ଅଦାଲତି ଛାଟ
ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଧାନସଭାରେ ଗୃହୀତ କୌଣସି ବିଲ୍ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହିଁ ଆଇନରେ ପରିଣତ ହୋଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ବିଧାନସଭାରେ ଗୃହୀତ ବିଲ୍କୁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ସ୍ତରରେ ବିନା ଅନୁମୋଦନରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଅଟକ ରଖାଯାଇପାରିବ। ସମ୍ବିଧାନର ଧାରା ୨୦୧ ଅନୁଯାୟୀ ରାଜ୍ୟପାଳ ପଠାଇଥିବା ବିଲ୍କୁ ରାଷ୍ଟ୍ରପତି ଅନୁମୋଦନ କିମ୍ବା ଖାରଜ କରିପାରିବେ। ତେବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକାଇ ରଖିବା ସକାଶେ କୌଣସି […]


ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଧାନସଭାରେ ଗୃହୀତ କୌଣସି ବିଲ୍ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହିଁ ଆଇନରେ ପରିଣତ ହୋଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ବିଧାନସଭାରେ ଗୃହୀତ ବିଲ୍କୁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ସ୍ତରରେ ବିନା ଅନୁମୋଦନରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଅଟକ ରଖାଯାଇପାରିବ। ସମ୍ବିଧାନର ଧାରା ୨୦୧ ଅନୁଯାୟୀ ରାଜ୍ୟପାଳ ପଠାଇଥିବା ବିଲ୍କୁ ରାଷ୍ଟ୍ରପତି ଅନୁମୋଦନ କିମ୍ବା ଖାରଜ କରିପାରିବେ। ତେବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକାଇ ରଖିବା ସକାଶେ କୌଣସି ଭେଟୋ ପ୍ରୟୋଗର କ୍ଷମତା ରାଷ୍ଟ୍ରପତିଙ୍କର ନାହିଁ। ଏଭଳି କିଛି ବିବାଦୀୟ ପ୍ରସଙ୍ଗ ଅଛି, ଯାହାର ସାମ୍ବିଧାନିକ ବୈଧତା ନେଇ ଆପତ୍ତି ଦର୍ଶାଯାଇପାରେ। ଏ କ୍ଷେତ୍ରରେ କାର୍ଯ୍ୟପାଳିକା ବିଚାରପତିର ଭୂମିକା ଗ୍ରହଣ କରିବା ଅନୁଚିତ। ସମ୍ବିଧାନର ଧାରା ୧୪୩ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ। ଧାରା ୨୦୦ ଓ ୨୦୧ରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ସ୍ତରରେ ଅନୁମୋଦନ ଅପେକ୍ଷାରେ ଥିବା ବିଲ୍ କେତେଦିନ ଅଟକାଇ ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ବିଧାନସଭାରେ ଗୃହୀତ ବିଲ୍ ଏକ ଅନିଶ୍ଚିତ ଭବିଷ୍ୟତ ନେଇ ନିର୍ବିଚାରରେ ପଡ଼ିରହିଥିବ। ଏ କ୍ଷେତ୍ରରେ ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ସମ୍ମାନ ଦେଇ କାର୍ଯ୍ୟ ନିର୍ବାହ କରାଯିବା ଉଚିତ। ଜନସମୁଦାୟଙ୍କ ଇଚ୍ଛା ବିଧାନସଭାରେ ପ୍ରତିଫଳିତ ହେଉଥିବା ବେଳେ ନିର୍ବାଚିତ ସରକାର ସେମାନଙ୍କ ନିକଟରେ ଉତ୍ତରଦାୟୀ ହୋଇଥିବାରୁ ସାମ୍ବିଧାନିକ ବ୍ୟବସ୍ଥାର ବାହକ ରୂପେ ରାଜ୍ୟପାଳ ନିଜର ଦାୟିତ୍ୱ ତୁଲାଇବା ଉଚିତ। ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟପାଳ ବ୍ୟବସ୍ଥାର ଉତ୍ପ୍ରେରକ, ନିରୋଧକ ନୁହନ୍ତି। ସାମ୍ବିଧାନିକ ଉଚ୍ଚ ପଦମର୍ଯ୍ୟାଦାର ସମ୍ମାନ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ।
ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ରାଜ୍ୟପାଳଙ୍କ ବିନା ଅନୁମୋଦନରେ ଦୀର୍ଘଦିନ ଧରି ଅଟକି ରହିଥିବା ୧୦ଟି ବିଲ୍ ଆଇନରେ ପରିଣତ ହୋଇଛି। ତେବେ ପରିଲକ୍ଷିତ ଏହି ବ୍ୟତିକ୍ରମ ଯେଉଁ ନୂଆ ଅଧ୍ୟାୟ ସୃଷ୍ଟି କରିଛି, ତାହା ରାଜନୈତିକ ମହଲରେ ବିଶ୍ଲେଷଣ ଓ ତର୍ଜମା ପାଇଁ ଖୋରାକ ଯୋଗାଇଛି। ଏଠାରେ ପ୍ରଶ୍ନ ଉଠିପାରେ ଯଦି ସାମ୍ବିଧାନିକ ବ୍ୟବସ୍ଥା କହୁଛି ବିଲ୍ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ ଏ କ୍ଷେତ୍ରରେ ତାହାର ଉଲ୍ଲଂଘନ ହେଲା କାହିଁକି? ଅବଶ୍ୟ ଏ କ୍ଷେତ୍ରରେ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ପକ୍ଷରୁ ପଠାଯାଇଥିବା ବିଲ୍ ଉପରେ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟପାଳଙ୍କ କ୍ଷେତ୍ରରେ କିଛି ମାର୍ଗ ପ୍ରଦର୍ଶନ କରିଛନ୍ତି। ବିଧାନସଭାରେ ଗୃହୀତ ବିଲ୍କୁ ସେ ମାସକ ମଧ୍ୟରେ ଅନୁମୋଦନ କରିବା ଉଚିତ। ନଚେତ ୩ ମାସ ମଧ୍ୟରେ ପୁନର୍ବିଚାର ପାଇଁ ତାହାକୁ ସେ ବିଧାନସଭାରେ ପୁନଃ ଆଲୋଚନା ସକାଶେ ପଠାଇପାରିବେ। ପୁନର୍ବାର ଗୃହୀତ ହୋଇଥିବା ବିଲ୍କୁ ଏକ ମାସ ମଧ୍ୟରେ ରାଜ୍ୟପାଳ ଅନୁମୋଦନ କରିବା ଜରୁରୀ। ଅନ୍ୟଥା ସେ ରାଷ୍ଟ୍ରପତିଙ୍କ ବିଚାର ପାଇଁ ବିଲ୍କୁ ପଠାଇପାରିବେ। ତେବେ ଏହି ବିବାଦର ସୂତ୍ରପାତ କାହିଁକି ହେଲା? ୨୦୨୩ ନଭେମ୍ବର ୧୮ରେ ବିଲ୍ଗୁଡ଼ିକ ତାମିଲନାଡୁ ବିଧାନସଭାରେ ଗୃହୀତ ହେବା ପରେ ସେଗୁଡ଼ିକୁ ରାଜ୍ୟପାଳ ଆର ଏନ୍ ରବିଙ୍କ ଅନୁମୋଦନ ସକାଶେ ପଠାଯାଇଥିଲା। ପ୍ରଥମ ଦଫାରେ ବିଲ୍ଗୁଡ଼ିକୁ ସେ ଫେରାଇ ଦେବା ପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ତାହା ପୁନର୍ବାର ଅନୁମୋଦନ ଲାଭ କଲା। ସେହି ସମୟରୁ ବିଲ୍ଗୁଡ଼ିକ ଅନୁମୋଦନ ଅପେକ୍ଷାରେ ରାଜ୍ୟପାଳଙ୍କ ନିକଟରେ ପଡ଼ି ରହିଥିଲା।
