NH-49: ଏନ୍ଏଚ୍-୪୯ ସଂପ୍ରସାରଣ ପ୍ରସଙ୍ଗ: କ୍ଷତିପୂରଣ ଲାଳସାରେ ବିପଜ୍ଜନକ କୋଠା ନିର୍ମାଣ
"ଝାରସୁଗୁଡ଼ା: ଜାତୀୟ ରାଜପଥକୁ ମାତ୍ର ୪ ଫୁଟ ବି ଛାଡ଼ିନି।
ଠିଆ ହୋଇଛି ଗୋଟିଏ ପରେ ଗୋଟିଏ କୋଠା।
ତାହା ପୁଣି ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ନିର୍ମାଣ ହୋଇଛି।
କାମ ଏତେ ନିମ୍ନମାନର ଯେ ନିର୍ମାଣର ମାତ୍ର ବର୍ଷେ ପୂରିନି, ଛାତ ଖସିବାରେ ଲାଗିଲାଣି।
ଝାରସୁଗୁଡ଼ା-କନକତୋରା ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରିତ ପ୍ରକଳ୍ପର ନିର୍ମାଣ ଆରମ୍ଭ ହୋଇ ନଥିବା ବେଳେ ରାସ୍ତାରେ ଏକାଧିକ ସ୍ଥାନରେ ନିର୍ମାଣ ହୋଇଥିବା ଏଭଳି ବିପଦପୂର୍ଣ୍ଣ କୋଠା ଜାତୀୟ ରାଜପଥ ବିଭାଗ ପାଇଁ ଚିନ୍ତାର କାରଣ ହେଲାଣି।Advertisment Dharmendra Pradhan: ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ଝାରସୁଗୁଡ଼ାରୁ କନକତୋରା ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି।
୬୮ କିମି ଦୀର୍ଘ ଏହି ରାସ୍ତା ପାଇଁ ୨ ହଜାର କୋଟି ବ୍ୟୟବରାଦ ହୋଇଛି।
ଇତିମଧ୍ୟରେ ଏହାର ଡିଜାଇନ୍ ଓ ଆଲାଇନ୍ମେଣ୍ଟକୁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ କମିଟି ଅନୁମୋଦନ କରିସାରିଛି।
ତେବେ ଜମି ମାଫିଆ କାରବାର ବୃଦ୍ଧି ପାଇବାର ଆଶଙ୍କାରେ ଏହାକୁ ବିଭାଗ ସାର୍ବଜନୀନ କରୁନାହିଁ।
ଫଳରେ ସମ୍ଭାବ୍ୟ ରାସ୍ତା କେଉଁ କେଉଁ ଛକକୁ ବାଦ୍ଦେବ ଏବଂ ଡାଇଭର୍ସନ୍ ରାସ୍ତା କେଉଁପଟେ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।
ଏଭଳି ସ୍ଥିତିରେ ଗତ କିଛିଦିନ ହେଲା ଏହି ରାସ୍ତାରେ ସର୍ଭେ ଆରମ୍ଭ ହୋଇଛି।
ବିଭାଗ ପକ୍ଷରୁ କନକତୋରାରୁ ଝାରସୁଗୁଡ଼ା ମଧ୍ୟରେ ଥିବା ସମସ୍ତ ଛକର ଦୋକାନ ବଜାରରୁ ଆରମ୍ଭ କରି ପ୍ରତିଟି ଘର ଓ କୋଠାରେ ଚିହ୍ନ ଦେବା କାମ ଜାରି ରହିଛି।
