ସୁନାବେଡ଼ା ଅଭୟାରଣ୍ୟରେ ଦୁଇଟି କଲରାପତରିଆ ବାଘ ଠାବ, ଭୟଭୀତ ସ୍ଥାନୀୟ ଲୋକ
ନୂଆପଡ଼ା: ସାବଧାନ ! ରାସ୍ତାରେ ବୁଲୁଛି ବାଘ । ଓଡ଼ିଶାର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଦୁଇଟି କଲରାପତରିଆ ବାଘ । ସୋମବାର ସନ୍ଧ୍ୟା ସମୟରେ ଏକ ବ୍ୟସ୍ତବହୁଳ ଜଙ୍ଗଲ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା। ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହି ରାସ୍ତାଦେଇ ଯାତାୟାତ କରିବା ପାଇଁ ଲୋକେ ଭୟ କରୁଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କିଛି ଯୁବକ ସୁନାବେଡ଼ାରୁ ଜାମଗାଁ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘଙ୍କୁ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ରାସ୍ତା କଡ଼ରେ କିଛି ସମୟ ରହିଥିଲା, ଯାହାର ସ୍ପଷ୍ଟ ଭିଡିଓ ଯାତ୍ରୀମାନେ ନିଜ ମୋବାଇଲ୍ ଫୋନ୍ରେ କଏଦ କରିବାରେ ସକ୍ଷମ ହୋଇଥିଲେ। ତେବେ ସନ୍ଧ୍ୟା ସମୟର ଅନ୍ଧକାରର ସୁଯୋଗ ନେଇ ଅନ୍ୟ ବାଘଟି ଘଞ୍ଚ ଜଙ୍ଗଲ ଭିତରକୁ ଅଦୃଶ୍ୟ ହୋଇଯାଇଥିଲା।
ସୁନାବେଡ଼ା ଅଭୟାରଣ୍ୟ ପୂର୍ବରୁ ମଧ୍ୟ କଲରାପତରିଆ ବାଘଙ୍କ ବାସସ୍ଥଳୀ ଭାବେ ବେଶ୍ ଜଣାଶୁଣା। ନିକଟରେ କରାଯାଇଥିବା କ୍ୟାମେରା ଟ୍ରାପ୍ ସର୍ଭେରୁ ଏଠାରେ ବହୁ ସଂଖ୍ୟାରେ କଲରାପତରିଆ ବାଘ ଥିବା ସ୍ପଷ୍ଟ ହୋଇଥିଲା। ତେବେ ସାଧାରଣ ରାସ୍ତା କଡ଼ରେ ଏକାସାଙ୍ଗରେ ଦୁଇଟି ବାଘ ଦେଖାଯିବା ଏକ ବିରଳ ଘଟଣା ବୋଲି ବିବେଚନା କରାଯାଉଛି। ଏହି ଘଟଣା ପରେ ଜଙ୍ଗଲ ରାସ୍ତାରେ ଯାତାୟାତ କରୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ଓ ବନ୍ୟପ୍ରାଣୀ ସଂରକ୍ଷଣକାରୀଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।