ଆଇନର ମାନ୍ୟତା ପାଇଥିବା ଏହି ୧୦ଟି ବିଲ୍ ରାଜ୍ୟର ବିଭିନ୍ନ ସଂସ୍ଥା ଓ ବର୍ଗର ଲୋକଙ୍କ ସ୍ୱାର୍ଥରକ୍ଷା ସକାଶେ ଉଦ୍ଦିଷ୍ଟ। ଏଥିସହ କିଛି ବିବାଦୀୟ ପ୍ରସଙ୍ଗ ସଂଶ୍ଳିଷ୍ଟ ଥିଲା ଭଳି ମନେହୁଏନି। ଏପରିକି ସାମ୍ବିଧାନିକ ବୈଧତା ନେଇ କିଛି ଆପତ୍ତିଜନକ ଆଇନର ବ୍ୟବସ୍ଥା ବିଲ୍ରେ ନାହିଁ। ତାମିଲନାଡୁର ଡିଏମ୍କେ ସରକାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିଭିନ୍ନ ଜନକଲ୍ୟାଣକାରୀ ଆଇନଗତ ବ୍ୟବସ୍ଥାରେ ଅବରୋଧ କରିବା ଉଦ୍ଦେଶ୍ୟରେ ବିଲ୍ଗୁଡ଼ିକୁ ଦୀର୍ଘଦିନ ଧରି ଅଟକ ରଖାଯାଇଥିଲା। ରାଜ୍ୟପାଳଙ୍କ ସ୍ତରରେ ଅନୁମୋଦନ ସକାଶେ ବିଲ୍ କେତେଦିନ ପଡ଼ିରହିପାରିବ, ସେ ନେଇ ସାମ୍ବିଧାନିକ ବ୍ୟବସ୍ଥା ନିରବ ଥିବାରୁ ଏ କ୍ଷେତ୍ରରେ ସେଭଳି କୌଣସି ବାଧ୍ୟବାଧକତା ନଥିଲା। ତାମିଲନାଡୁ ସରକାରଙ୍କ ଆବେଦନକ୍ରମେ ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ରାଜ୍ୟପାଳଙ୍କ ଭୂମିକା ସମ୍ପର୍କରେ କିଛି ସ୍ପଷ୍ଟ ମତାମତ ନଦେଲେ ମଧ୍ୟ ସାମ୍ବିଧାନିକ ପଦମର୍ଯ୍ୟାଦା ରକ୍ଷା ସକାଶେ ସୁଚିନ୍ତିତ ପରାମର୍ଶ ଦେଇଛନ୍ତି। ରାଜନୈତିକ ବିଚାରଧାରା ଭିନ୍ନ ହେଲେ ମଧ୍ୟ ସେ ରାଜ୍ୟର ପ୍ରଗତିରେ ବାଧକ ହେବା ଉଚିତ ନୁହେଁ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଭାଷା ଆନ୍ଦୋଳନଠାରୁ ଆରମ୍ଭ କରି ପ୍ରସ୍ତାବିତ ଲୋକସଭା ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ଉପରେ ଦକ୍ଷିଣ ଭାରତର ଅଣବିଜେପି ଶାସିତ ରାଜ୍ୟର ନେତୃତ୍ୱ ନେଇଛନ୍ତି। ତାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଏହି ରାୟ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିପାରେ। କିନ୍ତୁ ଏହା ଆମ ବ୍ୟବସ୍ଥାରେ ଥିବା ତ୍ରୁଟିପୂର୍ଣ୍ଣ ଦିଗକୁ ଯେ ସୂଚିତ କରୁଛି, ଏଥିରେ କାହାର ଦ୍ୱିମତ ହେବାର ନାହିଁ। ରାଜ୍ୟପାଳଙ୍କ ଭୂମିକାକୁ ନେଇ ତାମିଲନାଡୁ, ମହାରାଷ୍ଟ୍ର, କେରଳ ଓ ପଶ୍ଚିମବଙ୍ଗରେ ଯେଉଁ ପ୍ରତିବାଦ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି, ସେଥିରୁ ସ୍ପଷ୍ଟ ହେଉଛି ଯେ ରାଜନୈତିକ କାରଣରୁ ଏହି ସାମ୍ବିଧାନିକ ପଦମର୍ଯ୍ୟାଦାର ଗରିମା ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି। ନ ହେଲେ ରାଜ୍ୟପାଳଙ୍କ ବିନା ଅନୁମୋଦନରେ ବିଲ୍ ଆଇନରେ ପରିଣତ ହେବା ଭଳି ପରିସ୍ଥିତି ଉପୁଜି ନଥା’ନ୍ତା। ଆମ ଜାଣିବାରେ ଏହା ତାମିଲନାଡୁ ରାଜ୍ୟପାଳଙ୍କ କ୍ଷେତ୍ରରେ ଅମର୍ଯ୍ୟାଦା ଓ ଅସମ୍ମାନଜନକ। ଅନ୍ତତଃ ତାହାର ଆଉ ପୁନରାବୃତ୍ତି ନ ହେବା ଉଚିତ।