ଓଡ଼ିଶାର ଚାଷୀଙ୍କ ଦୁରବସ୍ଥା କାହିିଁକି?

ବର୍ଷ ବର୍ଷ ଧରି ଚାଷୀମାନଙ୍କ ପାଇଁ ରାଜନେତାମାନଙ୍କ ବିନା ଲୁହର କ୍ରନ୍ଦନ ଶୁଣିଆସୁଛୁ। କେତେବେଳେ କୃଷି ଋଣ ଛାଡ଼ କରାଯାଉଛି ତ କେତେବେଳେ କେତେକ ଯୋଜନା ବ୍ୟତୀତ ବିଶେଷକିଛି ଉନ୍ନତି ହୋଇପାରିନି ସେମାନଙ୍କ ଅବସ୍ଥାରେ। ବିଶେଷକରି ଚାଷୀଙ୍କ ଅବସ୍ଥା ଏତେ ଦୟନୀୟ କାହିଁକି? ହାଟରୁ ଫେରି ଘରେ ବସି ଚାଷୀଟିଏ ଚିନ୍ତାକରେ ସାମାନ୍ୟ କଖାରୁ କିଲୋ ଦାମ ଚାଳିଶି ଟଙ୍କା ହେଲାଣି ଯେତେବେଳେ ଏଥର କଖାରୁ ଚାଷ କଲେ ହୁଅନ୍ତା। ହିସାବ କରେ – ଅତିକମରେ ଗୋଟିଏ […]

May 10, 2025 - 12:30
ଓଡ଼ିଶାର ଚାଷୀଙ୍କ ଦୁରବସ୍ଥା କାହିିଁକି?
sakala article

ବର୍ଷ ବର୍ଷ ଧରି ଚାଷୀମାନଙ୍କ ପାଇଁ ରାଜନେତାମାନଙ୍କ ବିନା ଲୁହର କ୍ରନ୍ଦନ ଶୁଣିଆସୁଛୁ। କେତେବେଳେ କୃଷି ଋଣ ଛାଡ଼ କରାଯାଉଛି ତ କେତେବେଳେ କେତେକ ଯୋଜନା ବ୍ୟତୀତ ବିଶେଷକିଛି ଉନ୍ନତି ହୋଇପାରିନି ସେମାନଙ୍କ ଅବସ୍ଥାରେ। ବିଶେଷକରି ଚାଷୀଙ୍କ ଅବସ୍ଥା ଏତେ ଦୟନୀୟ କାହିଁକି? ହାଟରୁ ଫେରି ଘରେ ବସି ଚାଷୀଟିଏ ଚିନ୍ତାକରେ ସାମାନ୍ୟ କଖାରୁ କିଲୋ ଦାମ ଚାଳିଶି ଟଙ୍କା ହେଲାଣି ଯେତେବେଳେ ଏଥର କଖାରୁ ଚାଷ କଲେ ହୁଅନ୍ତା। ହିସାବ କରେ – ଅତିକମରେ ଗୋଟିଏ କଖାରୁ ମନ୍ଦାରେ ଦଶଟା କଖାରୁ ଫଳିବ। ଗୋଟିଏ କଖାରୁ ଅତିକମରେ ତିନିକିଲୋ ଓଜନ ହେଲେ ୫୦୦ କଖାରୁ ମନ୍ଦାରୁ ୫୦୦୦ଟା କଖାରୁ ଅର୍ଥାତ ୧୫୦୦୦ କିଲୋ ଓଜନର କଖାରୁ ଫଳିବ। ଅତିକମରେ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଲେ ୩ ଲକ୍ଷ ଟଙ୍କା ମିଳିଯିବ। କିନ୍ତୁ ଆଶାତୀତ ଭାବେ ଯେତେବେଳେ ୧୫୦୦୦ କିଲୋ ପରିବର୍ତ୍ତେ ୨୦୦୦୦ କିଲୋ କଖାରୁ ଫଳେ, କିନ୍ତୁ କ୍ରେତା କିଲୋ ପିଛା ୨ ଟଙ୍କାରୁ ଅଧିକ ଦେବାକୁ ରାଜି ନ ହୁଏ ତେବେ ଚାଷୀ କ’ଣ କରିବ? ବିକିବ କେଉଁଠି? ରଖିବ କେଉଁଠି? ତେଣୁ ସରକାର ଦେଇଥିବା ଦାନ ଟଙ୍କାରେ କୌଣସି ଚାଷୀ କେବେ କୃଷି କାର୍ଯ୍ୟରେ ଉପଯୋଗ କରିବା ମୋ ନଜରକୁ ଆସିନାହି ମୁଁ ଜାଣିଥିବା କିଛି ଅଞ୍ଚଳରେ। ସେଇ ପଇସା ବରଂ ଘର ଖର୍ଚ୍ଚ, ପିଲାଙ୍କ ପାଠପଢ଼଼ା, ଝିଅ ବାହାଘର ଆଦିରେ ଲଗେଇଦିଏ।

