Odisha politics : ବିଜେଡିରେ ସାମିଲ ହେବେ ପୂର୍ବତନ IAS ସୁଜାତା ରାଉତ କାର୍ତ୍ତିକେୟନ, ନବୀନଙ୍କ ଉପସ୍ଥିତିରେ ଫୁଙ୍କିବେ ଶଙ୍ଖ !
ଭୁବନେଶ୍ୱର, ୨୫/୦୬ : ମଇଦାନ ପ୍ରସ୍ତୁତ, ବାର୍ତ୍ତା ପହଞ୍ଚି ସାରିଛି। ନିର୍ବାଚନମଣ୍ଡଳୀରୁ ଆସିବେ ନେତା । ଉପସ୍ଥିତ ରହିବେ ବରିଷ୍ଠ ନେତୃମଣ୍ଡଳୀ । ଶଙ୍ଖ ଭବନ ମଞ୍ଚରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କରିବେ ବଡ଼ ଘୋଷଣା । ଗୁରୁବାର ବିଜେଡିରେ ସାମିଲ ହେବେ ପୂର୍ବତନ ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନ । ପୂର୍ବତନ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ନେଇ ଏହି ଚର୍ଚ୍ଚା ଏବେ ଓଡ଼ିଶା ରାଜନୀତିରେ ହଟଚମଟ ଖେଳାଇ ଦେଇଛି । ବିଜେଡିରୁ ବିଧିବଦ୍ଧ କୌଣସି ସୂଚନା ଜାରି କରାଯାଇନାହିଁ । କୌଣସି ବଡ଼ ନେତା ଗଣମାଧ୍ୟମ ସାମ୍ନାରେ ସିଧାସଳଖ ଏ କଥା କହୁନାହାନ୍ତି । ହେଲେ କେହି ଖଣ୍ଡନ ବି କରୁନାହାନ୍ତି । ସମସ୍ତେ ଇସାରା ଦେଉଛନ୍ତି, ବିଜେଡିକୁ ସୁଜାତା ଆସୁଛନ୍ତି ।
ସୂତ୍ର ଅନୁସାରେ ଗୁରୁବାର ଶଙ୍ଖ ଭବନରେ ଦିନ ପ୍ରାୟ ୧୧ଟାରୁ ବିଜେଡିର ସାଂଗଠନିକ ବୈଠକ ବସିବ। ଦଳର ବିଧାୟକଙ୍କ ସହ ଅଧିକାଂଶ ନିର୍ବାଚନମଣ୍ଡଳୀ ନେତା ପହଞ୍ଚିବେ । ଦଳର ବରିଷ୍ଠ ନେତାମାନେ ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନେତାଙ୍କ ସହ ଆଲୋଚନା କରିବେ। ଶେଷକୁ ଆସିବେ ନବୀନ । ବିଜେଡି ସଭାପତିଙ୍କ ଉପସ୍ଥିତିରେ ହିଁ ସୁଜାତା ଶଙ୍ଖ ଧରିବେ ବୋଲି କୁହାଯାଉଛି । ଏବେ ସଭିଙ୍କ ମନରେ ପ୍ରଶ୍ନ- ଯଦି ସୁଜାତା ଆସିବେ ଦଳ ତାଙ୍କୁ କେଉଁ ଭୂମିକା ଦେବ? ସୂତ୍ର ଅନୁସାରେ ସୁଜାତାଙ୍କୁ ଦଳ ଏବେ କୌଣସି ପଦପଦବୀ ଦେବ ନାହିଁ । ସାଧାରଣ କର୍ମୀ ଭାବେ ସେ ଦଳରେ ଯୋଗ ଦେବେ । ଏସବୁ ଚର୍ଚ୍ଚା, ଆକଳନ ଭିତରେ ଲକ୍ଷ ଲକ୍ଷ ବିଜେଡି କର୍ମୀ ଏବଂ ରାଜ୍ୟ ରାଜନୀତିର ଅପେକ୍ଷା ଗୁରୁବାରକୁ ।
ବୁଧବାର ନବୀନ ନିବାସରେ ଏକ ବଡ଼ ବୈଠକ ବସିଥିଲା । ଦଳର ବରିଷ୍ଠ ନେତା ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ ଓ ବିଜୟ ନାୟକ ପ୍ରମୁଖ ଦିନ ପ୍ରାୟ ସାଢ଼େ ୧୧ଟାବେଳେ ପହଞ୍ଚିଥିଲେ । ନବୀନଙ୍କ ସହ ଏହି ନେତାମାନଙ୍କ ବୈଠକ ଚାଲିଲା ପ୍ରାୟ ୪୫ ମିନିଟ । ବାହାରକୁ ଆସି ସବୁ କହିଲେ, ଭୋଟର ତାଲିକା ସଂଶୋଧନ ନେଇ ଚାଲିଥିବା ଏସ୍ଆଇଆର୍ ଅଭିଯାନ ବାବଦରେ ଆଲୋଚନା ହେଲା । କିନ୍ତୁ, ପରେ ଚର୍ଚ୍ଚା ଜୋର ଧରିଲା- ଏସଆଇଆର୍ କେବଳ ବାହାନା, ସୁଜାତାଙ୍କ ମିଶ୍ରଣ ହିଁ ମୁଖ୍ୟ ବିଷୟ ଥିଲା । ସାଂଗଠନିକ ବୈଠକ ପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀ ନେତାଙ୍କ ନିକଟକୁ ବୁଧବାର ସନ୍ଧ୍ୟା ସୁଦ୍ଧା ଫୋନ ଯାଇଛି। ଗତବର୍ଷ ମାର୍ଚ୍ଚରୁ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି ସୁଜାତା। ସେ ବିଜେଡିରେ ମିଶିବା ନେଇ ଢେର ଦିନରୁ ଚର୍ଚ୍ଚା ଚାଲି ଆସୁଛି । କେତେକ ବରିଷ୍ଠ ନେତା ଏଭଳି ସମ୍ଭାବନାକୁ ନେଇ ନକରାତ୍ମକ ଟିପ୍ପଣୀ ଦେଇଥିବାବେଳେ ଅଧିକାଂଶ ବିଜେଡି ନେତା ଏବଂ ଛାମୁଆ ସଂଗଠକ ସୁଜାତାଙ୍କ ଆଗମନକୁ ନେଇ ଉତ୍ସାହିତ ଅଛନ୍ତି । ଅନେକ ନେତା ଖୋଲାଖୋଲି ଏହାକୁ ସ୍ୱାଗତ କରୁଛନ୍ତି । ସୁଜାତାଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ପୂର୍ବତନ ଆଇଏଏସ ଅଧିକାରୀ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ୨୦୨୩ରେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ, ୨୦୨୪ ନିର୍ବାଚନ ଫଳାଫଳ ବିଜେଡି ବିରୋଧରେ ଆସିଥିବାରୁ ପାଣ୍ଡିଆନ ରାଜନୀତିରୁ ଦୂରେଇ ଯିବା ନେଇ ଘୋଷଣା କରିଥିଲେ ।
୨୦୨୪ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରଠାରୁ ବିଜେଡି ସଂଗଠିତ ହୋଇପାରୁନି । ଦଳରେ ଆଭ୍ୟନ୍ତରୀଣ ଶୃଙ୍ଖଳା ଆଗ ଭଳି ନାହିଁ । ୩ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିକୁ ପଳାଇଥିବା ବେଳେ ୮ ବିଧାୟକ ରାଜ୍ୟସଭା ଭୋଟରେ କ୍ରସ ଭୋଟିଂ କଲେ । ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ ଏଭଳି ସଙ୍କଟମୟ ସ୍ଥିତିରେ ସୁଜାତାଙ୍କ ଆଗମନ ହେଉଛି ବିଜେଡିକୁ । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ସୁଜାତାଙ୍କ ମିଶ୍ରଣ ଦଳକୁ କେତେ ଶକ୍ତିଶାଳୀ କରିବ, ତାହା ସମୟ କହିବ । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ସୁଜାତା କେନ୍ଦ୍ରାପଡ଼ାର ଝିଅ ହୋଇଥିବାବେଳେ ସେ ବହୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ । ମିଶନ ଶକ୍ତି ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ତାଙ୍କ ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ଆହୁରି ପଢନ୍ତୁ- ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟରରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ, ୧୫ ଦିନରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ପିଲାଙ୍କ ପେଟକୁ ଦାନା ନଦେଇ ପାରି ହାତ ଟେକିଦେଲେ ବାପା, ଭୋକର ଜ୍ବାଳା ଆଗରେ ନୁଆଁଇଲେ ମୁଣ୍ଡ