President's Village Transforms into Suryagram: ସୋଲାର ଆଲୋକରେ ଚମକୁଛି ପାହାଡ଼ପୁର, ଦେଶ ପାଇଁ ସାଜିଲା ମଡେଲ
ଚମକୁଛି ଗାଁ ଦାଣ୍ଡ, ଝଟକୁଛି ଘରଦ୍ବାର। ସୂର୍ଯ୍ୟଙ୍କ ଶକ୍ତିରେ ଆଲୋକିତ ହୋଇ ନୂଆ ପରିଚୟ ପାଇଛି ମୟୁରଭଞ୍ଜର ପାହାଡ଼ପୁର। ୭୪ଟି ଘରେ ସୌରଶକ୍ତି ସହ ସୂର୍ଯ୍ୟଗ୍ରାମର ପରିଚୟ ପାଇ ଭାରତର ମାନଚିତ୍ରରେ ଯୋଡ଼ିଛି ନୂଆଫର୍ଦ୍ଦ, ମାସକ ଭିତରେ କେମିତି ବଦଳିଛି ରାଷ୍ଟ୍ରପତିଙ୍କ ଗାଁ।
ମୟୂରଭଞ୍ଜ ଜିଲ୍ଲା ଉପାନ୍ତ କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡ଼ପୁର। ଯେଉଁ ଗାଁ ଦିନେ କେବଳ ମାନଚିତ୍ରର ଗୋଟିଏ ଛୋଟ ବିନ୍ଦୁ ଥିଲା, ଆଜି ସାରା ଦେଶ ପାଇଁ ପାଲଟିଛି ଭବିଷ୍ୟତର ମଡେଲ୍। ଏହି ଗାଁର ପରିଚୟ ଆଉ ସାଧାରଣ ନୁହେଁ। ୧୪୭ଟି ପରିବାର, ପ୍ରତି ଘରର ପ୍ରତିଟି ଛାତ ଏବେ ସୌରଶକ୍ତିର ନୂଆ ଠିକଣା। ପୁରା ଗାଁକୁ ସୋଲାର ପ୍ୟାନେଲରେ ପରିଚାଳିତ ପାଇଁ ଜୋରସୋରରେ କାମ ଚାଲିଛି। ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଆସି ଗାଁକୁ ସମ୍ପୂର୍ଣ୍ଣ ‘ସୂର୍ଯ୍ୟଗ୍ରାମ’ରେ ରୂପାନ୍ତରିତ କରିବାକୁ ଘୋଷଣା କରିଥିଲେ। ସେହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ଥିଲେ ଗାଁର ଝିଅ ତଥା ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ମାତ୍ର ମାସେ ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ବଦଳୁଛି ପାହାଡ଼ପୁରର ଚିତ୍ର। ଜିଲ୍ଲା ପ୍ରଶାସନର ନେତୃତ୍ୱରେ ଟାଟା ପାୱାର ଗାଁର ୭୪ଟି ପକ୍କା ଘରେ ସୋଲାର ୟୁନିଟ୍ ଲଗାଇ ସାରିଛି। ବାକି ଘରଗୁଡ଼ିକୁ ମଧ୍ୟ ଖୁବ୍ ଶୀଘ୍ର ସୌରଶକ୍ତି ସହ ଯୋଡ଼ାଯିବ।
କେବଳ ଘର ନୁହେଁ, ପୁରା ଗାଁର ଭିତ୍ତିଭୂମି ଚାଲିବ ସୌରଶକ୍ତିରେ। ରାସ୍ତାରେ ଜଳିବ ସୋଲାର ଷ୍ଟ୍ରିଟ୍ ଲାଇଟ୍। ସୌରଶକ୍ତି ସହାୟତାରେ ଗଭୀର ନଳକୂପରୁ ହେବ ଜଳସେଚନ। ସ୍କୁଲ, ଅଙ୍ଗନବାଡ଼ି, ସରକାରୀ ଅଫିସ...ସବୁଠି ଲାଗିବ ସୋଲାର ପ୍ୟାନେଲ। ଗାଁର ଦୈନନ୍ଦିନ ଜୀବନର ପ୍ରାୟ ପ୍ରତ୍ୟେକ କାମ ଚାଲିବ ଏଥିରେ। ଫଳରେ ଲୋକଙ୍କ ଉପରୁ କମିବ ବିଜୁଳି ବୋଝ। ସଞ୍ଚୟ ବଢ଼ିବା ସହ ଚାଷୀଙ୍କୁ ଫାଇଦା ମିଳିବ। ଆସନ୍ତା ମାସ ସୁଦ୍ଧା ସମସ୍ତ ସୋଲାର ସଂସ୍ଥାପନ କାମ ସରିବ ବୋଲି କହିଛି ଟାଟା ପାୱାର। ପାହାଡ଼ପୁର ସୂର୍ଯ୍ୟଗ୍ରାମ ହେବାକୁ ଯାଉଥିବାରୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଖୁସି।
ଛୋଟ ଗାଁର ସ୍ବପ୍ନ ବଡ଼। ପାହାଡ଼ପୁରର ଏହି ସୌର ବିପ୍ଳବ ସଫଳ ହେଲେ, ଏହା କେବଳ ଓଡ଼ିଶା ପାଇଁ ନୁହେଁ, ଗ୍ରାମୀଣ ଭାରତର ବିକାଶର ଏକ ନୂଆ ଅଧ୍ୟାୟ ଯୋଡ଼ିବ। ସାରା ଦେଶର ପ୍ରଥମ ସମ୍ପୂର୍ଣ୍ଣ 'ସୂର୍ଯ୍ୟଗ୍ରାମ' ଭାବେ ନୂଆ ପରିଚୟ ପାଇବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।