ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

Jul 24, 2026 - 12:18
ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଏକ କଠୋର ଆଇନ ଆଣିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ସୂଚନା ଦେଇଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ମାମଲାରେ କଠୋର ଦଣ୍ଡବିଧାନ ପାଇଁ ଏକ ବିସ୍ତୃତ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ କରାଯାଇଛି।

ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ଏହାପରେ ଆସନ୍ତା ସପ୍ତାହରେ ସଂସଦରେ ଚାଲିଥିବା ଅଧିବେଶନରେ ଏହି ବିଲ୍ ଆଗତ ହେବା ସହ ଗୃହୀତ ହେବାର ସମ୍ଭାବନା ରହିଛି। ନିଜର ଏକ୍ସ (X) ହ୍ୟାଣ୍ଡେଲରେ ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କ୍ୟାବିନେଟରେ ପ୍ରଶ୍ନପତ୍ର ଲିକ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ଭୋଗୁଥିବା ଦୁର୍ଦ୍ଦଶାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ଅଢ଼େଇ ମାସ ମଧ୍ୟରେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି, ଯାହାଫଳରେ ଦୋଷୀମାନଙ୍କୁ ଗିରଫ କରି ଜେଲ ପଠାଯାଇଛି। ସେ କହିଛନ୍ତି, 'ମୁଁ ଜାଣେ ପ୍ରଶ୍ନପତ୍ର ଲିକ୍ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କୁ ବହୁତ କଷ୍ଟ ଦେଇଥାଏ।' ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଦିଗରେ ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବିନା ବିଳମ୍ବରେ ପରୀକ୍ଷା ପରିଚାଳନା କରାଯାଇଛି। ଏହାର ଫଳାଫଳ ଜୁଲାଇ ୧୯ ତାରିଖରେ ଘୋଷଣା କରାଯାଇଥିଲା।

ପରୀକ୍ଷାରେ ଅନିୟମିତତା କରୁଥିବା ବ୍ୟକ୍ତିଙ୍କ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଏବଂ କଠୋର ଦଣ୍ଡର ବ୍ୟବସ୍ଥା ଥିବା ଏକ ଦୃଢ଼ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ସେ ବ୍ୟକ୍ତିଗତ ଭାବେ ନିରନ୍ତର କାର୍ଯ୍ୟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜୋର୍ ଦେଇ କହିଛନ୍ତି। କ୍ୟାବିନେଟ୍ ସହଯୋଗୀଙ୍କ ପରାମର୍ଶକୁ ଆଧାର କରି ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯିବ। ସୋମବାରଠାରୁ ସଂସଦୀୟ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ ଏହି ବିଲ୍ ଯଥାଶୀଘ୍ର ଗୃହରେ ପାରିତ କରାଇବାକୁ ପ୍ରୟାସ କରାଯିବ ବୋଲି ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ପ୍ରସ୍ତାବିତ ବିଲରେ କଠୋର ଜୋରିମାନା, ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ମାଧ୍ୟମରେ ସମୟବଦ୍ଧ ବିଚାର ଏବଂ ଏଭଳି ଅପରାଧରେ ସମ୍ପୃକ୍ତ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ପାଇଁ ଦୃଢ଼ ଜବାବଦେହିତା ବ୍ୟବସ୍ଥା ସାମିଲ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।