Odisha Flood Updates: ବାଲିଯାତ୍ରା ପଡିଆ ଏବଂ ଗଡ଼ଗଡିଆ ଘାଟରେ କଟକଣା, କାଉଡିଆଙ୍କ ପାଣି ଉଠା ଉପରେ ରୋକ୍
କଟକ ୦୧/୦୮: ମହାନଦୀରେ ବନ୍ୟାଜଳର ପ୍ରବାହ ହ୍ରାସ ପାଇବା ଆରମ୍ଭ ହୋଇଛି । ଗତକାଲି ଯେଉଁଠି ପ୍ରାୟ ୯ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରତି ସେକେଣ୍ଡ ପିଛା ପ୍ରବାହିତ ହେଉଥିବା ବେଳେ ଶୁକ୍ରବାର ଏହା ରାତି ୯ଟା ସୁଦ୍ଧା ୮ ଲକ୍ଷ ୨୦ହଜାର କ୍ୟୁସେକ୍କୁ ଖସିଛି । ଏହା ସତ୍ତ୍ଵେ ମଧ୍ୟ କଟକ ଜିଲ୍ଲା ପ୍ରଶାସନ ଆହୁରି ୪୮ ଘଣ୍ଟା ପାଇଁ କଡ଼ା ସତର୍କ ସୂଚନା ସହ କଟକଣା ଜାରି ରଖିଛି ।ଗଡ଼ଗଡିଆ ଘାଟ କାଉଡ଼ି ଯାତ୍ରା ଲାଗି ଖୁବ ପ୍ରସିଦ୍ଧ, କିନ୍ତୁ ଏଠାରୁ କେହି ପାଣି ଉଠାଇ ପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଧବଳେଶ୍ୱର ପୀଠକୁ ନଯିବା ଲାଗି ଭକ୍ତଙ୍କୁ ବାରଣ କରାଯାଇଛି। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏଭଳି କଟକଣା ବଳବତ୍ତର ରହିବ ବୋଲି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ପଢ଼ନ୍ତୁ :- Odisha Flood Impact |କୃଷକଙ୍କ ପାଇଁ ବଡ଼ ଖବର ! ଆସୁଛି କୃଷି ସହାୟତା ପ୍ୟାକେଜ୍, ରିପୋର୍ଟ ପରେ ଘୋଷଣା ହେବ ପ୍ୟାକେଜ୍
ମୁଣ୍ଡଳୀରେ ପ୍ରତି ୩ ଘଣ୍ଟାରେ ପ୍ରାୟ ୧୦ ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେ ସ୍ରୋତ ଏବେ ମଧ୍ୟ ଅତ୍ୟନ୍ତ ପ୍ରବଳ ରହିଛି । ଏପରି ସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡଳୀରେ ଜଳପ୍ରବାହ ସମାନ ରହିବା କିମ୍ୱା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ବନ୍ୟା ଆଶ୍ରୟସ୍ଥଳୀରେ ଥିବା ବିପନ୍ନମାନଙ୍କୁ ଖାଦ୍ୟ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ କଟକ ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସତର୍କ ଦୃଷ୍ଟି ଦେବାକୁ କହିଛନ୍ତି । ଯେଉଁ ଅଞ୍ଚଳରେ ବିପଦ ରହିଛି ସେଠାରେ ମାଇକ୍ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ସମସ୍ତ ନଦୀ ଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ, ସେଲ୍ଫି ନେବା, ଜିଲ୍ଲାର ସମସ୍ତ ବ୍ୟାରେଜ୍ ଅଞ୍ଚଳକୁ ଯିବା ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ସେହିପରି ବାଲିଯାତ୍ରା ତଳ ପଡ଼ିଆରେ ସାଧାରଣ ଲୋକଙ୍କ ଯାତାୟାତ, ସମାବେଶ ଓ ଭିଡ଼ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି ।
ଅନ୍ୟପକ୍ଷରେ ବ୍ୟାରେଜ୍, ସେତୁ କିମ୍ୱା ନଦୀବନ୍ଧ ଉପରେ ଠିଆ ହୋଇ ବନ୍ୟାଜଳ ଦେଖିବା, ସେଲ୍ଫି ନେବା କିମ୍ୱା ଭିଡିଓଗ୍ରାଫି କରିବା ମଧ୍ୟ କଡ଼ାକଡ଼ି ଭାବେ ନିଷିଦ୍ଧ ରହିବ । କେବଳ ଜରୁରୀକାଳୀନ ସେବା ଓ ବନ୍ୟା ପରିଚାଳନା ସହ ଜଡ଼ିତ ଅଧିକାରୀମାନେ ଏହି ଅଞ୍ଚଳକୁ ପ୍ରବେଶ କରିପାରିବେ । ମତ୍ସ୍ୟଜୀବୀ ମାନଙ୍କୁ ନଦୀକୁ ନ ଯିବାକୁ କଡ଼ା ଚେତାବନୀ ଦିଆଯାଇଛି । ତଳିଆ ଓ ବନ୍ୟାପ୍ରବଣ ଗ୍ରାମର ବାସିନ୍ଦା, ଚାଷୀ ଓ ଦୁଗ୍ଧଚାଷୀମାନଙ୍କୁ ସେମାନଙ୍କର ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।