Pakistan Attacks Afghanistan: ବଡ଼ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ, ଆକ୍ରମଣରେ ଅନେକ ମୃତ

Jun 29, 2026 - 10:33
Pakistan Attacks Afghanistan: ବଡ଼ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ, ଆକ୍ରମଣରେ ଅନେକ ମୃତ

ଆଫଗାନିସ୍ତାନ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍। ପାକିସ୍ତାନର କରାଚୀରେ ଗତ ଦୁଇ ଦିନ ତଳେ ଆତ୍ମଘାତୀ ହମଲା ପରେ ପ୍ରତିଶୋଧ ନେଇଛି ପାକିସ୍ତାନ ସେନା। ଆଫଗାନିସ୍ତାନ ଉପରେ ଜୋରଦାର ଆକ୍ରମଣ କରିଛି। ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ଗୁଇନ୍ଦା ସୂଚନା ଆଧାରରେ ନିର୍ଦ୍ଦିଷ୍ଟ ଆତଙ୍କୀ ଆଡ୍ଡା ଉପରେ ହମଲା କରିଥିବାର ସୂଚନା ଦେଇଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ଅତୌଲ୍ଲା ତରାର। ଏହି ଆକ୍ରମଣରେ ଆଫଗାନିସ୍ତାନରେ ୨୯ ଜଣଙ୍କ ପ୍ରାଣହାନୀ ହୋଇଛି। ୩୦ରୁ ଅଧିକ ଆହତ ହୋଇଥିବା ପାକ୍ କର୍ତ୍ତୃପକ୍ଷ କହିଛନ୍ତି।

ତରାର କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ବିସ୍ଫୋରଣ ଓ ଆତ୍ମଘାତୀ ଆକ୍ରମଣ ହେବା ପରେ ପାକିସ୍ତାନ ଏହି ଆକ୍ସନ ନେଇଛି। ସୂଚନାଯୋଗ୍ୟ, କରାଚୀର ସିନ୍ଧ ରେଞ୍ଜର୍ସ କମ୍ପାଉଣ୍ଡରେ ଭୟଙ୍କର ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ୩ ଜଣ ସୈନିକଙ୍କ ସହ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ପାକ୍ ସେନା ୩ ଆକ୍ରମଣକାରୀଙ୍କୁ ନିହତ କରିଥିଲେ ଏବଂ ଅନ୍ୟ ଜଣେଙ୍କୁ ଗିରଫ କରିଥିଲେ, ଯିଏ କି ଆଫଗାନ ବାସିନ୍ଦା। ଏହି ଆକ୍ରମଣ ପାଇଁ ପାକିସ୍ତାନ ତାଲିବାନଠାରୁ ବିଚ୍ଛିନ୍ନ ଏକ ଗୋଷ୍ଠୀ ଜମାତ-ଉଲ-ଆହର ନିଜକୁ ଦାୟୀ କରିଥିଲା।

X ରେ ଏକ ପୋଷ୍ଟରେ, ତରାର କହିଛନ୍ତି ଯେ ଆଫଗାନ ସୀମାରେ ପାକ୍ ସେନାର ଅପରେସନରେ ଜମାତ-ଉଲ-ଆହରର ଏବଂ ଫିତନା ଅଲ-ଖ୍ୱାରିଜର ଆତଙ୍କବାଦୀ ଶିବିର ଏବଂ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ସୁରକ୍ଷା ବାହିନୀ ପ୍ରଥମେ ଖାଇବର ପଖତୁନଖ୍ୱାର ଏକ ଜିଲ୍ଲା ବାଜୌରରେ ସୀମା ନିକଟରେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ବିରୁଦ୍ଧରେ ଅପରେସନ କରିଥିଲେ। ସେ କହିଛନ୍ତି ଯେ ଆକ୍ରମଣରେ ଆଫଗାନିସ୍ତାନର ପାକଟିଆ, ପାକଟିକା ଏବଂ କୁନାର ପ୍ରଦେଶରେ ତିନୋଟି ଟାର୍ଗେଟ ଧ୍ୱଂସ ପାଇବା ସହ ୨୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଟାର୍ଗେଟ କରାଯାଇଥିବା ମାରାକିଜ ଏବଂ ଆଡ୍ଡାରେ ଗଚ୍ଛିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ନଷ୍ଟ ହୋଇଯାଇଛି।

ଅନ୍ୟପଟେ ଏହି ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ଆଫଗାନିସ୍ତାନର ତାଲିବାନ ସରକାର। ତାଲିବାନ ସରକାର କହିଛନ୍ତି ଯେ, ଏହି ଆକ୍ରମଣ ସାଧାରଣ ନାଗରିକଙ୍କ ଘର ଉପରେ ହୋଇଥିଲା। ଏହି ଆକ୍ରମଣକୁ ନୃଶଂସତା ଓ ଅପରାଧ ବୋଲି କହିବା ସହ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ନଚେତ୍ ଆହତ ହୋଇଥିବା କହିଛନ୍ତି। ତାଲିବାନ ଅଧିକାରୀମାନେ କହିଛନ୍ତି ଯେ ପାକଟିକା ପ୍ରଦେଶର ଏକ ଗାଁ ମାଣ୍ଡିଖେଲରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

ପାକିସ୍ତାନରେ ଗତ କିଛି ବର୍ଷ ମଧ୍ୟରେ ପୋଲିସ ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି। ଅଧିକାଂଶ ହିଂସା ପାଇଁ ତେହରିକ-ଏ-ତାଲିବାନ ପାକିସ୍ତାନ ଏବଂ ସହଯୋଗୀ ଗୋଷ୍ଠୀଗୁଡ଼ିକୁ ଦାୟୀ କରିଛି ପାକ୍।