Odisha Flood Crisis: ବନ୍ୟା ଯେଗୁ ୨ ଲକ୍ଷ ୬୮ ହଜାର ଜଳବନ୍ଦୀ, ଉତ୍ତର ଓଡ଼ିଶାରେ ପାଣି ଖସୁଛି, ଦୁର୍ଦ୍ଦଶା ବଢ଼ୁଛି...
ଭୁବନେଶ୍ୱର/ସମ୍ବଲପୁର,୧/୦୮: ଦୁଇଦିନ ହେବ ତଳମୁଣ୍ଡରେ ମହାନଦୀ ଦ୍ରୁତ ଗତିରେ ଫୁଲୁଥିଲା । ଶୁକ୍ରବାର ସକାଳଠାରୁ ଜଳସ୍ତର ଖସୁଛି । ସନ୍ଧ୍ୟା ୬ଟାବେଳେ ମୁଣ୍ଡୁଳିରେ ସେକେଣ୍ଡ ପିଛା ୮ ଲକ୍ଷ ୨୦ ହଜାର ଘନଫୁଟ ପାଣି ଚାଲିଥିଲା । ଖଇରମାଳରେ ୩ ଲକ୍ଷ ୩୦ ହଜାର ଘନଫୁଟ ଓ ବରମୂଳରେ ୬ ଲକ୍ଷ ୨ ହଜାର ଘନଫୁଟ ଥିଲା । ପଥରଲାରେ ତେଲରୁ ଆସୁଥିବା ପାଣି ବି କମିଛି । ଆସୁଥିଲା ୨ ଲକ୍ଷ ୬ ହଜାର ଘନଫୁଟ ।
ଅନୁମାନ କରାଯାଉଛି, ମହାନଦୀ ଜଳସ୍ତର ସକାଳ ସୁଦ୍ଧା ଢେର କମିଯାଇପାରେ । କିନ୍ତୁ, ହୀରାକୁଦରୁ ଆସୁଥିବା ପାଣିକୁ ନେଇ ଚିନ୍ତା ବଢ଼ିଛି । ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ୁଥିବାରୁ ଶୁକ୍ରବାର ପର୍ଯ୍ୟାୟ କ୍ରମେ ଆଉ ୨୦ଟି ଗେଟ୍ ଖୋଲାଯାଇଛି । ଯଦିଓ ଏହି ପାଣି ମୁଣ୍ଡୁଳିରେ ପହଞ୍ଚିଲାବେଳକୁ ଶନିବାର ବିଳମ୍ବିତ ରାତି ହୋଇଯିବ । ସେତେବେଳକୁ ତଳମୁଣ୍ଡରେ ମହାନଦୀ ଜଳସ୍ତର ବହୁ ମାତ୍ରାରେ କମିଯାଇଥିବ । ତେଣୁ ଯେଉଁ ପାଣି ଆସି ନଦୀରେ ନଦୀରେ ଚାଲିଯିବ । ସନ୍ଧ୍ୟା ୬ଟା ବେଳର ରିପୋର୍ଟ ଅନୁସାରେ ହୀରାକୁଦ ଜଳସ୍ତର ୬୨୫ ଫୁଟ ଉପରେ ଥିଲା । ୨୨ଟି ଗେଟ ଦେଇ ପାଣି ଛଡ଼ାଯାଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୨୨ ହଜରାର ୯୬୮ ଘନଫୁଟ ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩ ଲକ୍ଷ ୫୬ ହଜାର ଘନଫୁଟ ।
ଅଧିକ ପଢ଼ନ୍ତୁ :- Weather Forecast: ଜୁଲାଇ ନିର୍ଧୁମ ଢାଳିଲା, ଅଗଷ୍ଟ ଓ ସେପ୍ଟେମ୍ବରରେ ଓଡ଼ିଶାରେ କମ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଇଂ. ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି, ତଳମୁଣ୍ଡରେ ଏବେ ବନ୍ୟା ସ୍ଥିତି ନାହିଁ । ବହୁ ପରିମାଣରେ ଜଳସ୍ତର ଖସିବାରେ ଲାଗିଛି । ହୀରାକୁଦର ଆଉ ଅଧିକ ଗେଟ ଖୋଲିବ କି ନାହିଁ, ଶନିବାର ନିଷ୍ପତ୍ତି ନିଆଯିବ । ଉପରମୁଣ୍ଡରେ ଏବେ ବର୍ଷା ନାହିଁ । ଆଗକୁ ଛତିଶଗଡ ଅଞ୍ଚଳରେ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ବନ୍ୟା ଜଳ ନିଷ୍କାସନରେ କୌଣସି ଅସୁବିଧା ହେବ ନାହିଁ । ଆସନ୍ତା ୪ତାରିଖ ବେଳରୁ ପୁଣି ବର୍ଷା ସମ୍ଭାବନା ଅଛି । ଏହି ସମୟ ସୁଦ୍ଧା ହୀରାକୁଦର ବନ୍ୟା ଜଳ ନିଷ୍କାସନ ସରିଥିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆକାଶ ମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଏସଆରସି ରାଜେଶ ପ୍ରଭାକର ପାଟିଲ ମଧ୍ୟ ତାଙ୍କ ସହ ରହିବେ । ବନ୍ୟା ଜଳ ଛାଡ଼ିବାର ୭୨ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ୟା ସ୍ଥିତି ନେଇ ଲୋକସେବା ଭବନଠାରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରି ସ୍ଥିତି ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାଯାଇଛି, ଚଳିତ ବନ୍ୟାରେ ୧୪ ଜିଲ୍ଲା ଅନ୍ତର୍ଗତ ୬୫ଟି ବ୍ଲକ ଅଧୀନସ୍ଥ ୪୯୨ଟି ପଞ୍ଚାୟତର ୧୪୪୬ଟି ଗାଁ ଓ ୧୩ଟି ସହରାଞ୍ଚଳର ୨୦୧ଟି ୱାର୍ଡ ପ୍ରଭାବିତ ହୋଇଛି । ରାଜ୍ୟର ପ୍ରାୟ ୮ ଲକ୍ଷ ୩୪ ହଜାର ୭୪୧ ଲୋକେ ପ୍ରଭାବିତ ହୋଇଛନ୍ତି । ପାଣି ଘେରରେ ୨ ଲକ୍ଷ ୬୮ ହଜାର ୯୪୩ ଲୋକେ ଅଛନ୍ତି । ୨ ଲକ୍ଷ ୬୭ ହଜାର ୩୦୧ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ହସ୍ତଗତ ରିପୋର୍ଟ ଅନୁସାରେ ବନ୍ୟାରେ ୧୦୮୨ ଘର ନଷ୍ଟ ହେବା ସହ ୨୧ ହଜାର ୩୮୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।
ମହାନଦୀ ବନ୍ୟା ଯୋଗୁ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଆଦି ଜିଲ୍ଲାର ତଳି ଅଞ୍ଚଳବାସୀ ଭୟଭୀତ ଅଛନ୍ତି । ହୀରାକୁଦର ୨୨ଟି ଗେଟ ଖୋଲାଯିବା ପରେ ପଛୁଆ ଠେଲା ପାଣିରେ ସମ୍ବଲପୁର-ସୋନପୁରୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସମ୍ବଲପୁର ସହର ଉପକଣ୍ଠ ମାଳତୀଗୁଣ୍ଡେରପୁରରେ ରାଜ୍ୟ ରାଜପଥରେ ପାଣି ଚାଲିଥିବାରୁ ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇଛି ।
କଟକର ଆଠଗଡ଼, ବାଙ୍କୀ, ତିଗିରିଆର ପ୍ରାୟ ୪୦ ଗାଁ ପାଣି ଘେରରେ ଅଛି । ବିଭିନ୍ନ ରାସ୍ତା ବୁଡ଼ି ଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଧାନ, ପନିପରିବା ସମେତ ବ୍ୟାପକ ଫସଲ ନଷ୍ଟ ହୋଇଛି ।ନୟାଗଡ଼ର ଗଣିଆ ବ୍ଲକର ରାସଙ୍ଗ ପଞ୍ଚାୟତର ରାସଙ୍ଗ-କାଦୁଆ ରାସ୍ତାରେ ୫ ଫୁଟ ଉଚ୍ଚର ପାଣି ଚାଲିଥିବାବେଳେ ମଣିଭଦ୍ରା ବେଣ୍ଟପଡ଼ା ରାସ୍ତା ବୁଡ଼ିଯାଇଛି । ୩ଟି ପଞ୍ଚାୟତର ପ୍ରାୟ ୪୧ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି ।
ସେହିପରି ଜଗତସିଂହପୁରର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ତଳି ଅଞ୍ଚଳରେ ବନ୍ୟା ପାଣି ମାଡ଼ିଯାଇଛି । ଅନେକ ଗାଁ ପାଣି ଘେରରେ ରହିଛି । କେନ୍ଦ୍ରାପଡ଼ାର କେନ୍ଦ୍ରାପଡ଼ା, ମାର୍ଶାଘାଇ, ଗରଦପୁର, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ରାଜନଗର, ମହାକାଳପଡ଼ା ବ୍ଲକର ୧୩୫ ଗାଁ ପାଣି ଘେରରେ ଥିବା ସରକାରୀ ସୂଚନା ରହିଛି । ସ୍ଥାନୀୟ ସୂଚନାନୁସାରେ ମହାନଦୀ ଓ ବ୍ରାହ୍ମଣୀ ବନ୍ୟା ଯୋଗୁ ଜିଲ୍ଲାରେ ପ୍ରାୟ ଦେଢ଼ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି ।
