ଚନ୍ଦ୍ରିକା ମୃତ୍ୟୁ ମାମଲା: OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

Jun 27, 2026 - 14:13
ଚନ୍ଦ୍ରିକା ମୃତ୍ୟୁ ମାମଲା: OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ । ରକାରୀ ସେବାରୁ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ନିକଟରେ ନିଯୁକ୍ତି ପାଇଥିବା OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି। ଏକ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ଜୁନ ୪, ୨୦୨୬ ତାରିଖରୁ ନିଜର ଇଣ୍ଡକ୍ସନ ଟ୍ରେନିଂରୁ ନିଖୋଜ ଥିଲେ ଭୀମସେନ ଟୁଡୁ। ଏପରିକି ସେ ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ (MDRAFM)ରେ ହେବାକୁ ଥିବା ନିଜର ଚୂଡ଼ାନ୍ତ ପରୀକ୍ଷାରେ ମଧ୍ୟ ଅନୁପସ୍ଥିତ ଥିଲେ। ଏହି ସମୟ ମଧ୍ୟରେ ସେ କାହା ସମ୍ପର୍କରେ ନଥିଲେ ଏବଂ ତାଙ୍କର କୌଣସି ଖୋଜ୍ ଖବର ମିଳିନଥିଲା।

ପରବର୍ତ୍ତୀ ସମୟରେ ବାରଙ୍ଗ ଥାନାରେ ରୁଜୁ ହୋଇଥିବା ଚନ୍ଦ୍ରିକା ମୃତ୍ୟୁ ମାମଲା ସହିତ ଜଡିତ ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ କର୍ତ୍ତୃପକ୍ଷ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଥିଲେ। ଏକ ଅପରାଧିକ ମାମଲାରେ ତାଙ୍କୁ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖାଯିବା କାରଣରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେବା ନିୟମ ଅନୁଯାୟୀ ତାଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଭୀମସେନ ଟୁଡୁ ଭବିଷ୍ୟତରେ କୌଣସି ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। 

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୪ ତାରିଖରେ କଟକର ବାରଙ୍ଗ ଥାନା ଅନ୍ତର୍ଗତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଏମବିବିଏସ୍ (ମବବଶ) ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଚନ୍ଦ୍ରିକାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଗତ ଜୁନ୍ ୧୩ ତାରିଖରେ ଭୀମସେନ ଟୁଡୁଙ୍କୁ ଗିରଫ କରିଥିଲା। ଚନ୍ଦ୍ରିକାଙ୍କ ସହ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ଦେଇ ମନା କରିବା ମାନିଥିଲେ ଭୀମସେନ ।