Odisha Facing Flood-Like Situation: ୩ ଦିନର ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ, ବୌଦ୍ଧ ଓ କନ୍ଧମାଳରେ ସର୍ବାଧିକ ବର୍ଷା

Jul 05, 2026 - 20:30
Odisha Facing Flood-Like Situation: ୩ ଦିନର ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ, ବୌଦ୍ଧ ଓ କନ୍ଧମାଳରେ ସର୍ବାଧିକ ବର୍ଷା

ଲଘୁଚାପ ପ୍ରଭାବରେ ତିନି ଦିନର ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ। କେଉଁଠି ଘରେ ପାଣି ପଶି ଜିନିଷପତ୍ର ବୁଡିଲାଣି ତ କେଉଁଠି ପାଣି ଘେରରେ ପୁରା ଅଂଚଳ। କାର୍ ବୁଡିଛିି, ଗଛ ଉପୁଡି ପଡିଛି, ରାସ୍ତାରେ ଚାଲିଛି ଆଣ୍ଠୁଏ ଉଚ୍ଚର ପାଣି। ବିଦ୍ୟୁତ ଖୁଣ୍ଟ ଉପୁଡି ଠପ୍ ହୋଇଯାଇଛି ସେବା। ତୁହାକୁ ତୁହା ବର୍ଷାରେ ଚାରିଆଡେ ଖାଲି ପାଣି ଆଉ ପାଣି, ଜଳମଗ୍ନ ଗାଁରୁ ସହର। ଘର ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି। ତାରି ଭିତରେ ଭାସୁଛି ଜିନିଷପତ୍ର। 

ବଲାଙ୍ଗିର ରାଜୀବନଗର ପଡାରେ ପାଣିରେ ଉବୁଟୁବୁ ପୁରା ପରିବାର। ଜିଲ୍ଲାର ପୁଇଁନ୍ତଳା ବ୍ଲକ୍ ଲୁହୁରେନପାଲିରେ ଭୁଶୁଡି ପଡିଛି ଝାଟିମାଟିର ଘର। ଯେଉଁଥିରେ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସେହିପରି ଧୋଇଯାଇଛି ରାମୋଡ ଛକରୁ ରାଉତମୁଣ୍ଡା ଗାଁ ରାସ୍ତା ପୋଲ। ସେହିପରି ଖପ୍ରାଖୋଲ-କଣ୍ଟାବାଞ୍ଜି ରାସ୍ତାରେ ଚାଲିଛି ୩ ଫୁଟର ପାଣି, ଠପ୍ ହୋଇଛି ଯାତାୟତ। ପାଟଣାଗଡ଼ ଝଳିଆଲିଟିରେ ରେଲୱେ ଅଣ୍ଡର ପାସରେ ବୁଡ଼ିଯାଇଛି କାର। ବହୁ କଷ୍ଟରେ କାର୍ ଭିତରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସେପଟେ ଖୋର୍ଦ୍ଧା-ବଲାଙ୍ଗିର ରେଲୱେର ଆଡେଣିଗଡ଼ ୪ ନମ୍ବର ଟନେଲରେ ପଶିଛି ବର୍ଷା ଜଳ। ଫଳରେ ଗତକାଲିଠୁ ୪ ଜଣ ଶ୍ରମିକ ଫସିରହିଥିଲେ। ଆଜି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ, ଠପ୍ ହୋଇଛି ଟନେଲ ନିର୍ମାଣ। 