ସବୁକଥାରେ ସରକାରକୁ ଦାୟୀ କଲେ କ’ଣ ହେବ? ଚାଷୀମାନେ ବି ଶୃଙ୍ଖଳିତ ନୁହନ୍ତି। ଏବେ ଓଡ଼ିଶା କଥା ଦେଖିବା। ପାରମ୍ପରିକ ଚାଷ ପଦ୍ଧତିରୁ ଏ ପର୍ଯ୍ୟନ୍ତ ସହଜରେ ମୁକୁଳି ପାରିନାହାନ୍ତି ଆମ ରାଜ୍ୟର ଚାଷୀମାନେ। ଭଗବାନଙ୍କୁ ଭରସା କରି ହିଁ ଚାଷ କରନ୍ତି। ଆମ ରାଜ୍ୟର ଚାଷୀର ଆଉ ଏକ ବିଡ଼ମ୍ବନା ହେଲା ପନିପରିବା ହେଉ ବା ଫଳ ମୂଳ ଅମଳରୁ ଏକ ବଡ଼ ଭାଗ ଚୋରିରେ ଯାଏ। ଗାଈ, ଗୋରୁ, ଛେଳି ପାଳିବେ, କିନ୍ତୁ ସେମାନଙ୍କୁ ଅନ୍ୟର ବିଲରେ ଛାଡ଼ିବେ। ନିକଟରେ କର୍ଣ୍ଣାଟକର କେତେକ ଗ୍ରାମୀଣ ଅଞ୍ଚଳକୁ ଦେଖିବାର ସୁଯୋଗ ମିଳିଥିଲା। ସେଠାରେ ରାସ୍ତାକୁ ଲାଗି ପିଜୁଳି, ସପେଟା, ଅଙ୍ଗୁର, ଅମୃତଭଣ୍ଡା, ଆମ୍ୱ, ବାଇଗଣ ଓ ଅନ୍ୟ ପନିପରିବା ବିନା ବାଡ଼ବତାରେ ଫଳିଛି। କେହି ସେଠାରୁ ଚୋରେଇ ନେବାର ଆଶଙ୍କା ବହୁତ କମ୍‌‌। ଚାଷରେ ବି ସେମାନେ ବହୁତ ପଇସା ଖର୍ଚ୍ଚ କରନ୍ତି। ଉତ୍କଟ ଜଳାଭାବ ସମସ୍ୟା ଦୂର କରିବା ପାଇଁ ଚାଷୀମାନେ ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତି। ଏକର ଏକର ଜମିରେ ବୁନ୍ଦା ଜଳସେଚନ ବ୍ୟବସ୍ଥା ହୋଇଛି। ମାଟିର ଉପଯୁକ୍ତ ତାପମାତ୍ରା ଓ ଆର୍ଦ୍ରତା ବଜାୟ ରଖିବା ପାଇଁ ଲମ୍ୱା ଲମ୍ୱା ହୁଡ଼ା ସବୁ ପଲିଥିନ ସିଟରେ ଆଚ୍ଛାଦିତ ହୋଇଛି। ବାଇଗଣ କିଆରିରେ ଦୁଇ ଧାଡ଼ି ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହିଛି। ଅନ୍ୟାନ୍ୟ ପରିବା ପାଇଁ ସୁନ୍ଦର ଭାବରେ ସ୍ଥାୟୀ ରଞ୍ଜା ତିଆରି ହୋଇଛି। ଏମିତିକି ବଡ଼ ବଡ଼ ନଡ଼ିଆ ଗଛ ମୂଳରେ ମଧ୍ୟ ମନ୍ଦା ତିଆରି କରି ପାଣି ଦିଆ ଯାଉଛି। ପ୍ରତ୍ୟେକ ଚାଷୀ କିଛିକିଛି ଜମିରେ ନିଜ ଗାଈ ଗୋରୁ ଓ ଛେଳି ପାଇଁ ଘାସ ଚାଷ ନିଶ୍ଚୟ କରିଥା’ନ୍ତି। ଅନ୍ୟ ବିଲରେ ନିଜ ଗୃହପାଳିତ ପଶୁଙ୍କୁ ଛାଡ଼ନ୍ତି ନାହି। ପ୍ରାୟ ସବୁ ଜମିକୁ ଲାଗି କାର କିମ୍ୱା ମୋଟରସାଇକେଲ ଛିଡ଼ା ହୋଇଥାଏ।

