅବଲମ୍ବନ ମାଧ୍ୟମରେ କୃଷିକୁ ପୁନର୍ବିନ୍ୟାସ କରିଥାଏ।
କୃଷି କ୍ଷେତ୍ରରେ ଡ୍ରୋନ୍ ଫସଲ ପଦ୍ଧତି ପରିଚାଳନା ସହିତ, ଫସଲ ହାନି ନ ହେବା ପାଇଁ ପାଣିପାଗ ସତର୍କତା, ସାର ସିଞ୍ଚନ, ମୃତ୍ତିକା ଓ କ୍ଷେତ ବିଶ୍ଳେଷଣ, ଆବଶ୍ୟକୀୟ ପରିମାଣର ରାସାୟନିକ ବ୍ୟବହାର କାର୍ଯ୍ୟ କରିଥାଏ। ଏହା ସହିତ ଡ୍ରୋନ୍ ମଧ୍ୟ ପ୍ରାଣୀ ଧନର ଗତି ଓ ଗଣନା କରିପାରୁଛି। ଜଳସେଚନ ପରିଚାଳନା ସହିତ ମୃତ୍ତିକା ଓ ଜଳ ନମୁନା ସଂଗ୍ରହ ଓ ସମସ୍ୟାର ଲକ୍ଷଣ ଜାଣିବାରେ ବିନିଯୋଗ ହୋଇପାରୁଛି। ଆମ ଦେଶରେ କୃଷକମାନଙ୍କ ପାଇଁ ଡ୍ରୋନ୍ ବ୍ୟବହାରର ଏ ସମସ୍ତ ସୁଯୋଗ ସୃଷ୍ଟି କରିବା ନିମନ୍ତେ ବହୁ ସରକାରୀ ସଂସ୍ଥା ଓ କଂପାନୀ ନିଜକୁ ସାମିଲ କରିଛନ୍ତି। ସମ୍ପ୍ରତି ଦେଶ ଓ ରାଜ୍ୟରେ ବହୁସଂଖ୍ୟକ ଯୁବକଯୁବତୀ କର୍ପୋରେଟ୍ ସଂସ୍ଥାନ ଛାଡ଼ି ବ୍ୟବସାୟିକ କୃଷି କ୍ଷେତ୍ର ପ୍ରତି ଆକୃଷ୍ଟ ହେଉଛନ୍ତି। ସେମାନେ ଏହି ପ୍ରଯୁକ୍ତିକୁ ଉତ୍ତମ ଭାବେ କୃଷି କ୍ଷେତ୍ରରେ ବିନିଯୋଗ କରିବାର ଉଜ୍ଜ୍ୱଳ ଭବିଷ୍ୟତ ଦୃଶ୍ୟମାନ ହେଉଛି।
ଭବିଷ୍ୟତରେ ବିବିଧ ପ୍ରଯୁକ୍ତି ଯୁକ୍ତ ଡ୍ରୋନ୍ ନିର୍ମାଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଡ୍ରୋନ୍ର ବ୍ୟବହାର କୃଷକଙ୍କୁ ଉତ୍ତମ ଭାବେ ସୁହାଇବା ଆବଶ୍ୟକ। ଏସବୁ ଆହ୍ୱାନର ସମାଧାନ ଉଦ୍ଦେଶ୍ୟରେ ଗବେଷକ ଓ କଂପାନୀମାନେ ଉଚ୍ଚସ୍ତରୀୟ ଡ୍ରୋନ୍ ପ୍ରଯୁକ୍ତିର ବିକାଶ ନିମନ୍ତେ କାର୍ଯ୍ୟରତ ଅଛନ୍ତି। ଏହା ସଫଳ ହେଲେ ଡ୍ରୋନ୍ ଅଧିକ ସମୟ ଉଡ଼ିପାରିବ, ବିଶେଷ ଭାବେ ପାଣିପାଗ ପ୍ରତିରୋଧୀ ହେବ ଏବଂ କୃଷକଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ। ଏହି ପ୍ରଯୁକ୍ତି ନିରନ୍ତର ବିକାଶଲାଭ କରୁଥିବାରୁ ଡ୍ରୋନ୍ ସହାୟକ କୃଷି ସମୃଦ୍ଧ ହେବ ଏବଂ ଅଧିକ ସଂଖ୍ୟକ କୃଷକ କୃଷି କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର କରିପାରିବେ। କେନ୍ଦ୍ର ସରକାରଙ୍କ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନାରେ ଡ୍ରୋନ୍ ନିର୍ମାଣକୁ ଉତ୍ସାହିତ କରାଯାଉଛି। ଭାରତୀୟ କୃଷି ଗବେଷଣା ପରିଷଦ ଓ ଅନ୍ୟ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ପାଇଁ କେନ୍ଦ୍ର ସରକାର କୃଷି ଗବେଷଣା କାର୍ଯ୍ୟ ନିମନ୍ତେ ଡ୍ରୋନ୍ ବ୍ୟବହାରକୁ ଅନୁମୋଦନ ମଧ୍ୟ କରିଛନ୍ତି। ଗବେଷକ ଓ ଉଦ୍ୟୋଗୀମାନେ କୃଷକଙ୍କ ବଜେଟ୍କୁ ସୁହାଇଲା ଭଳି ଡ୍ରୋନ୍ ନିର୍ମାଣ କରି ଦେଶରେ ୬.୬ଲକ୍ଷ ଗ୍ରାମକୁ ଡ୍ରୋନ୍ ସୁବିଧା ଯୋଗାଇ ଦେବାକୁ ସରକାର ଆଶା ପୋଷଣ କରିଛନ୍ତି। ଏହାଦ୍ୱାରା ଦୁର୍ଗମ ଅଞ୍ଚଳର କୃଷକ ମଧ୍ୟ ଡ୍ରୋନ୍ ପ୍ରଯୁକ୍ତିର ବ୍ୟବହାର କରିପାରିବେ।
