ଝାରପଡ଼ା ଜେଲ୍ରେ କଏଦୀଙ୍କ ମୃତ୍ୟୁ, ଡକାୟତି ଓ ହତ୍ୟା ମାମଲାର ସଜା କାଟୁଥିଲେ

ଭୁବନେଶ୍ୱର: ଭୁବନେଶ୍ୱରର ଝାରପଡ଼ା ଜେଲରେ ଆଜି ସକାଳେ ଜଣେ ୫୫ ବର୍ଷୀୟ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଯବାନ ନାୟକ ବୋଲି ଜଣାପଡିଛି ଏବଂ ସେ ଭୁବନେଶ୍ୱରର ତାରିଣୀ ବସ୍ତିର ବାସିନ୍ଦା ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ଯବାନ ନାୟକ ରାତ୍ରି ଭୋଜନ ଶେଷ କରି ଶୋଇବାକୁ ଯାଇଥିଲେ। ତେବେ ସୋମବାର ସକାଳେ ସେ ଆଉ ବିଛଣାରୁ ଉଠି ନଥିଲେ । ଜେଲ କର୍ମଚାରୀମାନେ ଯାଇ ତାଙ୍କୁ ଯାଞ୍ଚ କରିଥିଲେ ଏବଂ ସେ ଚେତାଶୂନ୍ୟ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ, ମୃତକ ବନ୍ଦୀ ଜଣକ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ସେ ହତ୍ୟା ଏବଂ ଡକାୟତି ଭଳି ସଙ୍ଗିନ ମାମଲାରେ ସମ୍ପୃକ୍ତ ଥାଇ ଝାରପଡ଼ା ଜେଲରେ ସଜା କାଟୁଥିଲେ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଜେଲ କର୍ତ୍ତୃପକ୍ଷ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେବା ସହିତ ଘଟଣା ସମ୍ପର୍କରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।