ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

Aug 05, 2026 - 17:59
ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି ।  ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଚିଲିକାକୁ ଘେରି ମୁକ୍ତ କରି ସୁନ୍ଦର ପରିବେଶ ଗଠନ କରିବା ଉଦ୍ୟମ ଚାଲିଥିବା ବେଳେ ଏହା ଉପରେ ନିର୍ଭର କରି ଚଳୁଥିବା ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।

 ଚିଲିକାରୁ ଜାଲ ବାଡ଼ ଉଚ୍ଛେଦ କରାଯାଉଛି ।  ବୁଧବାର ବଜ୍ରକୋଟ ରାଜସ୍ବ ସର୍କଲ ଅଧିନ ତାଳତଳା ବାହାର ଚିଲିକା ଅଞ୍ଚଳରୁ ୧୦୦ ଏକର ଚିଲିକାରେ ହୋଇଥିବା ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି । ଘେରିରେ ବ୍ୟବହାର ହୋଇ ଥିବା ଜାଲ, କିଳା, ବାଉଁଶ ଆଦିକୁ ନିଆଁ ଲଗାଇ ନଷ୍ଟ କରାଯାଇଛି । ଏହି ଉଚ୍ଛେଦ କୃଷ୍ଣପ୍ରସାଦ ଅତିରିକ୍ତ ତହସିଲଦାର ବିକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବର୍ଜ ଜେସିବି ମେସିନ ସହିତ ୩୦ ଜଣ ଶ୍ରମିକ  ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।  

ଶାନ୍ତି ଶୃଙ୍ଖଳା ଲାଗି କୃଷ୍ଣପ୍ରସାଦ ଥାନା ସବଇନ୍ସପେକ୍ଟର ପ୍ରଫୁଲ କୁମାର ନାୟକଙ୍କ  ନେତୃତ୍ୱରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଅନ୍ୟମାନଙ୍କ ମଧ୍ୟରେ ତହସିଲ ରାଜସ୍ବ ସୁପରଭାଇଜର ବିଜୟରାଜ ସାହୁ, ବଜ୍ରକୋଟ ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ସାହୁ, ଚିଲିକା ନୂଆପଡା ରାଜସ୍ବ ନିରୀକ୍ଷକ ମୋହନ କୁମାର ସ୍ୱାଇଁ ସମେତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।  ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।