NHRC Steps In After Ammonia Gas Leak Kills 11 Odia Workers: ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୧ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା, NHRCରେ ରୁଜୁ ହେଲା ମାମଲା
ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡିରେ NHRCରେ ମାମଲା ରୁଜୁ ହେଲା। କୋରାପୁଟର ଆଇନଜୀବୀ ଅନୁପ ପାତ୍ରଙ୍କ ଅଭିଯୋଗ ଆଧାରରେ ମାମଲା ପଞ୍ଜୀକୃତ ହୋଇଛି। ଅଭିଯୋଗରେ ତେଲକୋଇ ଅଂଚଳର ରୀତା ଜୁଆଙ୍ଗଙ୍କ ସମେତ ଅନ୍ୟମାନଙ୍କର ମୃତ୍ୟୁକୁ ନେଇ ସେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଘଟଣାର ସବିଶେଷ ରିପୋର୍ଟ ଏବଂ ଚାଲିଥିବା ଯୁଗ୍ମ କମିଟି ରିପୋର୍ଟ କମିଶନ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଶ୍ରମିକମାନେ ଅସୁରକ୍ଷିତ ପରିବେଶରେ କାମ କରୁଥିଲେ ।
ବିପଦପୂର୍ଣ୍ଣ କାମରେ ନାବାଳିକାଙ୍କୁ ନିଯୁକ୍ତ କରାଯାଇଥିବାରୁ ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ପେରୀୟାପାଲ୍ୟମ ଅଂଚଳରେ ଥିବା ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ମେସର୍ସ ସେଣ୍ଟ ପିଟର୍ ଆଣ୍ଡ ସିଫୁଡ ଏକ୍ସପୋର୍ଟ ପ୍ରାଇଭେଟ୍ ମିଲିଟେଡ୍ ପରିଚାଳନା କମିଟି ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିଶନ ଆଦେଶ ଦେବାକୁ ସେ ଆବେଦନ କରିଛନ୍ତି।
ତାମିଲନାଡୁ ସରକାରଙ୍କୁ ଓ କାରଖାନା ପରିଚାଳନା କମିଟିକୁ ଆଦେଶ ପ୍ରଦାନ କରି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଆହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ଦେବା ପାଇଁ ଆଦେଶ କରିବାକୁ ଆବେଦନକାରୀ ନିବେଦନ କରିଛନ୍ତି। ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୧ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି।