Odisha Fishermen Can Now Fish Deeper Sea: ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ
ଆଉ କେବଳ ପାଂପ୍ଲେଟ୍ କି ପାଣି ଆଖିଆ ନୁହେଁ, ଏଣିକି ଆମ ରାଜ୍ୟର ମତ୍ସ୍ୟଜୀବୀ ଗଭୀର ସମୁଦ୍ରରୁ ଧରିବେ ଟୁନା ଭଳି ଦାମିକିଆ ମାଛ। ଏଥିପାଇଁ ସୁଯୋଗ ଆଣିଛି ଡିପ୍ ସି' ଫିସିଂ ମିଶନ୍। ଫଳରେ ମତ୍ସ୍ୟଜୀବୀମାନେ ଅନ୍ତର୍ଜାତୀୟ ଜଳସୀମାରେ ମାଛ ମାରିବାର ସୁଯୋଗ ପାଇବେ। ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ରାଜ୍ୟର ମତ୍ସ୍ୟଜୀବୀଙ୍କ ପାଇଁ ଖୁସି ଖବ। ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର ବା (LoA)’ର ହୋଇଛି ଶୁଭାରମ୍ଭ। ଯା ଫଳରେ ଓଡ଼ିଶାର ମତ୍ସ୍ୟଜୀବୀମାନେ ଏଣିକି ୨ଶହ ନଟିକାଲ ମାଇଲସ୍ ବା ୩୭୦ କିଲୋମିଟର ପର୍ଯ୍ୟନ୍ତ ଗଭୀର ସମୁଦ୍ରକୁ ଯାଇ ମାଛ ଧରିପାରିବେ। ଅର୍ଥାତ୍ ଅନ୍ତର୍ଜାତୀୟ ସମୁଦ୍ର ସୀମା ପର୍ଯ୍ୟନ୍ତ ଯାଇପାରିବେ।
ପୂର୍ବରୁ ୧୨ ନଟିକାଲ ମାଇଲସ୍ ବା ୨୩ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବାକୁ ଅନୁମତି ଥିଲା। ଏହାର ବଡ଼ ଫାଇଦା ହେବ ଗଭୀର ସମୁଦ୍ରରେ ମିଳୁଥିବା ଟୁନା, ବିଲ୍ ଫିସ୍ ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଆମ ରାଜ୍ୟର ମତ୍ସ୍ୟଜୀବୀମାନଙ୍କୁ ମିଳିବ ବଡ଼ ସୁଯୋଗ। ଏହାଛଡ଼ା ସାମୁଦ୍ରିକ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରରେ ଭାରତର ବ୍ଲୁ ଇକୋନମୀ ଅଧିକ ସୁଦୃଢ଼ ହେବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ଭୁବନେଶ୍ୱରସ୍ଥିତ OUAT ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।
ଗଭୀର ସମୁଦ୍ରରେ ମାଛ ଧରିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ଉନ୍ନତ ମାଛଧରା ଉପକରଣ, ପରିଚାଳନା ଓ ବଜାର ସଂଯୋଗ ପାଇଁ ସହଯୋଗ ଯୋଗାଇଦେବେ ସରକାର। ସେହିପରି ମାଛ ଧରିବା ପାଇଁ ବ୍ୟବହୃତ ବଡ଼ ଟ୍ରଲର ବା ଭିଜେଲସ୍ ପାଇଁ ସରକାର ଆର୍ଥିକ ଅନୁଦାନ ମଧ୍ୟ ଯୋଗାଇଦେବେ। ଏହାଦ୍ବାର ନିଯୁକ୍ତି, ମତ୍ସ୍ୟଜୀବୀଙ୍କ ଆୟବୃଦ୍ଧି ସହିତ ସାମୁଦ୍ରିକ ରପ୍ତାନୀ ବୃଦ୍ଧି ହୋଇପାରିବ। ଖାଲି ସେତିକି ନୁହେଁ, ଏହି ପଦକ୍ଷେପ ଦ୍ବାରା ବ୍ଳୁ ଇକୋନମୀ ବା ନୀଳ ଅର୍ଥନୀତି ଅଧିକ ମଜଭୁତ ହେବ।
ଓଡ଼ିଶାରେ ୫୭୫ କିଲୋମିଟର ଦୀର୍ଘ ଉପକୂଳ ରହିଛି। ସମୁଦ୍ର ଉପରେ ପ୍ରାୟ ୫ ଲକ୍ଷ ମତ୍ସ୍ୟଜୀବୀ ନିର୍ଭର କରନ୍ତି। ୨୦୨୫-୨୬ରେ ଭାରତ ପ୍ରାୟ ୭୩ ହଜାର ୮୯୦ କୋଟି ମୂଲ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରିଥିଲା। ସେହିପରି ୨୦୨୪-୨୫ ବର୍ଷରେ ଓଡିଶା ୨.୪ ଲକ୍ଷ ମେଟ୍ରିକ ଟନ୍ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।