୨୦୨୨ମସିହା ମେ ମାସରେ ‘ଭାରତ ଡ୍ରୋନ୍ ମହୋତ୍ସବ’ ଆୟୋଜିତ ହୋଇଥିଲା। ସମ୍ପ୍ରତି ଭାରତୀୟ କୃଷିରେ ଡ୍ରୋନ୍ ବ୍ୟବହାରକୁ ଏକ ଆଧାରଶିଳା ଭାବେ ବିବେଚନା କରାଯାଉଛି; କାରଣ ଏହା କୃଷି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବାର ଅପାର ସମ୍ଭାବନା ରହିଛି। ଭାରତ ସରକାର ଡ୍ରୋନ୍ ପ୍ରଯୁକ୍ତିକୁ ପ୍ରସାର କରିବା ପାଇଁ କୃଷିକ୍ଷେତ୍ର ସହିତ ଜଡ଼ିତ ପରାମର୍ଶଦାତା, କୃଷକ ଉତ୍ପାଦକ ସଂଘ ଓ କଷ୍ଟମ୍ ହାୟାରିଂ ସେଣ୍ଟର ପାଇଁ କୃଷି ଯାନ୍ତ୍ରିକୀକରଣର ଉପଯୋଜନାରେ ୪୦% ରୁ ୧୦୦% ରିହାତି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ଡ୍ରୋନ୍ କ୍ରୟ କରି କୃଷକଙ୍କ ମଧ୍ୟରେ ପ୍ରସାର କରାଇବେ। ଡ୍ରୋନ୍ ମଧ୍ୟ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ବ୍ୟବହାର କରାଯାଇପାରିବ। ଫସଲ ଉତ୍ପାଦନ ଆକଳନ, ଫାର୍ମ ବୀମା ପ୍ରକ୍ରିୟାକରଣ, ଜମି ରେକର୍ଡର ଡିଜିଟାଲାଇଜେସନ୍ରେ ଡ୍ରୋନ୍ର ଉପଯୋଗ ହୋଇପାରିବ। ଏହାଦ୍ୱାରା କୃଷକଙ୍କ ପ୍ରାପ୍ୟ ରାଶି ପ୍ରକିୟାକରଣରେ ସ୍ୱଚ୍ଛତା ଅବଲମ୍ବନ କରାଯାଇପାରିବ। ୨୦୨୨ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ସରକାର କୃଷି ଡ୍ରୋନ୍ ପାଇଁ ଏକ ପ୍ରମାଣନ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି।
ଡ୍ରୋନ୍ ପ୍ରଯୁକ୍ତି ଉପଯୋଗ ଦ୍ୱାରା କୃଷିକ୍ଷେତ୍ର ପରିଚାଳନା ପଦ୍ଧତିର ବ୍ୟାପକ ବିକାଶ ହୋଇପାରିବ। କୃଷକ ମଧ୍ୟ ଅମଳ ବୃଦ୍ଧି କରିବାକୁ ସକ୍ଷମ ହେବେ। କୃଷି ଶ୍ରମିକଙ୍କ ନିଯୁକ୍ତି ହରାଇବା ଆଶଙ୍କା, ଡ୍ରୋନ୍ ପ୍ରଯୁକ୍ତି ସମ୍ବନ୍ଧୀୟ ଜ୍ଞାନ ଓ ପ୍ରଶିକ୍ଷଣର ଅଭାବ ଆଦି ସମସ୍ୟା ରହିଥିଲେ ହେଁ ଡ୍ରୋନ୍ ଉପଯୋଗ କରିବା ପାଇଁ ଆଗ୍ରହୀ କୃଷକଙ୍କୁ ବ୍ୟବହାର ସମ୍ବନ୍ଧୀୟ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଆବଶ୍ୟକ। ନୀତି ନିର୍ଦ୍ଧାରକମାନେ ସୁନିଶ୍ଚିତ ହେବା ଆବଶ୍ୟକ ଯେ କେତେକ ସମସ୍ୟା ସତ୍ତ୍ବେ ଡ୍ରୋନ୍ ପ୍ରଯୁକ୍ତିର ସୁବିଧା କୃଷକଙ୍କ ନିକଟରେ ପହଞ୍ଚିବା ଦରକାର। ଏହାଦ୍ୱାରା ସଠିକ୍ କୃଷି ପଦ୍ଧତିକୁ ଅବଲମ୍ବନ କରି ଚିରପୋଷ୍ୟମାନ ଓ ଉତ୍ପାଦନକ୍ଷମ କୃଷି ମାଧ୍ୟମରେ ଉଭୟ କୃଷକ ଓ ଖାଉଟି ଉପକୃତ ହୋଇପାରିବେ।
ଅରୁଣ କୁମାର ପାତ୍ର
ଭଦ୍ରକ, ମୋ: ୯୩୩୭୭୯୦୧୮୧