ପୁରୀ ଜିଲ୍ଲାର ନିମାପଡ଼ା, ଗୋପ, ଅସ୍ତରଙ୍ଗ, କଣାସର ତଳିଆ ଅଞ୍ଚଳରେ ପାଣି ପଶିଛି । ପିପିଲି ବ୍ଲକ କଣ୍ଟି ପଞ୍ଚାୟତର ମୁଣ୍ଡା ଗାଁରେ ଦୟା ନଦୀ ପାଣି ପ୍ରବେଶ କରିଛି । ଲୋକଙ୍କୁ ନିକଟସ୍ଥ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଦୟା ଓ ରାଜୁଆ ନଦୀର ମଧ୍ୟ୍ୟବର୍ତ୍ତୀ ଅଞ୍ଚଳ ଦୋକନ୍ଦା, ବଡ଼ାସ, ଗଡ଼ ବଳଭଦ୍ରପୁର, ପାଣ୍ଡିଆକେରା ଗ୍ରାମ ପଞ୍ଚାୟତର ଗ୍ରାମଗୁଡିକ ତିନିଦିନ ହେଲା ଜଳବନ୍ଦୀ ରହିଛନ୍ତି । ବଗିପଡ଼ାଠାରୁ ଜଙ୍କିଆ ବଜାର ମଧ୍ୟରେ କିଛି ଲୋକଙ୍କ ଘରେ ବନ୍ୟା ପାଣି ପଶିଛି । ଦୟା ଓ ରାଜୁଆ ନଦୀର ବନ୍ୟା ଜଳ ବଢ଼ିବାରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ପାଣ୍ଡିଆବିଲି ଓ ବୁଢ଼ାଙ୍ଗରା ଗାଁ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ।
ଉତ୍ତର ଓଡ଼ିଶାରେ ନଦୀ ପାଣି ଖସିଥିବାବେଳେ ବନ୍ୟା ପରର ଦୁର୍ଦ୍ଦଶା ବଢ଼ିଛି । ଭଦ୍ରକ ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୩ ଲକ୍ଷ ୯୫ ହଜାର ୪୪୮ ଜଣ ପାଣି ଘେରରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ୩୫୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଧାମନଗ ଓ ତିହିଡ଼ିର ବନ୍ୟା ଜଳ ହ୍ରାସ ପାଇଛି । ହେଲେ ସମୁଦ୍ର ତଟବର୍ତ୍ତୀ ଚାନ୍ଦବାଲିରେ ବନ୍ୟା ଜଳ ବଢ଼ିବାରେ ଲାଗିଛି । ଧାମନଗର ବ୍ଲକ୍ ଫତେପୁର ଗାଁରେ ପାଣିରେ ବୁଡ଼ି ୭ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକର ୧୪୬ଟି ପଞ୍ଚାୟତ ଅନ୍ତର୍ଗତ ୪୬୩ଟି ଗ୍ରାମ ଓ ୫ଟି ସହରାଞ୍ଚଳର ୧୩୫ଟି ୱାର୍ଡର ପ୍ରାୟ ୧ ଲକ୍ଷ ୪୭ ହଜାର ୬୫ ଜଣ ଲୋକ ବନ୍ୟା ଓ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛନ୍ତି । ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ୧୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛନ୍ତି । ଯାଜପୁର ଜିଲ୍ଲାରେ ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତାରେ ପାଣି ଖସିବାରେ ଲାଗିଛି । ଜିଲ୍ଲାର ୧୧୧ ପଞ୍ଚାୟତର ୩୨୮ ଗାଁର ୧ ଲକ୍ଷ ୯୩ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ୨୫ ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି । କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ଥିତି ସୁଧାର ଆସିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।