PM Narendra Modi: ବନ୍ୟା ପ୍ରଭାବିତ ରାଜ୍ୟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି, ସ୍ଥିତିର ସମୀକ୍ଷା କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା ପ୍ରଭାବିତ ଉତ୍ତର ଭାରତ ରାଜ୍ୟଗୁଡ଼ିକୁ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ ଏବଂ କ୍ଷୟକ୍ଷତିର ଆକଳନ କରିବେ।

06 September 2025 10:30 AM IST
PM Narendra Modi: ବନ୍ୟା ପ୍ରଭାବିତ ରାଜ୍ୟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି, ସ୍ଥିତିର ସମୀକ୍ଷା କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା ପ୍ରଭାବିତ ଉତ୍ତର ଭାରତ ରାଜ୍ୟଗୁଡ଼ିକୁ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ ଏବଂ କ୍ଷୟକ୍ଷତିର ଆକଳନ କରିବେ।

ଉତ୍ତର ଭାରତରେ ତାଣ୍ଡବ ରଚିଛି ବର୍ଷା। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଭାବେ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ଭାରତର ବିଭିନ୍ନ ବନ୍ୟା ପ୍ରଭାବିତ ରାଜ୍ୟ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବା ସହ ସ୍ଥିତି ସମୀକ୍ଷା କରିବେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଏପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ। ବନ୍ୟାରେ ବିପର୍ଯ୍ୟୟ ପାଇଁ ଏକାଧିକ ରାଜ୍ୟ କେନ୍ଦ୍ର ସରକାରଙ୍କଠାରୁ ସହାୟତା ଦାବି କରିଛନ୍ତି।

ଗତ କିଛି ସପ୍ତାହ ଧରି ଜମ୍ମୁ ଏବଂ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ନିରନ୍ତର ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚଳିତ ବର୍ଷ ଜୁନ୍ ମାସରେ ମୌସୁମୀ ଆରମ୍ଭ ହେବା ପରଠାରୁ ଏହି ରାଜ୍ୟଗୁଡ଼ିକରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନେକ ରାଜ୍ୟରେ ପ୍ରମୁଖ ରାଜପଥ ଅବରୋଧ ହୋଇ ରହିଛି। ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏବଂ ଚାଷଜମି ସବୁ ବନ୍ୟା ପାଣିରେ ବୁଡ଼ି ରହିଛି।

ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ। ଜୁନ୍ ୨୦ ତାରିଖରେ ମୌସୁମୀ ଆରମ୍ଭ ହେବା ପରଠାରୁ ୯୫ଟି ବନ୍ୟା, ୪୫ଟି ବାଦଲ ଫଟା ବର୍ଷା ଏବଂ ୧୩୨ଟି ବଡ଼ ଭୂସ୍ଖଳନ ହୋଇଛି। ଏଥିରେ ଅତି କମରେ ୩୫୫ ଜଣ ପ୍ରାଣ ହରାଇଥିବା ବେଳେ ୪୯ ଜଣ ନିଖୋଜ ଅଛନ୍ତି। ରାଜ୍ୟର ମୋଟ ୩,୭୮୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ହିମାଚଳ ପ୍ରଦେଶରେ ମଣ୍ଡି, ସିମଲା, କୁଲୁ ଏବଂ ଚମ୍ବା ଜିଲ୍ଲାର ପ୍ରମୁଖ ରାସ୍ତା ସମେତ ପ୍ରାୟ ୧,୨୧୭ଟି ରାସ୍ତା ଅବରୋଧ ହୋଇ ରହିଛି।

ଭୂ-ସ୍ଖଳନ ଏବଂ ବନ୍ୟା ଯୋଗୁଁ ଅନେକ ପ୍ରମୁଖ ଜାତୀୟ ରାଜପଥ: NH-3 (ମାଣ୍ଡି-ଧରମପୁର), NH-5 (ପୁରୁଣା ହିନ୍ଦୁସ୍ତାନ-ତିବ୍ଦତ ରୋଡ୍), NH-305 (ଅଟ୍-ସୈଞ୍ଜ) ଏବଂ NH-505 (ଖାବ୍ ରୁ ଗ୍ରାମଫୁ) ବନ୍ଦ ହୋଇଯାଇଛି। ଶିମଲା-କାଲକା ରୁଟରେ ଟ୍ରେନ ସେବା ସ୍ଥଗିତ ରଖାଯାଇଛି।

ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉତ୍ତରାଖଣ୍ଡ ସରକାର କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରଠାରୁ ୫,୭୦୨.୧୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପାଇଁ ଅନୁରୋଧ କରିଛି। ୧ ଏପ୍ରିଲରୁ ୩୧ ଅଗଷ୍ଟ ମଧ୍ୟରେ, ରାଜ୍ୟରେ ବିପର୍ଯ୍ୟୟ ଯୋଗୁଁ ୭୯ ଜଣଙ୍କର ମୃତ୍ୟୁ, ୯୦ ଜଣ ନିଖୋଜ ଏବଂ ୧୧୫ ଜଣ ଆହତ ହୋଇଥିବା ରେକର୍ଡ କରାଯାଇଛି। ଶତାଧିକ ଘର ନଷ୍ଟ ହୋଇଛି।

ପଞ୍ଜାବରେ ମଧ୍ୟ ପରିସ୍ଥିତି ଭୟଙ୍କର ହୋଇଛି। ପଞ୍ଜାବର ୨୩ଟି ଜିଲ୍ଲାର ୧୯୦୦ ରୁ ଅଧିକ ଗାଁ ବୁଡ଼ି ରହିଛି। ଅତି କମରେ ୪୩ ଜଣ ଲୋକଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୧.୭୧ ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଅନେକ ରାସ୍ତା ଧୋଇ ଯାଇଥିବା ବେଳେ ଅତି କମରେ ୧୪୧ ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ, ଚଟାଣ, ପ୍ଲାଷ୍ଟର, କାନ୍ଥ ଭୁଶୁଡି ପଡିଥିବା ରିପୋର୍ଟ କରାଯାଇଛି। ରାଜ୍ୟ ସରକାର ବ୍ୟାପକ କ୍ଷୟକ୍ଷତି ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ପାଇଁ ନିବେଦନ କରିଛନ୍ତି।

ସେହିପରି ନିରନ୍ତର ବର୍ଷା ଯୋଗୁଁ କାଶ୍ମୀର ଉପତ୍ୟକା ଦେଶର ଅନ୍ୟ ଅଂଶରୁ ବିଚ୍ଛିନ୍ନ ରହିଛି। ପ୍ରବଳ ବର୍ଷା ଯୋଗୁଁ ବହୁ ଭୂସ୍ଖଳନ ଏବଂ ରାସ୍ତା ଧୋଇଯିବା ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସମେତ ଅନେକ ପ୍ରମୁଖ ରାସ୍ତା ବନ୍ଦ ହୋଇଯାଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.