Odisha Dadan Crisis: ସରକାର ବଦଳିଲା ହେଲେ ବଦଳିଲାନି ସମସ୍ୟା

ସରକାର ବଦଳିଲା ହେଲେ ବଦଳିଲାନି ସମସ୍ୟା

05 September 2025 08:15 PM IST
Odisha Dadan Crisis: ସରକାର ବଦଳିଲା ହେଲେ ବଦଳିଲାନି ସମସ୍ୟା

ସରକାର ବଦଳିଲା ହେଲେ ବଦଳିଲାନି ସମସ୍ୟା

ସରକାର ବଦଳିଲା ହେଲେ ବଦଳିଲାନି ସମସ୍ୟା। ଏବେ ବି ପଶ୍ଚିମ ଓଡିଶାର ଦୁଃଖ ଦାଦନ। ଗତବର୍ଷ ଦାଦନ ଯାଇ ପୁଅ ହରାଇବାର ଲୁହ ନୂଆପଡ଼ା କୋମନାର ଅନେକ ମାଆଙ୍କ ଆଖିରୁ ଏ ଯାଏଁ ଶୁଖିନି। ଇଟାଭାଟିରେ କାମ କରୁଥିବା ବେଳେ ଖାର ପଡି ଗୋଡ ହରାଇ ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଯାଇଛନ୍ତି  ଲାଲଧର ମାଝୀ ନାମକ ଜଣେ ବ୍ୟକ୍ତି। ଏଥର ବି ସେହିସବୁ ଅଞ୍ଚଳରୁ ପୁଣି ଦାଦନ ଚାଲାଣ ଆରମ୍ଭ ହୋଇଥିବା ଦର୍ଶାଉଛି ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶନାମା। ଯେଉଁଥିରେ ଦାଦନ ଚାଲାଣରେ ରୋକ୍ ଲଗାଇବାକୁ ରାତିରେ ଷ୍ଟେସନ ଜଗିବାକୁ ଶ୍ରମ ବିଭାଗକୁ ଦିଆଯାଇଛି କଡା ନିର୍ଦ୍ଦେଶ ।

ଏଥିରେ ସ୍ପଷ୍ଟ ଉଲ୍ଲେଖ ଅଛି ନିରକ୍ଷର ପ୍ରବାସୀ ଶ୍ରମିକମାନଙ୍କୁ ଆର୍ଥିକ ଏବଂ ଶାରୀରିକ ଭାବରେ ଶୋଷଣ କରାଯାଉଛି। ଟିଟଲାଗଡ଼, ମୁରିବାହାଲ, ଲାଥୋର, ରାଇନଭଟା, କଣ୍ଟାବାଞ୍ଜି, ନୂଆପଡ଼ା ଏବଂ ଖରିଆର ରୋଡ୍ ରେଳ ଷ୍ଟେସନରୁ ଦେଶର ବିଭିନ୍ନ ସ୍ଥାନକୁ ଶ୍ରମିକ ପଠାଯାଉଛି । ତେଣୁ ପୋଲିସ,ପ୍ରଶାସନ ଓ ରେଲୱେ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ଏଭଳି ବେଆଇନ୍ ଶ୍ରମିକ ସ୍ଥାନାନ୍ତର ରୋକିବାକୁ ଶ୍ରମବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

କୁହାଯାଉଛି ରାଜ୍ୟରେ ବର୍ତ୍ତମାନା ଚାଲିଛି ଦାଦନ ଚାଲାଣର ଋତୁ। ବର୍ଷ ବର୍ଷ ଧରି ଏଇ ସମୟରେ ତେଲେଙ୍ଗାନା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥାନ୍ତି ନୂଆପଡାର ଶ୍ରମିକ । ଏଥର ବି କାମ ନଥିବାରୁ ଲାଥୋର ଷ୍ଟେସନରୁ ଅନେକ ଶ୍ରମିକ ବାହାରକୁ ଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ଜିଲ୍ଲପାଳ କହିଛନ୍ତି ଏଥର ୫ ହଜାରରୁ ଉର୍ଦ୍ଧ୍ୱ ପରିବାରକୁ ଆମେ ଫେରାଇବାରେ ସଫଳ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମୁତାବକ ରେଳ ଷ୍ଟେସନ ଗୁଡିକରେ ଏନଫୋର୍ସମେଣ୍ଟ କରାଯାଉଛି, ଯେଉଁ ବ୍ୟକ୍ତି ସେମାନଙ୍କୁ ନେଉଛନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ଶ୍ରମିକଙ୍କ କହିବା କଥା ଗାଁରେ କାମଧନ୍ଦା ନଯୋଗେଇ ବାହାରକୁ ଯିବାକୁ ରୋକିଲେ ଆମ ପରିବାର ପେଟକୁ ଦାନା ଯିବ କେମିତି ?

 ଦାଦନ ସମସ୍ୟା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କପୋର୍ସ କରିଛନ୍ତି ରାଜ୍ୟ ସରକାର। ଏହାରି ଭିତରେ ଦୁଇ ଦୁଇ ଥର ବୈଠକ ମଧ୍ୟ ସରିଛି। ଦାଦନ ଶ୍ରମିକ ଯାଉଥିବା ରାଜ୍ୟକୁ ଏକ କମିଟି ଯାଇ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିଷ୍ପତ୍ତି ହୋଇଛି। ସେହି ରିପୋର୍ଟ ଆଧାରରେ ସରକାର ଆଗାମୀ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ। ଅନ୍ୟପଟେ ଦାଦନ ଅଞ୍ଚଳରେ ଖୁବ ଶୀଘ୍ର ଟେସ୍କଟାଇଲ ପାର୍କ ମଧ୍ୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର।

ନୂଆପଡାରୁ ମାୟାଧର ସରାଫ, କରଞ୍ଜିଆରୁ ଦୀପକ ମହନ୍ତ କଣ୍ଟାବାଞ୍ଝିରୁ ଅନ୍ତିମ ପାଣିଗ୍ରାହୀଙ୍କ ରିପୋର୍ଟ ।

Disclaimer: This content has been automatically aggregated from television for informational purposes. To read the original article, please visit television.