ଜନ୍ତରମନ୍ତରରେ ହଙ୍ଗାମା: ଆମରଣ ଅନଶନରେ ବସିଥିବା ସିଜେପି ପ୍ରତିଷ୍ଠାତା ଅଭିଜୀତ ଦିପକେଙ୍କ ଉପରକୁ କାଳିମାଡ଼

Jul 18, 2026 - 15:11
ଜନ୍ତରମନ୍ତରରେ ହଙ୍ଗାମା: ଆମରଣ ଅନଶନରେ ବସିଥିବା ସିଜେପି ପ୍ରତିଷ୍ଠାତା ଅଭିଜୀତ ଦିପକେଙ୍କ ଉପରକୁ କାଳିମାଡ଼

ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଶନିବାର ଦିନ ହାଇଡ୍ରାମା ଦେଖିବାକୁ ମିଳିଛି। ଧାରଣାରେ ବସିଥିବା କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦିପକେଙ୍କ ଉପରକୁ ଜଣେ ମହିଳା କାଳିମାଡ଼ କରିଛନ୍ତି। ଆମରଣ ଅନଶନରେ ବସିଥିବା ବେଳେ ସେ ସମର୍ଥକମାନଙ୍କୁ ସମ୍ବୋଧିତ କରୁଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

ମହିଳାଙ୍କୁ ଅଟକ ରଖିଲା ପୋଲିସ

କାଳିମାଡ଼ ପରେ ଆନ୍ଦୋଳନ ସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ଉକ୍ତ ମହିଳାଙ୍କୁ କାବୁ କରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ବର୍ତ୍ତମାନ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ତାଙ୍କର ପରିଚୟ ଏବଂ ଏହି କାର୍ଯ୍ୟ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ଆନ୍ଦୋଳନରେ ଗୁଣ୍ଡା ପୂରାଇଥିବା ଅଭିଯୋଗ

ଏହି ଆକ୍ରମଣ ପରେ ଅଭିଜୀତ ଦିପକେ କ୍ଷୋଭ ପ୍ରକାଶ କରିବା ସହ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ୫୦୦ ଟଙ୍କା ଲେଖାଏଁ ଦେଇ ଜାଣିଶୁଣି ଆନ୍ଦୋଳନ ଭିତରକୁ ଗୁଣ୍ଡାମାନଙ୍କୁ ପୂରାଇ ଦିଆଯାଉଛି ବୋଲି ସେ ଦାବି କରିଛନ୍ତି। ଯେତେ ଆକ୍ରମଣ ହେଲେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲ ସ୍ଥାନାନ୍ତର ପରେ ଅନଶନ

ପରିବେଶବିତ୍ ସୋନମ ୱାଙ୍ଗଚୁକ ଗତ ୨୧ ଦିନ ଧରି ଜନ୍ତରମନ୍ତରରେ ଆମରଣ ଅନଶନରେ ବସିଥିଲେ। ତେବେ ଶନିବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଦିଲ୍ଲୀ ପୋଲିସ ତାଙ୍କୁ ଉଠାଇ ନେଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଅଭିଜୀତ ଦିପକେ ନିଜେ ଆମରଣ ଅନଶନ ଆରମ୍ଭ କରିଥିଲେ। ସୋନମ ୱାଙ୍ଗଚୁକଙ୍କୁ ଜୋରଜବରଦସ୍ତି ଉଠାଇ ନିଆଯାଇଥିବା ଅଭିଯୋଗ କରି ସିଜେପି ପକ୍ଷରୁ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।