ନଦୀ କୂଳରୁ କାଠ ସଂଗ୍ରହ ବେଳେ ହଠାତ୍ ମାଡି ଆସିଲା ବନ୍ୟା ପାଣି, ଫସିଗଲେ ଦୁଇ ମହିଳା। ଲଗାଣ ବର୍ଷାରେ ବୌଦ୍ଧ ସାଲୁଙ୍କି ନଦୀ ଫୁଲୁଥିବା ବେଳେ ଲକ୍ଷ୍ମୀପଦର ଅଂଚଳର ଦୁଇ ମହିଳା ପାଣି ଘେରରେ ଫସିଯାଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ୩-୪ ଘଣ୍ଟାର ପରିଶ୍ରମରେ ସୁରକ୍ଷିତ ଉଦ୍ଧାର ପାଇଥିଲା ଜୀବନ। ନୂଆପଡାର ରାୟପୁରରୁ ଗୋପାଳପୁର ସଂଯୋଗ କରୁଥିବା NH ୩୫୩ର କୋମନା ରାସ୍ତାରେ ଲଗାତର ଚାଲିଛି ୨ ଫୁଟର ପାଣି। ସେହିପରି ଲଖନା ରେଲୱେ ଅଣ୍ଡରପାସରେ ୫ ଫୁଟର ପାଣି ଜମି ରହିଛି l ବିଶ୍ୱନାଥପୁର ଗାଁରେ ଥିବା ଏକ ଡ୍ୟାମ୍ ଭାଙ୍ଗି ଯାଇଥିବା ବେଳେ ନୂଆପଡ଼ା ବ୍ଲକର ସାରାବଙ୍ଗ ଆମାନାରା ନିର୍ମାଣାଧୀନ ବ୍ରିଜ ମଧ୍ୟ ପ୍ରଭାବିତ ହୋଇଛି l 

ଦୁଇ ଦିନର ନନଷ୍ଟପ୍ ବର୍ଷାରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ, ଗଛ ପଡି ରାସ୍ତା ଅବରୋଧ। ଏଚିତ୍ର କନ୍ଧମାଳର। ଗଛ ଉପୁଡି ପଡି ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡା-ତୁମୁଡିବନ୍ଧ ରାସ୍ତା ଅବରୋଧ ହୋଇଛି। ସେପଟେ ନଦୀଖଣ୍ଡିସାହିରୁ ଡାକପାଲାକୁ ସଂଯୋଗ କରୁଥିବା ବ୍ରିଜ ଉପରେ ପ୍ରବାହିତ ହୋଇଛି ଦୁଇ ଫୁଟ ଉଚ୍ଚର ପାଣି। ଫୁଲିଛି ବାଘ ନଦୀ। ପାଣିରେ ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଂଚାୟତବାସୀଙ୍କ ଏଭଳି ବିପଦଜନକ ଯାତ୍ରା। ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ୩ ଖଣ୍ଡ ଗାଁର ଲୋକେ।

କୋରାପୁଟରେ ବି ପ୍ରଭାବ ଦେଖାଇଛି ଲଘୁଚାପ ବର୍ଷା। ଜିଲ୍ଲାର ନାରାୟଣପାଟଣାରେ ଜଣେ ମହିଳା ନଦୀ ସ୍ରୋତରେ ଭାସି ଯାଇ ନିଖୋଜ ଥିବା ଅଭିଯୋଗ ହୋଇଛି। ଅନେକ ସ୍ଥାନରେ ବଡ ବଡ ଗଛ ଉପୁଡ଼ି ପଡ଼ିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି। ସେପଟେ କେନ୍ଦ୍ରାପଡ଼ା ପୌରାଞ୍ଚଳର ତଳି ଅଞ୍ଚଳରେ ଲହଡି ଭାଙ୍ଗୁଛି ବର୍ଷା ଜଳ। ସହରର ତିନିମୁହାଣୀ ଠାରେ ବିଭିନ୍ନ ଅଫିସ ଜଳବନ୍ଦୀ ଥିବା ବେଳେ କଜଳା ଆଦିବାସୀ ବସ୍ତିକୁ ବନ୍ଦ ହୋଇଛି ରାସ୍ତା। ପିପିଲିରେ ସେତୁ ଉଦଘାଟନ ପୂର୍ବରୁ ଭୁଶୁଡି ପଡିଛି ୱାଲ ବନ୍ଧ। ୬ କୋଟି ଟଙ୍କା ଖର୍ଚ୍ଚରେ କରାଯାଇଥିବା ଡେଲାଙ୍ଗ ଡାକପଡା ଲୁଣା ସେତୁର ପଥର ୱାଲ ଓ ପିଚୁ ରାସ୍ତା ଭୁଶୁଡି ପଡିଛି। ସେପଟେ ଗଞ୍ଜାମ ଦିଗପହଣ୍ଡିରେ ଉପର ମୁଣ୍ଡରେ ବର୍ଷା ଲାଗି ରହିିବାରୁ ବଢୁଛି ଘୋଡାହାଡ ଡ୍ୟାମ୍ ଜଳ ସ୍ତର। ଫଳରେ ତଳିଆ ଅଂଚଳର ଲୋକଙ୍କୁ ସଚେତନ କରାଯାଇଛି ।