ବର୍ତ୍ତମାନର ରାସ୍ତାର ମଝିରୁ ଉଭୟ ପଟରେ ୫୦ ଫୁଟ ଲେଖାଏଁ ମାପ କରି ଚିହ୍ନ ଦିଆଚାଲିଥିବା ବେଳେ ଉଚ୍ଛେଦ ଆଶଙ୍କାରେ ଦୋକାନୀ ଏବଂ ଘର କରିଥିବା ଲୋକେ ରହୁଛନ୍ତି।
ଏପରିକି ଲଖନପୁର ବେହେରାଗୁଡ଼ା ଛକର ସମସ୍ତ ଦୋକାନୀ ଏ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ତୁରନ୍ତ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।
Lightning dead: ଭଦ୍ରକରେ ବଜ୍ରପାତ, ୨୫ ବର୍ଷରେ ୧୪୪ ମୃତ ତେବେ ବହୁବର୍ଷ ହେଲା ଏହି ସଂପ୍ରସାରଣ ଚର୍ଚ୍ଚା ଆରମ୍ଭ ହେବା ପରଠାରୁ ଜମି ମାଫିଆ ସକ୍ରିୟ ହୋଇଉଠିଛନ୍ତି।
ଆଉ କିଛି ବ୍ୟକ୍ତି ରାସ୍ତାକଡ଼ରେ ଥିବା ନିଜ ରୟତି ଜମିରେ କ୍ଷତିପୂରଣ ଲାଳସାରେ ବିପଜ୍ଜନକ ଭାବେ ବିରାଟ କୋଠା ନିର୍ମାଣ କରିଛନ୍ତି।
ଜମି ଅପେକ୍ଷା କୋଠା ଦର ଅନେକ ଗୁଣ ହେବ ବୋଲି ଆଶା କରି ଏହି କୋଠା ନିର୍ମାଣ ହୋଇଥିବା ବେଳେ ତାହା ଅତ୍ୟନ୍ତ ନିମ୍ନମାନର ହୋଇଛି।
ଏପରିକି ମାତ୍ର ଅଢ଼େଇ ଇଞ୍ଚ ମୋଟେଇ ବିଶିଷ୍ଟ ଛାତ ପଡ଼ିଥିବା ବେଳେ ତାହା ମାତ୍ର ୨ରୁ ୩ ବର୍ଷ ଭିତରେ ଭୁଶୁଡ଼ିବାରେ ଲାଗିଛି।
କିଛି ସ୍ଥାନରେ ରାସ୍ତାର ପିଚୁ ଅଂଶ ଯାଏଁ ଘର ମାଡ଼ିଆସିଛି।
ଖାଲି ସେତିକି ନୁହେଁ, ରାସ୍ତାର ତଳ ପାର୍ଶ୍ବରେ ବିନା ମାଟି ସମତଳ କରି ଦୁଇରୁ ୩ ମହଲା ଯାଏଁ କୋଠା ଛିଡ଼ା ହୋଇଛି।
ପିଲର୍ଗୁଡ଼ିକରେ ମାତ୍ର ୪ଟି ଲେଖାଏଁ ୮ ଏମ୍ଏମ୍ ରଡ୍ ଉପରକୁ ଦିଶୁଛି।
ଆଉ ଏହି ଘରଗୁଡ଼ିକର ଅବସ୍ଥା ଦେଖିବାମାତ୍ରେ ଯେ କେହି ଅନୁମାନ କରି ପାରିବ, ଏହା କ୍ଷତିପୂରଣ ଆଶାରେ ତିଆରି ହୋଇଛି।
ଏହି ଘରଗୁଡ଼ିକ କେଉଁ ସମୟରେ ରାସ୍ତା ଉପରକୁ ଖସି ଯାତ୍ରୀଙ୍କ ଉପରେ ପଡ଼ିବ ତାହା କହିବା ମୁସ୍କିଲ।
ଅପରପକ୍ଷେ ଯଦି ଏହି ରାସ୍ତାରେ ସଂପ୍ରସାରଣ କରାଯାଏ ତା" ହେଲେ ଏଭଳି ବିପଦପୂର୍ଣ୍ଣ କୋଠା ଏକ ବିରାଟ ଦୁର୍ନୀତିକୁ ବାଟ କଢ଼ାଇବ ବୋଲି ଆଶଙ୍କା ଦେଖାଦେଲାଣି।
ଏ କ୍ଷେତ୍ରରେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ସମସ୍ତଙ୍କର ନଜର ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।