Odisha Gears Up for Panchayat Elections: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବଡ଼ ତୟାରି, ଅକ୍ଟୋବରରୁ ବଡ଼ ସର୍ଭେ

Jul 21, 2026 - 19:50
Odisha Gears Up for Panchayat Elections: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବଡ଼ ତୟାରି, ଅକ୍ଟୋବରରୁ ବଡ଼ ସର୍ଭେ

୧୯୯୪ ମସିହା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ହେବ ଡୋର୍ ଟୁ ଡୋର୍ ସର୍ଭେ। ଏହାପରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର୍ ଲିଷ୍ଟ। ଆସନ୍ତା ଏପ୍ରିଲ କିମ୍ବା ମେ ପାଖାପାଖି ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଆଜି ଜିଲ୍ଲାପାଳମାନଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର। ବୈଠକରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଥିବା ଭୋଟର ତାଲିକା, ନିର୍ବାଚନୀ ପ୍ରକ୍ରିୟା, ପ୍ରଶାସନିକ ପ୍ରସ୍ତୁତି ଓ ଲଜିଷ୍ଟିକ୍ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି। SIR ସରିବା ପରେ ରାଜ୍ୟରେ ଭୋଟର୍ ତାଲିକା ପ୍ରସ୍ତୁତି ହେବ। ଡୋର୍ ଟୁ ଡୋର୍ ସର୍ଭେ ସାରି ଫେବ୍ରୁଆରୀ ସୁଦ୍ଧା ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର୍ ତାଲିକା। ନିର୍ବାଚନ ନେଇ ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏପ୍ରିଲ କିମ୍ବା ମେ ମାସରେ ଉଭୟ ନିର୍ବାଚନ ହୋଇପାରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ।

ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ଭୋଟର୍ ଲିଷ୍ଟ ପ୍ରକ୍ରିୟା ଚାଲିବ। ଚଳିତ ମାସ ୩୧ ତାରିଖ ସୁଦ୍ଧା ଏନେଇ ଟିମ୍  ଗଠନ କାର୍ଯ୍ୟ ସରିବ। ଟିମ୍ ରେ BLO, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ସାମିଲ କରାଯିବ। ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ସବୁ ୱାର୍ଡର ଭୋଟର୍ ତାଲିକା ପ୍ରକାଶ ପାଇବ। ଅନ୍ୟପକ୍ଷରେ ନିର୍ବାଚନ ଲାଗି ପୁରୁଣା ବାଲଟ ବକ୍ସ ମରାମତି କରାଯିବାକୁ ନିଷ୍ପତ୍ତି ହୋଇଛି। ଆବଶ୍ୟକ ହେଉଥିବା ୧୨ ହଜାର ବାଲଟ୍ ବକ୍ସ ମଧ୍ୟରୁ ୮ ହଜାର ନୂଆ ବକ୍ସ ଆସିବ। ପ୍ରଥମ ଥର ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ଡୁପ୍ଲିକେଟ୍ ଭୋଟରଙ୍କୁ ଜଗିବା ପାଇଁ ବ୍ୟବହାର ହେବ ଡି ଡୁପ୍ଲିକେସନ ଟୁଲ୍।

ବୈଠକରେ ଜିଲ୍ଲାପାଳମାନେ ମଧ୍ୟ ଅନେକ ପ୍ରସ୍ତାବ ରଖିଥିଲେ। ରାଜ୍ୟ ନିର୍ବାଚନ କମିଶନର ଜିଲ୍ଲାପାଳମାନଙ୍କୁ ସମସ୍ତ କାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି ।ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଏହା ଦ୍ୱିତୀୟ ବଡ଼ ବୈଠକ। ଏବେ ଅପେକ୍ଷା କେତେ ଶୀଘ୍ର ଏ ପ୍ରକ୍ରିୟା ଶେଷ ହେଉଛି ଏବଂ ନିର୍ବାଚନ ପାଇଁ ବିଗୁଲ ବାଜୁଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।