ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ୩ ମାସର ଜେଲ ଦଣ୍ଡ
ଚେକ୍ ବାଉନ୍ସ ମାମଲାରେ ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ଶକ୍ତ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଦୋଷୀ ସାବ୍ୟସ୍ତ ରାୟକୁ କାୟମ ରଖିବା ସହ ତାଙ୍କ ଜେଲ ଦଣ୍ଡାଦେଶକୁ ୩ ମାସକୁ ହ୍ରାସ କରିଛନ୍ତି। ପୂର୍ବରୁ ଏକ ନିମ୍ନ ଅଦାଲତ ତାଙ୍କୁ ୬ ମାସର ଜେଲ ଦଣ୍ଡ ଶୁଣାଇଥିଲେ। ବାରମ୍ବାର କୋର୍ଟଙ୍କ ନିର୍ଦ୍ଦେଶ ତଥା ଦେଇଥିବା ପ୍ରତିଶ୍ରୁତି ଉଲ୍ଲଂଘନ କରିବା କାରଣରୁ ତାଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିବ।
କୋର୍ଟଙ୍କ ରାୟ ଓ ଜୋରିମାନା
ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସ୍ୱର୍ଣ୍ଣା କାନ୍ତା ଶର୍ମା ଏହି ମାମଲାର ଶୁଣାଣି କରି ରାଜପାଲ ଯାଦବଙ୍କୁ ମୋଟ ୭ଟି ମାମଲାରୁ ପ୍ରତ୍ୟେକରେ ୩ ମାସ ଲେଖାଏଁ ସାଧାରଣ ଜେଲ ଦଣ୍ଡ ଶୁଣାଇଛନ୍ତି। ତେବେ ସମସ୍ତ ଦଣ୍ଡାଦେଶ ଏକାସାଙ୍ଗରେ ଚାଲିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସହିତ ଅଭିଯୋଗକାରୀ କମ୍ପାନୀ ମେସର୍ସ ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍ଙ୍କୁ ପ୍ରତି ମାମଲାରେ ୧.୦୫ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ତାଙ୍କ ପତ୍ନୀ ରାଧା ଯାଦବଙ୍କୁ ମଧ୍ୟ ପ୍ରତି ମାମଲାରେ ୫ କୋଟିରୁ ଅଧିକ ଟଙ୍କା ଦେବାକୁ କୁହାଯାଇଛି। ତେବେ ଅଭିନେତାଙ୍କ ଦ୍ୱାରା ପୂର୍ବରୁ ଜମା କରାଯାଇଥିବା ପ୍ରାୟ ୨.୨୫ କୋଟି ଟଙ୍କା ଚୂଡ଼ାନ୍ତ ରାଶିରୁ କାଟ୍ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଉପର କୋର୍ଟରେ ଆବେଦନ କରିବା ପାଇଁ ରାଜପାଲଙ୍କୁ ଦୁଇ ମାସର ସମୟ ମିଳିଛି।
ବାରମ୍ବାର ଚୁକ୍ତି ଉଲ୍ଲଂଘନ କରିଥିଲେ ଅଭିନେତା
ସୂଚନାଯୋଗ୍ୟ ଯେ, ରାଜପାଲ ଯାଦବ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଉକ୍ତ କମ୍ପାନୀଠାରୁ ଋଣ ନେଇଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହେବା କାରଣରୁ ସେ ବହୁତ ବଡ଼ ଆର୍ଥିକ କ୍ଷତି ସହିଥିଲେ ଏବଂ ଋଣ ପରିଶୋଧ କରିପାରିନଥିଲେ। ଏହାପରେ କମ୍ପାନୀ ଚେକ୍ ବାଉନ୍ସ ମାମଲା ରୁଜୁ କରିଥିଲା। ଏହି ମାମଲାରେ କୋର୍ଟ ରାଜପାଲଙ୍କୁ ବାରମ୍ବାର ସୁଯୋଗ ଦେବା ସତ୍ତ୍ୱେ ସେ କମ୍ପାନୀକୁ ଟଙ୍କା ଫେରାଇବାରେ ବିଫଳ ହୋଇଥିଲେ। କୋର୍ଟ କହିଛନ୍ତି ଯେ ଅଭିନେତାଙ୍କୁ ଆପୋଷ ବୁଝାମଣା ଏବଂ ଟଙ୍କା ଜମା କରିବା ପାଇଁ ବହୁବାର ସୁଯୋଗ ଓ କୋହଳ ମନୋଭାବ ପ୍ରଦର୍ଶନ କରାଯାଇଥିଲା, କିନ୍ତୁ ସେ ନ୍ୟାୟାଳୟଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିଲେ। କୌଣସି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପେଶା କିମ୍ବା ଗ୍ଲାମର ଇଣ୍ଡଷ୍ଟ୍ରିରୁ ଆସିଥିଲେ ମଧ୍ୟ ତାଙ୍କ ପାଇଁ କୋର୍ଟ କୌଣସି ସ୍ୱତନ୍ତ୍ର ନିୟମ ବା ପରିସ୍ଥିତି ସୃଷ୍ଟି କରିପାରିବେ ନାହିଁ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି ହାଇକୋର୍ଟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।