ପୁରୀରେ ଆଇପିଏଲ୍ ବେଟିଂ ରାକେଟର ମାଷ୍ଟରମାଇଣ୍ଡ ଗିରଫ, ୧୮ ଲକ୍ଷର ସମ୍ପତ୍ତି ଫ୍ରିଜ୍

ପୁରୀ: ପୁରୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଓଡ଼ିଶାରେ ଚାଲିଥିବା ଏକ ବୃହତ୍ତ ଆଇପିଏଲ୍ ବେଟିଂ ସିଣ୍ଡିକେଟ୍ ବା ରାକେଟର ମୁଖ୍ୟ ମାଷ୍ଟରମାଇଣ୍ଡକୁ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତ ଜଣକ କୋଟି କୋଟି ଟଙ୍କାର ଏକ ସୁସଂଗଠିତ ବେଆଇନ ବେଟିଂ ସାମ୍ରାଜ୍ୟ ଚଳାଉଥିଲେ ବୋଲି ଜଣାପଡିଛି ।
ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ୩୨ ବର୍ଷୀୟ କୃଷ୍ଣ ପ୍ରସାଦ ତ୍ରିପାଠୀ ଓରଫ୍ 'ବସ୍'। ପୋଲିସ ସୂତ୍ରରୁ ପ୍ରକାଶ ଯେ, କୃଷ୍ଣ ନିଜର ପ୍ରକୃତ ପରିଚୟ ଲୁଚାଇ ରଖିବା ସହ ଏକ ସିନେମା ଷ୍ଟାଇଲ୍ରେ ଏହି କଳା କାରବାର କରୁଥିଲେ। ସେ ବ୍ରହ୍ମପୁରରେ 'ନମସ୍ତେ' ନାମକ ଏକ ହୋଟେଲ ମଧ୍ୟ ଚଳାଉଥିଲେ। ବେଟିଂ କାରବାରକୁ ସୁଗମ କରିବା ପାଇଁ ସେ ନିଜର ଏକ ସ୍ୱତନ୍ତ୍ର ସଫ୍ଟୱେର୍ ମଧ୍ୟ ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି। ଏହା ସହ ଅନଲାଇନ୍ ପ୍ଲାଟଫର୍ମ 'ସ୍କାଏ ଏକ୍ସଚେଞ୍ଜ' (Sky Exchange) ବ୍ୟବହାର କରି ସେ ବେଆଇନ ଆଇପିଏଲ୍ ବେଟିଂ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ।
ତାଙ୍କ ଗିରଫଦାରୀ ପରେ ପୋଲିସ କୃଷ୍ଣଙ୍କ ବାସଭବନରେ ଛାନଭିନ୍ କରି ପ୍ରାୟ ୧୦ ଲକ୍ଷ ଟଙ୍କା ନଗଦ ଜବତ କରିଛି। ଏହା ବ୍ୟତୀତ ତାଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ଥିବା ୮ ଲକ୍ଷ ଟଙ୍କାକୁ ମଧ୍ୟ ସିଜ୍ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତଙ୍କର ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍, ସମ୍ପତ୍ତି ଏବଂ ଆର୍ଥିକ କାରବାରର ଅଧିକ ଖୋଳତାଡ଼ କରୁଛି ପୋଲିସ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୯ ତାରିଖରେ ପୁରୀର ମଶାଣି ଚଣ୍ଡୀ ଛକରେ ପୋଲିସ ଏକ ବେଟିଂ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ବେଟିଂ ଚାଲିଥିବା ସମୟରେ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ମାର୍କଣ୍ଡେଶ୍ୱର ସାହିର ପ୍ରସନ୍ନ ପୃଷ୍ଟି, ବଡ଼ଶଙ୍ଖ ଅଞ୍ଚଳର ବି. ନାଗେଶ୍ୱର ରାଓ, ମଶାଣି ଚଣ୍ଡୀ ଛକର ବିଶ୍ୱଜିତ ଲେଙ୍କା ଏବଂ ଚନ୍ଦନପୁରର ରମାକାନ୍ତ ସାହୁ।
ସେହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୩.୦୪ ଲକ୍ଷ ଟଙ୍କା ଏବଂ ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଥିଲା। ପରେ ପ୍ରସନ୍ନ ପୃଷ୍ଟିଙ୍କ ଘରେ ଚଢ଼ାଉ କରି ପୋଲିସ ଅତିରିକ୍ତ ୨୨.୩୧ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା। ମୋଟାମୋଟି ଭାବେ ଏହି ରାକେଟ୍ ସହ ଜଡ଼ିତ ଥିବା ୩୧.୮୧ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୂର୍ବରୁ ସିଜ୍ କରାଯାଇଥିଲା। ଏହି ବେଆଇନ କାରବାର ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ପୋଲିସ ସନ୍ଦେହ କରୁଛି।
ମୁଖ୍ୟ ଅଭିଯୁକ୍ତ 'ବସ୍' ଗିରଫ ହେବା ପରେ ଏହି ବେଟିଂ ସିଣ୍ଡିକେଟ୍କୁ ଏକ ଶକ୍ତ ଧକ୍କା ଲାଗିଥିବା ପୋଲିସ ଦାବି କରିଛି। ବର୍ତ୍ତମାନ ଏହି ନେଟୱାର୍କର ଅନ୍ୟ ସଦସ୍ୟ ଏବଂ ଆର୍ଥିକ କାରବାରର ପୂରା ତଥ୍ୟ ଜାଣିବା ପାଇଁ ପଚରାଉଚରା ଏବଂ ତଦନ୍ତ ଜାରି ରହିଛି।