ବିଜୟ ସରକାରଙ୍କ ବଡ଼ ଘୋଷଣା: ସରକାରୀ ଡାକ୍ତରଖାନାରେ ଜନ୍ମ ହେଉଥିବା ଶିଶୁଙ୍କୁ ମିଳିବ ସୁନା ମୁଦି

Jun 27, 2026 - 16:33
ବିଜୟ ସରକାରଙ୍କ ବଡ଼ ଘୋଷଣା: ସରକାରୀ ଡାକ୍ତରଖାନାରେ ଜନ୍ମ ହେଉଥିବା ଶିଶୁଙ୍କୁ ମିଳିବ ସୁନା ମୁଦି

ଚେନ୍ନାଇ: ସରକାରୀ ଡାକ୍ତରଖାନାରେ ଜନ୍ମ ହେଉଥିବା ଶିଶୁଙ୍କୁ ମିଳିବ ସୁନା ମୁଦି । ଟିଭିକେ (TVK) ନେତୃତ୍ୱାଧୀନ ତାମିଲନାଡ଼ୁ ସରକାର ଆନୁଷ୍ଠାନିକ ଭାବେ 'ଥାଇମାମନ ଥଙ୍ଗା ମୋଥିରା ଥିଟ୍ଟମ' ନାକାମା ଏକ ଯୋଜନା ଘୋଷଣା କରିଛନ୍ତି। ଏହି ନୂତନ ଯୋଜନା ଅଧୀନରେ ତାମିଲନାଡ଼ୁର ସରକାରୀ ଡାକ୍ତରଖାନାଗୁଡ଼ିକରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁଙ୍କୁ ୧ ଗ୍ରାମର ସୁନା ମୁଦି ଉପହାର ସ୍ୱରୂପ ପ୍ରଦାନ କରାଯିବ। ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିବା ଏବଂ ସରକାରୀ ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଏହାର ମୂଳ ଲକ୍ଷ୍ୟ। ଏହି ଯୋଜନା ପାଇଁ ରାଜ୍ୟ ସରକାର ବାର୍ଷିକ ୭୫୫.୮୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଜୁନ ୨୨ ତାରିଖ ଠାରୁ ସରକାରୀ ଡାକ୍ତରଖାନାରେ ଜନ୍ମ ହେଉଥିବା ପିଲାମାନେ ଏହି ସୁନା ମୁଦି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ତେବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ. ଆନ୍ନାଦୁରାଇଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିଜୟ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରିବେ।

ସରକାରଙ୍କ 'ଭେତ୍ରି ତାମିଝାଗମ' ରୂପରେଖର ଏକ ଅଂଶ ଭାବରେ ଏହି ଯୋଜନା ଆରମ୍ଭ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ମା' ଏବଂ ଶିଶୁମାନଙ୍କୁ ବ୍ୟାପକ ସହାୟତା ପ୍ରଦାନ କରିବା। ତାମିଲ ସଂସ୍କୃତିରେ ସୁନାକୁ ସମୃଦ୍ଧି ଏବଂ ସୁସ୍ଥତାର ପ୍ରତୀକ ଭାବେ ବିବେଚନା କରାଯାଏ। ତେଣୁ ଏହି ସୁନା ମୁଦି ଉପହାର ଦେବା ଦ୍ୱାରା ଭାବଗତ ଏବଂ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ ହେବ ବୋଲି ସରକାର ଆଶା ରଖିଛନ୍ତି।

ଏହି ଯୋଜନା ଦ୍ୱାରା ପ୍ରତିବର୍ଷ ରାଜ୍ୟର ହଜାର ହଜାର ପରିବାର ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ସହିତ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢ଼ିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।