ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ୍, ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍
ପୁରୀ: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ୍ । ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍ । ପ୍ରଶାସନର ହସ୍ତକ୍ଷେପ ପରେ ଆଜି ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ରୋକାଯାଇଥିବା ଜଣାପଡ଼ିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନ ସଂସ୍କୃତି ଓ ପରମ୍ପରା ସହ କୌଣସି ବୁଝାମଣା କରାଯିବ ନାହିଁ । ରାଜସ୍ଥାନର ସିକର ଜିଲ୍ଲାରେ ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଏବଂ ଶ୍ରୀ ଖାଟୁ ଶ୍ୟାମ ମଣ୍ଡଳ ଦ୍ୱାରା ଆୟୋଜିତ ହେବାକୁ ଥିବା 'ଅଦିନିଆ ରଥଯାତ୍ରା' ଉପରେ ଜିଲ୍ଲା ପ୍ରଶାସନ ତରଫରୁ ଶକ୍ତ କଟକଣା । ପୁରୀ ଜିଲ୍ଲାପାଳଙ୍କ ପତ୍ର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ ପୁରୀ ଜିଲ୍ଲାପାଳ । ରଥଯାତ୍ରା ରୋକିବାକୁ ଖାଟୁଶ୍ୟାମ ମଣ୍ଡଳକୁ ଅନୁରୋଧ କରିଥିଲେ ସିକର ତହସିଲଦାର ।
ସୂଚନା ଅନୁସାରେ, ବିଶ୍ବ ସନାତନ ଧର୍ମ ସେବା ସଂଗଠନ ପକ୍ଷରୁ ରାଜସ୍ଥାନରେ ଏହି ରଥଯାତ୍ରା ଆୟୋଜନ କରାଯିବାର ଥିଲା କିନ୍ତୁ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ବାହାରେ ରଥଯାତ୍ରା ଆୟୋଜନକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଏହି ଘଟଣା ସମ୍ପର୍କରେ ସିକର ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି । ଚିଠିରେ ରଥଯାତ୍ରା ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।