ସେହି ତୁଳନାରେ ଆମ ଚାଷୀଙ୍କ ଅବସ୍ଥା ଦେଖିଲେ ଦେଖିଲେ ଦୁଃଖ ଲାଗେ ଏବଂ ପ୍ରଶ୍ନ ଉଠେ ଓଡ଼ିଶା ଚାଷୀମାନଙ୍କର ଏମିତି ଦୁରବସ୍ଥା କାହିଁକି? ଓଡ଼ିଶାରେ ଚାଷୀଟିଏ ପ୍ରାୟତଃ ଛିଣ୍ଡା ଗଞ୍ଜି ଓ ଛିଣ୍ଡା ଚପଲରେ ଦେଖିବାକୁ ମିଳନ୍ତି। କୃଷିର ପ୍ରତୀକ ହଳଲଙ୍ଗଳ ଧାରୀ ଭଗବାନ ବଳରାମ ଏବଂ ଗୋପାଳ ଶ୍ରୀକୃଷ୍ଣଙ୍କୁ ଆମେ ମନ୍ଦିରରେ ଆରାଧନା କରୁଛୁ। କିନ୍ତୁ ନା ଆମେ କୃଷି ଠିକ ଢଙ୍ଗରେ କରିପାରୁଛୁ ନା ଗାଈଗୋରୁ ପାଳନ କରିପାରୁଛୁ। ଓଡ଼ିଶାର ଅଧିକାଂଶ ଲୋକଙ୍କର ମୁଖ୍ୟ ଆଧାର ହେଉଛି କୃଷି। ଏହାର ୬୦% ରୁ ଅଧିକ ଲୋକ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। ସମ୍ପୂର୍ଣ୍ଣ କିମ୍ୱା ଆଂଶିକ ଭାବରେ କୃଷି କ୍ଷେତ୍ରରୁ ନିଜର ଜୀବିକା ନିର୍ବାହ କରନ୍ତି। ଆମର ଏଠାରେ ବଡ଼ ବଡ଼ ଚାଷୀ କେହି ନାହାନ୍ତି କହିଲେ ଚଳେ। କିଛି ରାଜରାଜୁଡ଼ା ପରିବାର ଏବଂ ପୁରୁଖା ରାଜନେତାଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ହେଉଛନ୍ତି କ୍ଷୁଦ୍ର ଚାଷୀ, ଯାହାଙ୍କର ଯଥେଷ୍ଟ ଜମି ମାଲିକାନା ନାହିଁ। ଓଡ଼ିଶାରେ ୮୦ ଲକ୍ଷରୁ ଅଧିକ ଚାଷୀଙ୍କ ମଧ୍ୟରୁ ୯୦% ରୁ ଅଧିକ କ୍ଷୁଦ୍ର କିମ୍ୱା ଭାଗ ଚାଷୀ।

