ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଯୁବତୀ, ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ୱର: ତାମିଲନାଡୁରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ । ମୃତ ଯୁବତୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଖରବା ଗ୍ରାମର ଅଞ୍ଜନା ଜୁଆଙ୍ଗ । ଏହି ହୃଦୟ ବିଦାରକ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୩ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୋଳ ଜିଲ୍ଲା ଖମାର ଅଞ୍ଚଳର ବୋଲି ଜଣାପଡ଼ିଛି।
ତେବେ ଏହି ଘଟଣା ପରେ ବେଆଇନ ନିଯୁକ୍ତି, ମାନବ ଚାଲାଣ ଏବଂ ନକଲି କାଗଜପତ୍ର ପ୍ରସ୍ତୁତ କରାଯିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ନାବାଳିକାମାନଙ୍କୁ କାରଖାନାରେ ନିଯୁକ୍ତି ଦେବା ପାଇଁ ଶ୍ରମ ଠିକାଦାରମାନେ ଆଧାର କାର୍ଡ ସମେତ ବିଭିନ୍ନ ପରିଚୟ ପତ୍ର ଜାଲ୍ କରିଥିବା ଅଭିଯୋଗ ହୋଇଛି। ତେଲକୋଇ ସହକାରୀ ଶ୍ରମ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ରଙ୍ଗାମାଟିଆ ଗ୍ରାମର ନାବାଳିକା ଯାମିନୀ ଜୁଆଙ୍ଗଙ୍କୁ ବାଲଣିପାଶି ଗ୍ରାମର ପ୍ରାପ୍ତବୟସ୍କ ମହିଳା ପାର୍ବତୀ ଜୁଆଙ୍ଗ ଭାବରେ ଦର୍ଶାଇ କାରଖାନାରେ ନିଯୁକ୍ତି ଦିଆଯାଇଥିଲା, ଯିଏକି ଗ୍ୟାସ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଅଧିକ ଦରମା ଓ ଭଲ ଚାକିରିର ପ୍ରଲୋଭନ ଦେଖାଇ ଅନେକ ନାବାଳିକାଙ୍କୁ ତାମିଲନାଡୁ ଚାଲାଣ କରାଯାଇଥିଲା।
ଏହି ବେଆଇନ କାର୍ଯ୍ୟ ପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ରଙ୍ଗାମାଟିଆ ଗ୍ରାମର ଶ୍ରମ ଠିକାଦାର ଶ୍ରୀକାନ୍ତ ଜୁଆଙ୍ଗଙ୍କ ବିରୋଧରେ ତେଲକୋଇ ଥାନାରେ ଏତଲା ଦାୟର କରାଯାଇଛି। ବେଆଇନ ଶ୍ରମିକ ନିଯୁକ୍ତି ଓ ମାନବ ଚାଲାଣର ବିସ୍ତୃତ ତଦନ୍ତ ପାଇଁ ଖୁବ୍ଶୀଘ୍ର ଓଡ଼ିଶା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡୁ ଗସ୍ତ କରିବ ବୋଲି ଜଣାପଡ଼ିଛି। ଏହା ସହିତ ହରିଚନ୍ଦନପୁର ଏବଂ ନାୟକକୋଟ ଥାନାରେ ମଧ୍ୟ ସମାନ ଧରଣର ମାମଲା ରୁଜୁ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ତାମିଲନାଡୁ ସରକାରଙ୍କ ଦ୍ୱାରା ଗଠିତ ତିନି ଜଣିଆ ତଦନ୍ତକାରୀ ଦଳ ଏହି ଦୁର୍ଘଟଣା ପାଇଁ କାରଖାନା କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଡିସେମ୍ବର ମାସରେ ହୋଇଥିବା ଯାଞ୍ଚ ବେଳେ ଏକାଧିକ ସୁରକ୍ଷା ଉଲ୍ଲଂଘନ ଧରାପଡିଥିଲେ ସୁଦ୍ଧା କର୍ତ୍ତୃପକ୍ଷ ଏହାକୁ ସୁଧାରି ନଥିଲେ। ପରିଚାଳନାଗତ ତ୍ରୁଟି କାରଣରୁ କାରଖାନାକୁ ତୁରନ୍ତ ବନ୍ଦ କରିବାକୁ ରିପୋର୍ଟରେ ସୁପାରିଶ କରାଯାଇଛି।
ସୂଚନାଯୋଗ୍ୟ, ଗତ ୨୧ତାରିଖ ଦିନ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ପେରିୟପାଲୟମ ନିକଟରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକାଧିକ କର୍ମଚାରୀ ମୃତ୍ୟୁବରଣ କରିଥିବାବେଳେ ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।