ଇଂରାଜୀ ବହିକୁ ମାଡ଼ିଗଲା ଓଡ଼ିଆ ଅସ୍ମିତା; ପଞ୍ଚମ ଶ୍ରେଣୀ ଇଂରାଜୀ ବହିରେ ଓଡ଼ିଆ ରଜଦୋଳି ଗୀତ

Jun 25, 2026 - 15:44
ଇଂରାଜୀ ବହିକୁ ମାଡ଼ିଗଲା ଓଡ଼ିଆ ଅସ୍ମିତା; ପଞ୍ଚମ ଶ୍ରେଣୀ ଇଂରାଜୀ ବହିରେ ଓଡ଼ିଆ ରଜଦୋଳି ଗୀତ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ମାଳମାଳ ତ୍ରୁଟି ପାଇଁ ସବୁ ମହଲରେ ସରକାର ଏବେ ବିଭିନ୍ନ ମହଲରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହାକୁ ସାମାନ୍ୟ ଓ ସାଧାରଣ କଥା ବୋଲି ଉଲ୍ଲେଖ କରି ଢ଼ାଙ୍କିବାକୁ ଉଦ୍ୟମ କରିଥିଲେ ବି ଏହି ପ୍ରସଙ୍ଗ ଏବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ପ୍ରତିଦିନ ଓଡ଼ିଆ ବହିରେ ରହିଥିବା ଭୁଲକୁ ନେଇ ସାମାଜିକ ଗଣମାଧ୍ୟମରେ ନୂଆନୂଆ କଥା ଶୁଣିବାକୁ ମିଳୁଛି। ଏହି କ୍ରମରେ ପଞ୍ଚମ ଶ୍ରେଣୀ ଇଂରାଜୀ ବହିରେ ଓଡ଼ିଆ ରଜ ଦୋଳିଗୀତ ସ୍ଥାନ ପାଇଥିବା ଜଣା ପଡ଼ିବା ପରେ ଅଭିଭାବକ ଓ ସାଧାରଣ ଲୋକେ ସରକାରଙ୍କୁ ସିଧା ନିଶାଣ କରିଛନ୍ତି। ଓଡ଼ିଆ ଅସ୍ମିତା ଇଂରାଜୀ ଆଡ଼କୁ ମାଡ଼ିଗଲା ବୋଲି ବି ସମାଲୋଚନା କରିଛନ୍ତି। ଏପରିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷାର ବସ୍ତ୍ରହରଣ କରିଥିବା ବି ଲୋକମାନେ କଟାକ୍ଷ କରିଛନ୍ତି।  

ଗୁରୁବାର ଦିନ ତମାମ୍‌ ସାମାଜିକ ଗଣମାଧ୍ୟମରେ ଇଂରାଜୀ ବହିରେ ରଜଦୋଳି ଗୀତର ଭିଡିଓ ଭାଇରାଲ୍‌ ହୋଇଛି। ଜଣେ ଶିକ୍ଷୟତ୍ରୀ ଭିଡିଓକୁ ପ୍ରସ୍ତୁତ କରିଥିବା କୁହାଯାଉଛି। ଇଂରାଜୀ ପୁସ୍ତକରେ ଓଡ଼ିଆ ଭାଷାରେ ରଜଦୋଳି ଗୀତ ସେ କିପରି ପଢ଼ାଇବେ ବୋଲି ପ୍ରଶ୍ନ କରିଛନ୍ତି। ପଞ୍ଚମ ଶ୍ରେଣୀର ଇଂରାଜୀ ପୁସ୍ତକ ‘ପଲ୍ଲଭୀ’ ର ମଧ୍ୟ ଭାଗରେ ଓଡ଼ିଆ ଭାଷାରେ ରଜଦୋଳି ଗୀତ ଲେଖା ହୋଇଥିବା ଲୋକଲୋଚନକୁ ଆସିବା ପରେ ଅନେକ ଅସମାହିତ ପ୍ରଶ୍ନ ଛିଡ଼ା ହୋଇଛି। ଇଂରାଜୀରେ ଲେଖାଯାଇଥିବା ଏନ୍‌ସିଇଆର୍‌ଟି ପୁସ୍ତକକୁ ଏଆଇ ଉପଯୋଗ କରି ଓଡ଼ିଆରେ ଅନୁବାଦ କରାଯାଇଥିବାରୁ ମାଳମାଳ ବନାନ୍‌ ଓ ବାକ୍ୟ ଭୁଲ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଇଂରାଜୀ ବହିରେ ଓଡ଼ିଆ କିପରି ପ୍ରବେଶ କଲା? ଏହା ତ ଏଆଇ ର ଅବଦାନ ହୋଇ ନ ଥିବ!  ଏପରି ଗୁରୁଚଣ୍ଡାଳ ତ୍ରୁଟି କେବଳ ପୁସ୍ତକ ପ୍ରସ୍ତୁତି ଦାୟିତ୍ୱରେ ଥିବା ଅଧିକାରୀଙ୍କ ମନମାନୀ ଓ ଖାମଖିଆଲ୍‌ ନୀତି ଦ୍ୱାରା ହିଁ ସମ୍ଭବ। 

ରାଜ୍ୟର ପ୍ରାୟ ୫୭ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଜୀବନ ସହ ଖେଳିଥିବା ଏହି ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ଦାବି ଜୋର୍‌ ଧରିଛି। ଏପରିକି ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସ୍ତୁତି କରିଥିବା ସମସ୍ତ ବରିଷ୍ଠ ଓ ଅଭିଜ୍ଞ (!) ଶିକ୍ଷାବିତ ଏବଂ ଅଧିକାରୀଙ୍କ ଠାରୁ ମୁଦ୍ରଣ ବାବଦକୁ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଭରଣା କରିବାକୁ ଦାବି ତୀବ୍ର ହୋଇଛି। ସାମାଜିକ ଗଣମାଧ୍ୟମରେ ଆବାଳବୃଦ୍ଧବନିତା ସରକାରଙ୍କ ଏପରି ତ୍ରୁଟିକୁ ଅକ୍ଷମଣୀୟ କହିବା ସହ କଠୋର ସମାଲୋଚନା ଜାରି ରଖିଛନ୍ତି।