ଭଦ୍ରକରେ ବନ୍ୟା ସ୍ଥିତି ସଙ୍ଗିନ: ବିପଦ ସଙ୍କେତ ଉପରେ ବୈତରଣୀ ଓ ସାଳନ୍ଦୀ, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗିନ ରୂପ ନେଇଛି। ଲଗାଣ ବର୍ଷା ଯୋଗୁଁ ଉଭୟ ବୈତରଣୀ ଏବଂ ସାଳନ୍ଦୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।
ରିପୋର୍ଟ ଅନୁଯାୟୀ, ବୈତରଣୀ ନଦୀ ବିପଦ ସଙ୍କେତଠାରୁ ଯଥେଷ୍ଟ ଉପରେ ପ୍ରବାହିତ ହେଉଛି। ଆଖୁଆପଦା ଠାରେ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ବର୍ତ୍ତମାନ ଏଠାରେ ଜଳସ୍ତର ୨୦.୪୩ ମିଟର ଉପରେ ରହିଛି। ସେହିପରି ଭଦ୍ରକ ସହର ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ଜଳମଗ୍ନ ହୋଇଛି। ଏଥିମଧ୍ୟରେ ଝୁଣ୍ଟୁଣା, ବାଲିପୋଖରୀ, ରଣଜିତ, ସୋଳମପୁର, ମାଳଦା, ନପଙ୍ଗ, କୋରିଗାଁ ଏବଂ ବନ୍ଦାଳମଞ୍ଜୁରୀ ସାମିଲ ରହିଛି। ବନ୍ୟା ଜଳ ମାଡ଼ିଯିବା ଫଳରେ ଭଣ୍ଡାରିପୋଖରୀ ଓ ଯାଜପୁର ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଧାମନଗର ବ୍ଲକର ମଧ୍ୟ ୭ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।
ଭଦ୍ରକ ପୌରାଞ୍ଚଳର ୨୦ଟି ୱାର୍ଡରେ ସାଳନ୍ଦୀ ନଦୀର ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ୧୦ରୁ ଅଧିକ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁଁ ଜୟନ୍ତରା, ମହାପାତ୍ର ସାହି ଏବଂ କାଟିକଟା ତରାଇସାହି ଭଳି ତଳିଆ ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି। କାଟିକଟା ତରାଇସାହିରେ ପ୍ରାୟ ୬ ଫୁଟ ଉଚ୍ଚର ବନ୍ୟା ଜଳ ଲହଡି ମାରୁଥିବା ବେଳେ ମୁଖ୍ୟ ନଦୀବନ୍ଧ ଉପରେ ୨ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି।
ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଭଣ୍ଡାରିପୋଖରୀ, ଧାମନଗର ଏବଂ ତିହିଡ଼ି ବ୍ଲକରେ ୩ଟି ଏନଡିଆରଏଫ (NDRF) ଟିମ୍ ଏବଂ ୭ଟି ଓଡ୍ରାଫ (ODRAF) ଟିମ୍ ମୁତୟନ ହୋଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।