Parliament Monsoon Session: ସଂସଦର ମୌସୁମୀ ଅଧିବେଶନ, ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୩/୦୭: ସଂସଦର ମୌସୁମୀ ଅଧିବେଶନର ଦିନକ ପୂର୍ବରୁ ଅର୍ଥାତ ଜୁଲାଇ ୧୯ରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ସୂଚନା ଅନୁସାରେ, ଏହି ବୈଠକ ପୂର୍ବାହ୍ନ ୧୧ଟାରେ ବସିବ । ଏଥିରେ ସରକାର ନିଜ ବିଧାୟୀ ଏଜେଣ୍ଡା ବାବଦରେ ସଭିଁଙ୍କୁ ଅବଗତ କରାଇବେ । ବିରୋଧୀ ଦଳ ସଂସଦରେ ଉଠାଇବାକୁ ଚାହୁଁଥିବା ପ୍ରସଙ୍ଗ ସାମ୍ନାରେ ରଖିବେ । ଏହି ଅଧିବେଶନରେ ସରକାରଙ୍କ ଏଜେଣ୍ଡା ବ୍ୟାପକ ରହିପାରେ ଏବଂ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଚର୍ଚ୍ଚା ହୋଇପାରେ । ସେହିପରି ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ବ୍ୟାପକ ରଣନୀତି ବନାଇଛନ୍ତି । ନିକଟରେ କିଛି ବିରୋଧୀ ଦଳରେ ଥିବା ମତଭେଦ ଏବଂ ବିଭାଜନ କାରଣରୁ ସଂସଦରେ ଜୋରଦାର ହଙ୍ଗାମା ହେବାର ସମ୍ଭାବନା ରହିଛି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ପରାଜୟ ପରେ ଦଳରେ ବିଦ୍ରୋହ ଦେଖାଦେଇଛି । ଦଳର ୨୦ ସାଂସଦ ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆରେ ବିଲୟ କରିଥିବାରୁ ଏହି ସାଂସଦମାନେ ଲୋକସଭାରେ ଅଲଗା ବସିବା ଲାଗି ଦାବି କରିଛନ୍ତି । ଏଥିସହ ଦଳର ୩ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ତେଣୁ ଅଧିବେଶନରେ ଟିଏମ୍ସି ସାଂସଦଙ୍କ ଉପରେ ନଜର ରହିବ ।
ଅଧିକ ପଢ଼ନ୍ତୁ :- Fire Incident: ପବ୍ରେ ଭୟଙ୍କର ଅଗ୍ନିକାଣ୍ଡ; ଚାଲିଗଲା ୨୭ ଜୀବନ, ନଥିଲା ଏକଜିଟ୍ ଗେଟ୍, ଟଏଲଟ୍ ଆଡ଼କୁ ଦୌଡ଼ିଲେ ଲୋକ
ସେହିପରି ଶିବସେନା (ୟୁବିଟି)ରେ ବିଭାଜନ ହୋଇଛି । ୬ ଲୋକସଭା ସାଂସଦ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱଧୀନ ଶିବସେନାରେ ସାମିଲ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ୭ ସାଂସଦ ପୂର୍ବରୁ ହିଁ ବିଜେପିରେ ସାମିଲ ହୋଇଛନ୍ତି ।ମୌସୁମୀ ଅଧିବେଶନରେ ବିରୋଧୀ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍, ଅପରେସନ ସିନ୍ଦୂରରେ ହୋଇଥିବା ମୃତାହତଙ୍କୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଟିପ୍ପଣୀ ପ୍ରସଙ୍ଗ ଉଠାଇପାରନ୍ତି । କଂଗ୍ରେସ ଏହି ଅଧିବେଶନରେ ରାଜନାଥଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ମଧ୍ୟ ଦେଇଛି । ପ୍ରକାଶଥାଉ କି, ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ଚାଲିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।