ନିଃସନ୍ଦେହ ଯେ ଓଡ଼ିଶାର କୃଷି ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ପାରମ୍ପରିକ ପ୍ରଥା ଯୋଗୁଁଁ କମ ଉତ୍ପାଦକତା, ଅପର୍ଯ୍ୟାପ୍ତ ଜଳସେଚନ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସେଥିରେ ଅନ୍ତର୍ଭୁକ୍ତ। କ୍ଷୁଦ୍ର ଜମି, ଦୁର୍ବଳ ବଜାର ଓ ଚାଷୀର ମୂଲଚାଲ କରିବାର ଅକ୍ଷମତା ମଧ୍ୟ କୃଷିବିକାଶକୁ ବାଧା ଦେଉଛି। ବାରମ୍ୱାର ବନ୍ୟା, ମରୁଡ଼ି ଓ ଘୂର୍ଣ୍ଣିଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହି ସମସ୍ୟାଗୁଡ଼ିକୁ ଆହୁରି ଜଟିଳ କରିଥାଏ, ଯାହା ଫସଲ କ୍ଷତି ଏବଂ ଚାଷୀଙ୍କ ଆୟ ହ୍ରାସ କରିଥାଏ। ପାରମ୍ପରିକ କୃଷି ପଦ୍ଧତି, ଅପର୍ଯ୍ୟାପ୍ତ ପୁଞ୍ଜି ନିବେଶ, ଅପର୍ଯ୍ୟାପ୍ତ ଜଳସେଚନ ସୁବିଧା ଏବଂ ଛୋଟ ଛୋଟ ଜମି ଯୋଗୁଁଁ ମଧ୍ୟ ଓଡ଼ିଶାରେ କୃଷି କ୍ଷେତ୍ରରେ ଉତ୍ପାଦନ ହ୍ରାସ ପାଇଛି। ପ୍ରାୟ ୬୨% ଚାଷଯୋଗ୍ୟ ଜମି ବର୍ଷା ଉପରେ ନିର୍ଭର କରେ ଏବଂ ମୌସୁମୀର ଅନିୟମିତତାରେ ପ୍ରଭାବିତ ହୁଏ। ଓଡ଼ିଶା କୃଷି କମ୍‌‌ ଉତ୍ପାଦନକ୍ଷମ ବିହନ ଏବଂ ଅଧିକ ଜଳ ବ୍ୟବହାରକାରୀ ଧାନ ଚାଷ ଉପରେ କେନ୍ଦ୍ରିତ। ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଉଚ୍ଚ ମୂଲ୍ୟର ଫସଲ ପ୍ରତି ବିଶେଷ ବିବିଧତା ନାହିଁ।

ଓଡ଼ିଶାର ଚାଷୀମାନେ ଜମି ଅଧିକାର, ନୂତନ ବଜାର ପ୍ରବେଶ, ନୂତନ ପ୍ରଯୁକ୍ତିବିଦ୍ୟା ଆହରଣରେ ଦୁର୍ବଳତା ସହିତ କୃଷିକ୍ଷେତ୍ରରେ ସଂଘର୍ଷ କରନ୍ତି। ଅନେକ ଚାଷୀ ଏବେ ବି ପୁରୁଣା ପଦ୍ଧତି ବ୍ୟବହାର କରନ୍ତି, ଯାହା ଅମଳକୁ ସୀମିତ କରେ। ଦାରିଦ୍ର୍ୟ ଓ ସମ୍ୱଳର ଅଭାବ ଯୋଗୁଁଁ କ୍ଷୁଦ୍ର ଏବଂ ନାମକୁମାତ୍ର ଚାଷୀମାନେ ପର୍ଯ୍ୟାପ୍ତ ନିବେଶ କରିବାକୁ ସମର୍ଥ ହୋଇପାରନ୍ତି ନାହି। ଉତ୍ତରାଧିକାରୀଙ୍କ ମଧ୍ୟରେ ଜମି ବିଭାଜନ ଓ ଜମି ଅଧିକାର ବଣ୍ଟନର ପ୍ରଥା ଯୋଗୁଁଁ ଜମିର ଆକାର ଛୋଟ ଛୋଟ ହୋଇତାଲେ, ଯାହା ଚାଷକରିବା ପ୍ରଣାଣୀରେ ଆହୁରି ବାଧା ସୃଷ୍ଟି କରି ଉତ୍ପାଦନକୁ ହ୍ରାସ କରାଏ। କ୍ଷୁଦ୍ର ଚାଷୀମାନେ ପ୍ରାୟତଃ ସେମାନଙ୍କର ଉତ୍ପାଦ ପାଇଁ ଉଚିତ ମୂଲ୍ୟ ପାଇଁ ମୂଲଚାଲ କରିପାରୁ ନଥିବାରୁ ଆଶାନୁରୂପ ଲାଭ ପାଏନାହିଁ। କୀଟପତଙ୍ଗ ଓ ରୋଗ ଆକ୍ରମଣ ଫସଲ ଉତ୍ପାଦନ ଏବଂ ଗୁଣବତ୍ତାକୁ ଯଥେଷ୍ଟ ହ୍ରାସ କରିପାରେ। ଓଡ଼ିଶାର କୃଷକମାନେ ପ୍ରାୟତଃ ଋଣ ଏବଂ ବଜାର ସୂଚନା ପାଇବା ପାଇଁ ସଂଘର୍ଷ କରିଥା’ନ୍ତି, ଯାହା ସେମାନଙ୍କର ଜମିରେ ବିନିଯୋଗ କରିବା ଏବଂ ଉଚିତ ମୂଲ୍ୟରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାର କ୍ଷମତାକୁ ସୀମିତ କରିପାରେ। ପୁରୁଣା କିମ୍ୱା ନିମ୍ନମାନର ବିହନ ବ୍ୟବହାର ଫସଲ ଉତ୍ପାଦନକୁ ଯଥେଷ୍ଟ ପ୍ରଭାବିତ କରେ। ସାରର ଅପର୍ଯ୍ୟାପ୍ତ ବ୍ୟବହାର ମାଟିରେ ପୁଷ୍ଟିସାର ଅଭାବ ସୃଷ୍ଟି କରିପାରେ।

ବିଶେଷକରି ସରକାରଙ୍କ ବିଭିନ୍ନ ମାଗଣା ଯୋଜନା ଯୋଗୁଁଁ ଫସଲ ଅମଳ ଋତୁରେ ଘୋର ଶ୍ରମିକ ଅଭାବ ଫସଲ ଉତ୍ପାଦନକୁ ପ୍ରଭାବିତ କରୁଥିବା ଅଭିଯୋଗ ଆସୁଛି। ଆଜିକାଲି ଓଡ଼ିଶାରେ କୃଷି ଶ୍ରମିକ ଉପଲବ୍ଧତା ଏକ ଦୁରୂହ ବ୍ୟାପାର କହିଲେ ଭୁଲ ହେବ ନାହିଁ। ସ୍ଥାୟୀ କୃଷି ପଦ୍ଧତି ଏବଂ ସଚେତନତାର ଅଭାବ ଯୋଗୁଁଁ ମାଟି କ୍ଷୟ ଦୀର୍ଘକାଳୀନ ଉତ୍ପାଦକତାକୁ ପ୍ରଭାବିତ କରିଥାଏ। କୃଷିକ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ କେହି ଆଗ୍ରହୀ ନୁହନ୍ତି, ଯାହା କୃଷିରେ ଆଧୁନିକୀକରଣ ଏବଂ ବିବିଧତାକୁ ବାଧା ଦେଇଥାଏ।

ନେତାମାନେ ଅକ୍ଷୟତୃତୀୟା ଦିନ ଲଙ୍ଗଳ ମୁଣ୍ଡିରେ ହାତ ପକେଇଦେଲେ ଚାଷୀର ଦୁଃଖ ଯିବନାହି କି ଭୋଟସର୍ବସ୍ୱ ଘୋଷଣାରେ ଚାଷୀର ଭୋକ ମେଣ୍ଟିବ ନାହି। କରଦାତାଙ୍କ ପଇସାରେ ଚାଷୀଙ୍କୁ ଋଣମୁକ୍ତ କରିଦେଲେ ବି ଚାଷର ଉନ୍ନତି ହେବାର ସମ୍ଭାବନା ନାହି। କୃଷି ବିଭାଗର ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ କୋଠରିରୁ ବାହାରି ଗାଁ ଗାଁ ରେ କୃଷକଙ୍କ ପାଖରେ ପହଞ୍ଚିଲେ ଯାଇ ପରିସ୍ଥିତି ବିଷୟରେ ପ୍ରତ୍ୟକ୍ଷ ଅବଗତ ହୋଇପାରିବେ। ସୁବିଧା ଅସୁବିଧା ଅନୁଭବ କରିପାରିବେ। ଚାଷୀଙ୍କୁ ପ୍ରତ୍ୟକ୍ଷ ଜ୍ଞାନକୌଶଳ ତାଲିମ୍‌‌ ଦେଇପାରିବେ। ବିଶେଷକରି ଚାଷୀର ଫସଲର ଉପଯୁକ୍ତ ବଜାରୀକରଣ ଦାୟିତ୍ୱ ନିଜେ ସରକାର ନିଅନ୍ତୁ। ଚାଷୀଙ୍କଠାରୁ ଫସଲ ସଂଗ୍ରହ କରି ସଂରକ୍ଷଣ କରିବା ଦାୟିତ୍ୱ କୃଷି ବିଭାଗକୁ ଦିଆଯାଉ। ସର୍ବୋପରି କୃଷିକୁ ଏକ ଶିଳ୍ପ ମାନ୍ୟତା ଦିଆଯାଉ। ଏହା ସାକାର ହେଲେ ଚାଷୀ ହସିବ, ଓଡ଼ିଶା ହସିବ ଏବଂ ଚାଷୀଙ୍କୁ ଛିଣ୍ଡା ଗଞ୍ଜି ଚପଲରେ କେହି ଆଉ ଦେଖିବେ ନାହିଁ। n

ପ୍ରମୋଦ ଧଳ, ଭୁବନେଶ୍ୱର, ମୋ: ୭୦୦୮୮୧୦୧୧୨